ନୂଆ ଭୋଟର୍‌ଙ୍କୁ ବିଜେପିର ଟାର୍ଗେଟ୍‌

Advertisment

ବରିଷ୍ଠ ନେତାମାନେ ପ୍ରସ୍ତୁତ କଲେ ରଣନୀତି

ବରିଷ୍ଠ ନେତାମାନେ ପ୍ରସ୍ତୁତ କଲେ ରଣନୀତି

ନୂଆ ଭୋଟର୍‌ଙ୍କୁ ବିଜେପିର ଟାର୍ଗେଟ୍‌

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମରେ ନୂଆ ଭୋଟର୍‌ମାନଙ୍କ କଥା କହିଥିଲେ। ଏହି ନୂଆ ଭୋଟର୍‌ଙ୍କୁ ଟାର୍ଗେଟ୍‌ କରି ବିଜେପି ତା’ର ରଣନୀତି ଆରମ୍ଭ କରିଛି। ଆଜି ଦଳୀୟ କାର୍ଯ୍ୟାଳୟରେ ଦୁଇ କେନ୍ଦ୍ର ମନ୍ତ୍ରୀ, ରାଜ୍ୟ ପ୍ରଭାରୀଙ୍କ ସମେତ ବରିଷ୍ଠ ନେତାମାନେ ବସି ଏ ନେଇ ମାନସ ମନ୍ଥନ କରିଛନ୍ତି। ୨୦୧୮ ସୁଦ୍ଧା ନୂଆ ଭୋଟର୍‌ମାନଙ୍କୁ ନୂଆ ଓଡ଼ିଶା ଗଠନରେ ସହଯୋଗ କରିବା ପାଇଁ ସଚେତନତା ସୃଷ୍ଟି କରାଯିବା ଉପରେ ଗୁରୁତ୍ୱାରୋପ କରାଯାଇଛି। ଏହା ସହ ଚାଷ ଓ ଚାଷୀ ସମସ୍ୟା, ରାଜନୈତିକ ହିଂସା ଓ ବିପର୍ଯ୍ୟସ୍ତ ଆଇନ୍‌ଶୃଙ୍ଖଳା ପରିସ୍ଥିତି ଉପରେ ମଧ୍ୟ ଆଲୋଚନା ହୋଇଥିଲା।

ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର କହିଲେ, ଚଳିତ ବର୍ଷ ପଞ୍ଜୀକରଣ କରୁଥିବା ଭୋଟର୍‌ମାନଙ୍କୁ ଏ ଶତାବ୍ଦୀର ଭୋଟର୍‌ ଭାବେ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି। ୨୦୨୨ରେ ସ୍ୱାଧୀନତା ପ୍ରାପ୍ତିର ୭୫ ବର୍ଷ ପୂର୍ତ୍ତିରେ ସେମାନେ ନୂଆ ଭାରତ ଗଠନରେ ବିକାଶର ସିପାହୀ ଭାବେ କାର୍ଯ୍ୟ କରିବେ ବୋଲି ସେ ଆଶାପ୍ରକଟ କରିଛନ୍ତି। ଏହି ଭୋଟର୍‌ମାନଙ୍କୁ ରାଜ୍ୟ ବିଜେପି ସ୍ୱାଗତ କରିବ। ଏହା ସହ ସେମାନଙ୍କୁ ରାଜ୍ୟର ବିକାଶରେ ସାମିଲ୍‌ କରିବା ପାଇଁ ଆସନ୍ତା ୧୨ ତାରିଖ ସ୍ୱାମୀ ବିବେକାନନ୍ଦ ଜୟନ୍ତୀରୁ ଏପ୍ରିଲ୍‌ ୧୪ ସମ୍ବିଧାନ ପ୍ରଣେତା ବି ଆର୍‌ ଆମ୍ବେଦକରଙ୍କ ଜୟନ୍ତୀ ପର୍ଯ୍ୟନ୍ତ ବିଜେପି ଯୁବମୋର୍ଚ୍ଚା ନେତୃତ୍ୱରେ ସ୍ୱତନ୍ତ୍ର ଅଭିଯାନ କରାଯିବ।

ରାଜ୍ୟରେ ମରୁଡ଼ି, ଚକଡ଼ା ପୋକ ଓ ଅଦିନିଆ ବର୍ଷାରେ ଶହ ଶହ ଏକର ଜମି ନଷ୍ଟ ହୋଇଥିଲା ବେଳେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଠିକ୍‌ କ୍ଷତିପୂରଣ ମିଳି ନାହିଁ। ଅନ୍ୟ ପଟେ ରାଜ୍ୟ ସରକାର ଠିକ୍‌ ସମୟରେ ଚାଷୀଙ୍କ ଠାରୁ ଧାନ ସଂଗ୍ରହ କରିପାରୁ ନାହାନ୍ତି। କେନ୍ଦ୍ର ସରକାର ଯେତିକି ଏମ୍‌ଏସ୍‌ପି ବୃଦ୍ଧି କରିଛନ୍ତି, ତାହା ଠାରୁ କମ୍‌ ମୂଲ୍ୟରେ ଧାନ ସଂଗ୍ରହ କରାଯାଉଛି। ସେହିପରି ବିଜେପୁର ଉପନିର୍ବାଚନ ପୂର୍ବରୁ ହିଂସା ଦେଖିବାକୁ ମିଳିଛି। ଶାସକ ବିଜେଡି ରକ୍ତମୁଖା ହୋଇ ବିଜେପି କର୍ମୀଙ୍କ ଘରକୁ ଗୁଳିମାଡ଼ କରିଛି। ଗଣତନ୍ତ୍ରରେ ହିିଂସାର ସ୍ଥାନ ନାହିଁ। କିନ୍ତୁ ରାଜ୍ୟର ବିଭିନ ସ୍ଥାନରେ ବିଜେଡି ପ୍ରରୋଚନାରେ ରାଜନୈତିକ ହିଂସାକାଣ୍ଡ ଜାରି ରହିଛି। କେନ୍ଦ୍ର ମନ୍ତ୍ରୀଙ୍କ ଉପରକୁ ବି ଆକ୍ରମଣ କରାଯାଉଛି। ସବୁ ଘଟଣାରେ ପୁଲିସ୍‌ ଅସହାୟ ହୋଇପଡ଼ୁଛି। ଏସବୁ ଘଟଣାରେ ବିଜେପି ଆନ୍ଦୋଳନ ଜୋର୍‌ଦାର୍‌ କରିବ ବୋଲି ନିଷ୍ପତ୍ତି ହୋଇଛି।

ଆଜିର ବୈଠକରେ ଦୁଇ କେନ୍ଦ୍ର ମନ୍ତ୍ରୀ ଜୁଏଲ୍‌ ଓରାମ ଓ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ପ୍ରଭାରୀ ଅରୁଣ ସିଂହ, ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ, ରାଷ୍ଟ୍ରୀୟ ସମ୍ପାଦକ ସୁରେଶ ପୂଜାରୀ, ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ସାଧାରଣ ସମ୍ପାଦକ(ସଂଗଠନ) ଶାରଦା ପ୍ରସାଦ ଶତପଥୀଙ୍କ ବହୁ ବରିଷ୍ଠ ନେତା, ଜିଲ୍ଲା ସଭାପତି ଓ ଜିଲ୍ଲା ପ୍ରଭାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe