ଭୁବନେଶ୍ୱର: ସିସୋର ଚିଟ୍ ଫଣ୍ଡ ଲିଙ୍କ ନେଇ କଟକ-ଚୌଦ୍ୱାର ବିଧାୟକ ପ୍ରଭାତ ବିଶ୍ୱାଲଙ୍କୁ ଗିରଫ କରାଯିବା ପରେ ରାଜ୍ୟ ବିଜେଡି କାର୍ଯ୍ୟାଳୟରେ ମଙ୍ଗଳବାର ସାମ୍ବାଦିକ ସମ୍ମିଳନୀର ଅୟୋଜନ ହୋଇଛି। ସାମ୍ବାଦିକ ସମ୍ମିଳନୀରେ ବିଜେଡି ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ସୁପ୍ରିମକୋର୍ଟ ଆଦେଶ ଅନୁସାରେ ଓଡ଼ିଶା ସରକାର ସିବିଆଇକୁ ଆବଶ୍ୟକ ସହଯୋଗ କରିଛି। ସିବିଆଇ ୩ବର୍ଷ ହେଲା ମାମଲାର ତଦନ୍ତ କରୁଛି। ଏପର୍ଯ୍ୟନ୍ତ ୧୮ଟି ମାମଲାର ତଦନ୍ତ ସରିଛି। ଆହୁରି କିଛି ମାମଲାର ତଦନ୍ତ ଚାଲିଛି। ପ୍ରଭାତ ସମସ୍ତ ପ୍ରଶ୍ନର ଉତ୍ତର ଦେଇ ସାରିଛନ୍ତି।
/sambad/media/post_attachments/wp-content/uploads/2017/09/prabhat-300x200.jpg)
ପ୍ରଭାତଙ୍କୁ ଗିରଫ କରିବାରେ ରାଜନୈତିକ ଷଡ଼ଯନ୍ତ୍ର ରହିଛି ବୋଲି ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ଶ୍ରୀ ଆଚାର୍ଯ୍ୟ। ସେ କହିଛନ୍ତି, ନିକଟରେ ଭାରତୀୟ ଜନତା ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭୁବନେଶ୍ୱରରେ ଅନୁଷ୍ଠିତ ଏକ ଦଳୀୟ ସମାରୋହରେ କହିଥିଲେ, ଗୋଟିଏ ପରେ ଗୋଟିଏ ବିଜେଡ଼ି ନେତା ଜେଲ ଯିବେ। ଏଭଳି ସ୍ଥିତିରେ ସିବିଆଇ ପ୍ରଭାତଙ୍କୁ ଗିରଫ କରିଛି।
ଓଡ଼ିଶାର ସ୍ୱାର୍ଥ ପାଇଁ ବିଜେଡି ସଂଗ୍ରାମ ଜାରି ରଖିଥିବା ବେଳେ, ରାଜନୈତିକ ପ୍ରତିଶୋଧ ଓ କ୍ଷମତା ହାସଲ ପାଇଁ ବିଜେପି ଚେଷ୍ଟା କରୁଛି ବୋଲି ଶ୍ରୀ ବିଶ୍ୱାଲ କହିଛନ୍ତି। ମହନଦୀ ବିବାଦ ଓ ପେଟ୍ରୋଲ ଦର ବୃଦ୍ଧି ନେଇ କେନ୍ଦ୍ର ସରକାର ବିରୋଧରେ ବିଜେଡି ସ୍ୱର ଉତ୍ତୋଳନ କରୁଛି। ଗୁଜୁରାଟରେ ରାଜ୍ୟସଭା ନିର୍ବାଚନ ର୍ପୂବରୁ କଂଗ୍ରେସ ବିଧାୟକମାନେ ଯେତେବେଳେ ବେଙ୍ଗାଲୁରୁର ଏକ ହୋଟେଲରେ ରହୁଥିଲେ, ସିବିଆଇ ଚଢ଼ାଉ କରିଥିଲା। ବିଜେପି କଳ-ବଳ-ଛଳ ବ୍ୟବହାର କରୁଛି ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି। ସେ ଗଣମାଧ୍ୟମର ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି, ପ୍ରଭାତ ବିଶ୍ୱାଳଙ୍କ ପାଖରେ ଦଳ ଅଛି ଓ ରହିବ।
Follow Us