ବିଜେଡି କାହିଁକି ଉତ୍‌କ୍ଷିପ୍ତ ହେଉଛି: ବିଜେପି

Advertisment

ପାଣ୍ଡିଆନଙ୍କ ଘରେ ବିଜେପି ଯୁବକର୍ମୀଙ୍କ ବିକ୍ଷୋଭ

ପାଣ୍ଡିଆନଙ୍କ ଘରେ ବିଜେପି ଯୁବକର୍ମୀଙ୍କ ବିକ୍ଷୋଭ

ବିଜେଡି କାହିଁକି ଉତ୍‌କ୍ଷିପ୍ତ ହେଉଛି: ବିଜେପି

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କାର୍ତ୍ତିକେୟନ ପାଣ୍ଡିଆନଙ୍କ ଘରେ ପଶି ବିଜେପି ଯୁବକର୍ମୀମାନେ ଭଙ୍ଗାରୁଜା କରିବା ଘଟଣାକୁ ବିଜେଡି ପ୍ରତିବାଦ କରିଛି। କିନ୍ତୁ ବିଜେଡିର ଏହି ପ୍ରତିବାଦ ନେଇ ବିଜେପି ପ୍ରଶ୍ନ ଉଠାଇଛି। ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି କହିଛନ୍ତି ଯେ, ବିଜେପି ଯୁବକର୍ମୀଙ୍କ ଗଣତାନ୍ତ୍ରିକ ପ୍ରତିବାଦରେ ବିଜେଡି କାହିଁକି ଏତେ ଉତକ୍ଷିପ୍ତ ହେଉଛି?

ଓଏଏସ୍‌ ଓ ଓଆରଏସ୍‌ମାନଙ୍କୁ ଆକ୍ରମଣ ହେଉଥିବା ନେଇ ଖୋଦ୍‌ ରାଜସ୍ୱ ସଚିବ ଚନ୍ଦ୍ରଶେଖର କୁମାର ଗତ ଜାନୁଆରି ୨୭ତାରିଖରେ ପୁଲିସ ଡିଜିଙ୍କୁ ଚିଠି ଲେଖିଥିଲେ ହେଁ ଏଦିଗରେ ବିଜେଡି କର୍ମୀମାନେ ପ୍ରତିବାଦ କରିପାରୁନାହାନ୍ତି। ଆରଟିଓଙ୍କୁ ଗାଡ଼ି ଚଢ଼ାଇ ହତ୍ୟା କରାଗଲା। ସେଠାରେ ବିଜେଡି କର୍ମୀ ପ୍ରତିବାଦ କରୁନାହାନ୍ତି। ଅଥଚ ମୁଖ୍ୟମନ୍ତ୍ରୀଙ୍କ ସଚିବଙ୍କ ଘର ସାମ୍ନାରେ ଗଣତାନ୍ତ୍ରିକ ପ୍ରତିବାଦକୁ କଡ଼ା ଶବ୍ଦରେ ନିନ୍ଦା କରାଯାଉଛି। ରାଜସ୍ୱ ବିଭାଗ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଅଧିକାରୀମାନଙ୍କୁ ଆକ୍ରମଣ କରୁଥିବା ସରକାରୀ ଦଳର ନେତା ଓ ମନ୍ତ୍ରୀମାନଙ୍କ ମାମଲାରେ ନିରବ ରହିବା ବିଜେଡିର ଦୋମୁହାଁ ନୀତି ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ବିଜେପି ପ୍ରଶ୍ନ କରିଛିି ଯେ, ପାଣ୍ଡିଆନଙ୍କ ଘର ସମ୍ମୁଖରେ ବିଜେପିର ବିକ୍ଷୋଭ ପରେ ପୁଲିସ କମିସନର, ଡିସିପି, ବିଏମ୍‌ସି ମେୟର ପ୍ରମୁଖ ତତ୍‌କ୍ଷଣାତ ପହଞ୍ଚିଯାଉଛନ୍ତି। କିନ୍ତୁ କୁନ୍ଦୁଲି ପୀଡ଼ିତାଙ୍କ ଘରେ ଓ ମୁଖ୍ୟମନ୍ତ୍ରୀଙ୍କ ସଭାରେ ବିଜେଡି କର୍ମୀ ବିବସ୍ତ୍ର କରିଥିବା ମହିଳାଙ୍କୁ ସମବେଦନା ଜଣାଇବାକୁ କିଏ ଯାଇଛି? ପାଣ୍ଡିଆନ ସରକାରୀ ପଦବିର ଅପବ୍ୟବହାର କରି ବିଜେଡିର ରାଜନୈତିକ ସ୍ୱାର୍ଥ ପାଇଁ କାମ କରୁଛନ୍ତି। ତାଙ୍କ ଘର ସାମ୍ନାରେ ଗଣତାନ୍ତ୍ରିକ ବିକ୍ଷୋଭ କଲେ ବିଜେଡିର ହୃତପିଣ୍ଡ ଉପରେ ଆକ୍ରମଣ ହେବା ପରି ବିଜେଡିକୁ ଲାଗୁଛି। ଆଜି ଦଳ ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେପିର ରାଜ୍ୟ ମୁଖପାତ୍ର ସଜ୍ଜନ ଶର୍ମା, ଦିଲ୍ଲୀପ ମହାନ୍ତି, ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe