ମୁଖ୍ୟମନ୍ତ୍ରୀଙ୍କ ‘ଆଦର୍ଶ ପୁରସ୍କାର’ ମହାକାଳ ଫଳ ସଦୃଶ: ବିଜେପି

Advertisment
ମୁଖ୍ୟମନ୍ତ୍ରୀଙ୍କ ‘ଆଦର୍ଶ ପୁରସ୍କାର’ ମହାକାଳ ଫଳ ସଦୃଶ: ବିଜେପି

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ଆଦର୍ଶ ମୁଖ୍ୟମନ୍ତ୍ରୀ’ ପୁରସ୍କାର ପାଇବା ଘଟଣାକୁ ସମାଲୋଚନା କରିଛି ବିଜେପି। ଏହି ପୁରସ୍କାର ମହାକାଳ ଫଳ ସଦୃଶ ବୋଲି ଦଳ ଆକ୍ଷେପ କରିଛି। ଦଳ ପକ୍ଷରୁ ଅଭିଯୋଗ ହୋଇଛି, ମୁଖ୍ୟମନ୍ତ୍ରୀ ପୁରସ୍କାର ଯୋଗାଡ଼ କରିବାରେ ମାହିର। ପ୍ରଥମେ ଆଉଟ୍‌ଲୁକ୍‌ ପକ୍ଷରୁ ଶ୍ରେଷ୍ଠ ପୁରସ୍କାର ପାଇଲେ। ଏବେ ପୁନେ ଏମ୍‌ଆଇଟି ପକ୍ଷରୁ ଆଦର୍ଶ ମୁଖ୍ୟମନ୍ତ୍ରୀ ପୁରସ୍କାର। ବିଜେଡିର ଲୋକପ୍ରିୟତା କମିବାରୁ ଏମିତି ପୁରସ୍କାର ଯୋଗାଡ଼ କରି ରାଜ୍ୟ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିଜ୍ଞାପନ ମାଧ୍ୟମରେ ନିଜର ଆତ୍ମପ୍ରଚାର କରୁଛନ୍ତି।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ କହିଲେ, ଆଉଟ୍‌ଲୁକ୍‌ ପୁରସ୍କାର ପାଇବା ପରେ ମୁଖ୍ୟମନ୍ତ୍ରୀ ବହୁ ଟଙ୍କା ଖର୍ଚ୍ଚ କରି ସେ ପତ୍ରିକାକୁ କିଣି ଲୋକଙ୍କୁ ବାଣ୍ଟିଥିଲେ। କୋଟି କୋଟି ଟଙ୍କା ଖର୍ଚ୍ଚ କରି ନିଜ ଆତ୍ମପ୍ରଚାର କରିଥିଲେ। ରାଜ୍ୟରେ ଏମିତି ଅନେକ କଲେଜ ରହିଛି, ଯେଉଁମାନେ କି ପ୍ରତି ବର୍ଷ ବାହାରୁ କିଛି ରାଜନେତାଙ୍କୁ ଡାକି ପୁରସ୍କାର ଦେଇଥା’ନ୍ତି। ଠିକ୍‌ ସେହିପରି ପୁନେର ଏହି ଏମ୍‌ଆଇଟି କଲେଜରୁ ମଧ୍ୟ ମୁଖ୍ୟମନ୍ତ୍ରୀ ଆଦର୍ଶ ପ୍ରମାଣପତ୍ର ଯୋଗାଡ଼ କରି ଆତ୍ମପ୍ରଚାର କରୁଛନ୍ତି। କିନ୍ତୁ ବାସ୍ତବରେ ତାଙ୍କ ଆଦର୍ଶ କ’ଣ, ତାହା ତାଙ୍କ ଦଳର ନେତାମାନେ ହିଁ ପ୍ରମାଣିତ କରିଛନ୍ତି। ରାଜ୍ୟରେ ଶିଳ୍ପ, କୃଷି, ଶିକ୍ଷା, ସ୍ୱାସ୍ଥ୍ୟ ସବୁ ବିପର୍ଯ୍ୟସ୍ତ ହୋଇଛି। ‘ଆଦର୍ଶ ମୁଖ୍ୟମନ୍ତ୍ରୀ’ ସମ୍ମାନ କେବଳ ଏକ ପ୍ରହସନ ମାତ୍ର। ସାମ୍ବାଦିକ ସମ୍ମିଳନୀରେ ବିଜେପି ଉପସଭାପତି ସମୀର ମହାନ୍ତି ଓ ମୁଖପାତ୍ର ସଜ୍ଜନ ଶର୍ମା ଉପସ୍ଥିତ ଥିଲେ।

ରାଜନୈତିକ ଅଭିସନ୍ଧି ରଖି ସମାଲୋଚନା: ବିଜେଡି

ଭୁବନେଶ୍ୱର : ନବୀନ ପଟ୍ଟନାୟକଙ୍କୁ ‘ଆଦର୍ଶ ମୁଖ୍ୟମନ୍ତ୍ରୀ’ ସମ୍ମାନ ମିଳିବା ନେଇ ବିଜେପିର ସମାଲୋଚନା ପରେ ତାହାର ଜବାବ ଦେଇଛି ବିଜେଡି। ଦଳର ରାଜ୍ୟ ସମ୍ପାଦକ ବିଜୟ ନାୟକ କହିଛନ୍ତି, ନବୀନ ପଟ୍ଟନାୟକ ଜଣେ ସ୍ୱଚ୍ଛ ରାଜନେତା ହୋଇଥିବାରୁ ତାଙ୍କୁ ଆଦର୍ଶ ମୁଖ୍ୟମନ୍ତ୍ରୀ ଭାବେ ଓଡ଼ିଶା ବାହାରର ଏକ ପ୍ରତିଷ୍ଠିତ ଅନୁଷ୍ଠାନ ସମ୍ମାନିତ କରିଛନ୍ତି। ଏହା ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଗର୍ବ ଓ ଗୌରବର କଥା। କିନ୍ତୁ ଏଥିରେ ରାଜନୈତିକ ଅଭିସନ୍ଧି ରଖି ରାଜ୍ୟ ବିଜେପି ପ୍ରବକ୍ତା ବିବୃତି ରଖିବା ନିନ୍ଦନୀୟ। ପୁନେରେ ନବୀନ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରି ବରିଷ୍ଠ ବିଜେପି ନେତା ମୁରଲୀ ମନୋହର ଯୋଶୀ ତାଙ୍କ ବକ୍ତବ୍ୟରେ ନବୀନ ବାବୁଙ୍କ ସରଳତା, କାର୍ଯ୍ୟଦକ୍ଷତାକୁ ପ୍ରଶଂସା କରି ୨୦୧୯ରେ ସେ ଆଉ ଥରେ ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବୋଲି କହିଥିଲେ। ସମ୍ଭବତଃ ବିଜେପି ଏହାକୁ ହଜମ କରିପାରୁ ନାହିଁ। ନବୀନଙ୍କୁ ସମାଲୋଚନା କରି ବିଜେପି ନେତା ହୀନମନ୍ୟତାର ପରିଚୟ ଦେଉଛନ୍ତି ବୋଲି ଶ୍ରୀ ନାୟକ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe