କୋଲକାତା: ପଶ୍ଚିମବଙ୍ଗରେ ୨୦୨୬ ବିଧାନସଭା ନିର୍ବାଚନର କିଛି ମାସ ପୂର୍ବରୁ, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉତ୍ଥାନରେ ସାହାଯ୍ୟ କରିଥିବା ସିଙ୍ଗୁର ପୁଣି ଥରେ ଚର୍ଚ୍ଚାକୁ ଆସିଛି। ୨୦୦୮ରେ ମମତାଙ୍କ ଆନ୍ଦୋଳନ ପରେ ଟାଟା ସିଙ୍ଗୁର ପ୍ରକଳ୍ପକୁ ଛାଡ଼ି ଗୁଜରାଟ ସ୍ଥାନାନ୍ତର ହେବାକୁ ବାଧ୍ୟ ହୋଇଥିଲା। ତେବେ ଟାଟାକୁ ପୁଣି ସିଙ୍ଗୁର ଫେରାଇ ଆଣିବ ବୋଲି ବିଜେପି ପ୍ରତିଶ୍ରୁତି ଦେଇଛି। ଜାନୁଆରି ୧୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସିଙ୍ଗୁରରେ ଏକ ରାଲିକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି, ଯେଉଁଠାରେ ପୂର୍ବରୁ ବିକ୍ଷୋଭ ପ୍ରଦର୍ଶନ କରିଥିବା କୃଷକମାନେ ଆଗ ଧାଡିରେ ବସିବେ।

Advertisment

ପ୍ରାୟ ଦୁଇ ଦଶନ୍ଧି ତଳେ, ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀ ହୁଗୁଳି ନଦୀର ଠିକ୍ ପୂର୍ବ ଦିଗରେ ଏବଂ କୋଲକାତାଠାରୁ ପ୍ରାୟ ୪୦ କିଲୋମିଟର ଉତ୍ତରରେ ଥିବା ସିଙ୍ଗୁରର ଉର୍ବର ଚାଷ ଜମିରେ ଡେରା ପକାଇଥିଲେ। ୨୦୦୮ରେ ଏହି ଷ୍ଟ୍ରିଟ୍ ଫାଇଟର ସେଠାରେ ଟାଟା ନାନୋ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ବିରୋଧରେ ଏକ ତୀବ୍ର ଆନ୍ଦୋଳନର ନେତୃତ୍ୱ ନେଇଥିଲେ। ଏହି ଆନ୍ଦୋଳନ ତାଙ୍କୁ ବଙ୍ଗଳା ରାଜନୀତିର କେନ୍ଦ୍ରରେ ପହଞ୍ଚାଇଥିଲା ଏବଂ ଶେଷରେ ତାଙ୍କୁ ସିପିଆଇ(ଏମ୍) ସରକାରକୁ ହଟାଇବାରେ ସାହାଯ୍ୟ କରିଥିଲା। ଟାଟା ନାନୋ କାରଖାନାକୁ ପଶ୍ଚିମବଙ୍ଗର ସିଙ୍ଗୁରରୁ ଗୁଜୁରାଟର ସାନନ୍ଦକୁ ସ୍ଥାନାନ୍ତର କରିବାକୁ ପଡିଥିଲା।

ରାଜନୈତିକ ପ୍ରତିଦ୍ୱନ୍ଦ୍ୱିତାର କେନ୍ଦ୍ର

ବର୍ତ୍ତମାନ, ପ୍ରାୟ ୧୮ ବର୍ଷ ପରେ ଏବଂ ୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର କିଛି ମାସ ପୂର୍ବରୁ ସିଙ୍ଗୁରର ସେହି ଉର୍ବର ଜମି ପୁଣି ଏକ ରାଜନୈତିକ ପ୍ରତିଦ୍ୱନ୍ଦ୍ୱିତାର କେନ୍ଦ୍ରକୁ ଫେରିଛି। ଏଥର ବିଜେପି ଏହାକୁ ଯୁଦ୍ଧକ୍ଷେତ୍ର ଭାବେ ବାଛିଛି। ଦୀର୍ଘ ଦିନ ଧରି ପରିତ୍ୟକ୍ତ ଟାଟା ନାନୋ କାରଖାନା ପୁଣି ଥରେ କାହାଣୀର କେନ୍ଦ୍ରରେ ଥିବାରୁ ସିଙ୍ଗୁରକୁ ଏକ ବଞ୍ଚିତ ଶିଳ୍ପ ସୁଯୋଗ ଭାବରେ ଉପସ୍ଥାପନ କରି ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ବିଜେପି ପ୍ରସଙ୍ଗକୁ ଏକ ଓଲଟା ମୋଡ଼ ଦେବାକୁ ଚେଷ୍ଟା କରୁଛି। ଜାନୁଆରି ୧୮ ତାରିଖରେ ସିଙ୍ଗୁରର ସିଙ୍ଗେର ଭେରି ମୌଜାରେ ମୋଦୀ ଏକ ରାଲିକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି। ବର୍ଷ ବର୍ଷ ଧରି ଫ୍ରିଜ୍ ହୋଇ ରହିଥିବା ଶିଳ୍ପ-ବନାମ ଜମି ବିତର୍କ ପୁନର୍ଜୀବିତ ହୋଇଛି। ଯଦି ବଙ୍ଗଳାରେ ବିଜେପି କ୍ଷମତାକୁ ଆସେ ତେବେ ଟାଟାକୁ ସିଙ୍ଗୁରକୁ ଫେରାଇ ଆଣିବ ବୋଲି ପ୍ରତିଶ୍ରୁତି ଦେଇଛି।

୩୦୦ ଏକର ଚାଷ ପାଇଁ ପୁନରୁଦ୍ଧାର

୨୦୦୮ରେ ଟାଟା ମୋଟର୍ସ ସିଙ୍ଗୁରରୁ ବାହାରିବା ପରଠାରୁ, ନାନୋ ପ୍ଲାଣ୍ଟ ପାଇଁ ଅଧିଗ୍ରହଣ କରାଯାଇଥିବା ପ୍ରାୟ ୧,୦୦୦ ଏକର ଜମିର ଏକ ବଡ଼ ଅଂଶ ପରିତ୍ୟକ୍ତ, ବୁଦା ଆଚ୍ଛାଦିତ ଓ ମୁଖ୍ୟତଃ ଚାଷ ଅନୁପଯୁକ୍ତ ହୋଇ ରହିଛି, ମାତ୍ର ୩୦୦ ଏକର ଚାଷ ପାଇଁ ପୁନରୁଦ୍ଧାର କରାଯାଇଛି। କୋଲକାତାସ୍ଥିତ ଇଂରାଜୀ ଦୈନିକ ‘ଦି ଟେଲିଗ୍ରାଫ୍) ଅନୁଯାୟୀ, କଂକ୍ରିଟ୍ ସଂରଚନା ଓ ଅସମ୍ପୂର୍ଣ୍ଣ ଭିତ୍ତିଭୂମି ଯୋଗୁଁ ଅଧିକାଂଶ ଜମି ଏକ ବନ୍ଧ୍ୟା ଅଞ୍ଚଳରେ ପରିଣତ ହୋଇଛି। ବିଜେପିର ଏକ ସୂତ୍ରରୁ ଜଣାପଡ଼ିଛି ଯେ, ପୂର୍ବରୁ ମମତାଙ୍କ ଆନ୍ଦୋଳନକୁ ସମର୍ଥନ କରିଥିବା ସିଙ୍ଗୁରର କୃଷକମାନଙ୍କୁ ଜାନୁଆରି ୧୮ରେ ମୋଦୀଙ୍କ ରାଲିରେ ଯୋଗଦେବା ପାଇଁ ନିମନ୍ତ୍ରଣ କରାଯାଇଛି। ସେହି ସିଙ୍ଗୁର କୃଷକମାନେ, ଯେଉଁମାନେ ବର୍ତ୍ତମାନ ସିଙ୍ଗୁରରେ ଶିଳ୍ପ ଚାହୁଛନ୍ତି, ସେମାନେ ରାଲିରେ ଆଗ ଧାଡିରେ ବସିବେ।

ଆହୁରି ପଢ଼ନ୍ତୁ: Iran Conflict: ଇରାନରେ ଭୟଙ୍କର ସ୍ଥିତି: ମରଶରୀର ରଖିବାକୁ ନାହିଁ ସ୍ଥାନ!

ନିର୍ବାଚନ ପ୍ରଚାରର ପ୍ରାରମ୍ଭିକ ଅଧ୍ୟାୟ

ବିଜେପି ପାଇଁ, ସିଙ୍ଗୁର ହେଉଛି ଏହାର ୨୦୨୬ ବିଧାନସଭା ନିର୍ବାଚନ ପ୍ରଚାରର ପ୍ରାରମ୍ଭିକ ଅଧ୍ୟାୟ। ଏହା ସିଙ୍ଗୁରକୁ ତୃଣମୂଳ କଂଗ୍ରେସର ଶାସନର ଅନ୍ତ ହେବ ବୋଲି ଦାବି କରିବାର ଆରମ୍ଭ ବିନ୍ଦୁ ଭାବରେ ଉପସ୍ଥାପନ କରୁଛି। ଟିଏମ୍‌ସି ପାଇଁ, ଏହା ଏକ ସଂଗ୍ରାମର ସ୍ମାରକ ଯାହା ଏହାକୁ କ୍ଷମତାକୁ ଆଣିଥିଲା। ମମତାଙ୍କ ପାଇଁ ଏହା ମଧ୍ୟ ଏକ ଚେତାବନୀ ଯେ ସିଙ୍ଗୁରକୁ ତାଙ୍କ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ ବିଜେପି ବ୍ୟବହାର କରିବାକୁ ଚାହୁଛି। ଏହି କାରଣରୁ, ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ଆଉ କିଛି ମାସ ବାକି ଥିବା ବେଳେ ସିଙ୍ଗୁର ଏକ ରାଜନୈତିକ ପ୍ରତୀକ ଓ ଯୁଦ୍ଧକ୍ଷେତ୍ରରେ ପରିଣତ ହୋଇଛି। ଏଥର ଏହା ହେଉଛି ଟିଏମ୍‌ସି ବନାମ ବିଜେପି ଲଢ଼େଇ। 

ଆହୁରି ପଢ଼ନ୍ତୁ: Nipah Virus Case: ନିପା ଭାଇରସ କେତେ ବିପଦପୂର୍ଣ୍ଣ, କେତେବେଳେ ଜୀବନ ବଞ୍ଚାଇବା କଷ୍ଟକର ହୋଇଯାଏ?