ବିଜେପିର ଆନ୍ଦୋଳନ ୭ରୁ

Advertisment
ବିଜେପିର ଆନ୍ଦୋଳନ ୭ରୁ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଚାଷ ଓ ଚାଷୀମାରଣ ନୀତିକୁ ଦୃଢ଼ ବିରୋଧ କରିଛି ବିଜେପି। ଏହି ପ୍ରସଙ୍ଗରେ ଦଳ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ। ଆସନ୍ତା ୭ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ୩୧୪ ବ୍ଲକରେ କୃଷକ ମୋର୍ଚା ନେୃତୃତ୍ୱରେ ବିଜେପି ବିକ୍ଷୋଭ ପ୍ରଦର୍ଶନ କରିବ। ବିଜେପି ବିଧାୟକ ଦଳର ନେତା କନକ ବର୍ଧନ ସିଂହଦେଓ ଏହି ସୂଚନା ଦେଇଛନ୍ତି।

ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସିଂହଦେଓ କହିଲେ, ବରଗଡ଼ର ଚାଷୀ ବୃନ୍ଦାବନ ସାହୁଙ୍କ ଆତ୍ମହତ୍ୟା ଶାସନ ପ୍ରଶାସନ ପ୍ରାୟୋଜନରେ ଘଟିଛି। ବୃନ୍ଦାବନ ପୋକ ଆକ୍ରମଣ ନେଇ ପ୍ରଶାସନ ପାଖରେ ନେହୁରା ହେଲେ । ଫଳ ନ ମିଳିବାରୁ ପ୍ରତିବାଦ ସ୍ୱରୂପ ଧାନ ବିଲରେ ନିଆଁ ଲଗାଇଲେ । ସମ୍ବେଦନହୀନ ସରକାର କୌଣସି ପଦକ୍ଷେପ ନ ନେବାରୁ ସେ ବିଷ ପିଇ ଆତ୍ମହତ୍ୟା କଲେ । ବୃନ୍ଦାବନଙ୍କ ମୃତ୍ୟୁ ପରେ କୃଷି ମନ୍ତ୍ରୀ ସମବେଦନା ଜଣାଇବା ବଦଳରେ ଧମକ ଭରା ସ୍ୱରରେ ପରିବାରକୁ ତାଗିଦ କଲେ । ଧାନ ବିଲ ପୋଡ଼ିଥିବା ଚାଷୀଙ୍କୁ କ୍ଷତିପୂରଣ ନ ମିଳିବାର ଧମକ ମଧ୍ୟ ଦେଲେ । ରାଜ୍ୟସ୍ତରୀୟ ବୈଷୟିକ କମିଟି ବୈଠକ ବସି ପାରିଲା ନାହିଁ କିମ୍ବା ରାଜ୍ୟ କୃଷି ଶିଳ୍ପ ନିଗମ ତତ୍ତ୍ୱାବଧାନରେ ସୁରଭି ଯୋଜନାରେ ଇନପୁଟ ସବ୍‌ସିଡି ଯୁକ୍ତ କୀଟନାଶକ କାହିଁକି ଯୋଗା ଯାଇ ପାରିଲା ନାହିଁ ବୋଲି ଶ୍ରୀ ସିଂହଦେଓ ପ୍ରଶ୍ନ କରିଛନ୍ତି ।

ସେ ଆହୁରି କହିଛନ୍ତି, ବିଶେଷ କୃଷି ବଜେଟର ଉପାଦେୟତା ଫସର ଫାଟି ଯାଇଛି। କୃଷି କ୍ୟାବିନେଟ୍‌ କୃଷକଙ୍କ ଦୁର୍ଦ୍ଦିନରେ ସହଯୋଗର ହାତ ନ ବଢାଇ ପାରି ଏହାର ପ୍ରାସଙ୍ଗିକତା ହରାଇଛି। ଜଳସେଚନ, କୃଷି ଋଣ, ଇନପୁଟ ସବ୍‌ସିଡି, ଫସଲ ବୀମା, ଉଚିତ ମୂଲ୍ୟରେ ଉତ୍ପାଦ କ୍ରୟ, ଉତ୍ପାଦନ ସଂରକ୍ଷଣ ପାଇଁ ବ୍ୟବସ୍ଥା ସବୁଥିରେ କୃଷି ସ୍ୱାର୍ଥକୁ ରକ୍ଷା କରିବାରେ  ବିଫଳତା  ରାଜ୍ୟ ସରକାରଙ୍କର ସ୍ଥାଣୁତା ଓ ଅପାରଗତାର ପ୍ରମାଣ। ସରକାରଙ୍କ ଏପରି ଆଭିମୁଖ୍ୟ ବିରୋଧରେ ବିଜେପିର ପ୍ରତିବାଦ ଜାରି ରହିବ ବୋଲି ଶ୍ରୀ ସିଂହଦେଓ କହିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ନେତ୍ରୀ ସୁରମା ପାଢୀ, ରାଜ୍ୟ ମୁଖପାତ୍ର ସଜ୍ଜନ ଶର୍ମା ଓ ଦିଲୀପ ମହାନ୍ତି, ରାଜ୍ୟ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର, କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶିବାଜୀ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe