photo by : New Indian Express
ଭୁବନେଶ୍ୱର : ଆସନ୍ତାକାଲି ସକାଳେ ରାଜ୍ୟର ୪ଟି ଲୋକସଭା ନିର୍ବାଚନ ମଣ୍ଡଳୀ ଏବଂ ଏଥି ଅନ୍ତର୍ଗତ ୨୮ଟି ବିଧାନସଭା କ୍ଷେତ୍ରରେ ମତଦାନ ସକାଳ ୭ଟାରୁ ଆରମ୍ଭ ହେବ। ତେଣୁ ଆଜି ରାତିଟି ସବୁ ପ୍ରାର୍ଥୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ଶେଷ ମୁହୂର୍ତ୍ତରେ ଭୋଟରମାନଙ୍କୁ ମନେଇବା ପାଇଁ ଅଧିକାଂଶ ପ୍ରାର୍ଥୀଙ୍କ ପକ୍ଷରୁ ଅତ୍ୟନ୍ତ ଗୋନୀୟତାର ସହିତ ପ୍ରାଣମୂର୍ଚ୍ଛା ଉଦ୍ୟମ ଆରମ୍ଭ ହୋଇଯାଇଥିବା ଜଣାଯାଇଛି।
ଗତକାଲି ସଂଧ୍ୟାଠାରୁ ପ୍ରଚାର ବନ୍ଦ କରାଯାଇଥିବା ବେଳେ ପ୍ରାର୍ଥୀମାନଙ୍କୁ ଅନୌପଚାରିକ ଭାବରେ ଭୋଟରଙ୍କୁ ଭେଟିବାର କୌଣସି ବାଧା ନାହିଁ। ତେଣୁ ପ୍ରାର୍ଥୀମାନେ କଳେ ବଳେ କୌଶଳେ ଭୋଟରମାନଙ୍କୁ ନିଜ ନିଜ ସପକ୍ଷରେ ଆଣିବା ପାଇଁ ଉଦ୍ୟମ ଚଳାଇଛନ୍ତି।
ଏକ ପ୍ରମୁଖ ଦଳର ନିର୍ବାଚନ ମ୍ୟାନେଜର୍ ନିଜର ନାମ ଗୋପନ ରଖିବାକୁ ଅନୁରୋଧ କରି କହିଛନ୍ତି, ‘‘ଆଜ୍ଞା ଏଇଟା ଖୋଲା କଥା, ସମସ୍ତଙ୍କୁ ଜଣା। ନିର୍ବାଚନ ପୂର୍ବ ରାତିରେ ପ୍ରାର୍ଥୀ ଓ ତାଙ୍କର ସମର୍ଥକମାନେ ବିଭିନ୍ନ ଅଂଚଳକୁ ଅନ୍ଧାରୀ ବିଜେ କରନ୍ତି । ନୋଟ୍ ବଣ୍ଟା ଯିବା ସାଂଗକୁ ମଦ-ମାସର ସୁଅ ବି ଛୁଟେ। ’’
The South Indian Postରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ୧ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଓ ୨ କୋଟି ଟଙ୍କା ମୂଲ୍ୟର ଚୋରା ମଦ ଜବତ ହୋଇଥିବା ବିଷୟ ଗତକାଲି ସାମ୍ବାଦିକମାନଙ୍କୁ କହିଥିଲେ। ଆଜି ରାଉରକେଲାର ବିସ୍ରା ଅଂଚଳରେ ଗୋଟିଏ ଦାମୀ ଗାଡ଼ି ଧରାପଡ଼ିବା ପୂର୍ବରୁ ୨୭.୪୯ ଲକ୍ଷ ଟଙ୍କା ଫୋପାଡ଼ି ଦେଇ ଯାଇଥିବାର ଖବର ମିଳିଛି। ରାଜ୍ୟର ଅନ୍ୟ ଅଞ୍ଚଳରୁ ମଧ୍ୟ ଟଙ୍କା ଜବତ ହେବା ଖବର ଆସିବାରେ ଲାଗିଛି। ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି, ୫୦,୦୦୦ରୁ ଅଧିକ ଟଙ୍କା ନେଇ ଯାଉଥିବା ବ୍ୟକ୍ତିଙ୍କୁ ଧରି ପଚରାଉଚରା କରାଯିବ।
ଆସନ୍ତାକାଲି ମୁଖ୍ୟତଃ ଆଦିବାସୀ ଅଧ୍ୟୁଷିତ ଅଂଚଳରେ ଭୋଟଗ୍ରହଣ ହେଉଥିବାରୁ ଭୋଟରମାନଙ୍କୁ ଆକୃଷ୍ଟ କରିବା ଲାଗି ଆଜି ରାତିରେ ଘରେ ଘରେ ମଦ ବଣ୍ଟାଯିବ ବୋଲି ଏକ ପ୍ରମୁଖ ଦଳର ପ୍ରାର୍ଥୀଙ୍କର ଜଣେ ପ୍ରଚାରକ କହିଛନ୍ତି। ସାଧାରଣତଃ ଆଦିବାସୀମାନେ ଦେଶୀମଦ ପିଇବାକୁ ଭଲ ପାଆନ୍ତି। ସେଥିପାଇଁ ଆଜି ରାତିରେ ଦେଶୀ ମଦ ଓ ମହୁଲି ମଦର ସୁଅ ଛୁଟିବାର ଆଶଙ୍କା ରହିଛି। ସେଥିପାଇଁ ପ୍ରାର୍ଥୀ ଓ ପ୍ରତିଦ୍ୱନ୍ଦୀଙ୍କ ମଧ୍ୟରେ ଛକାପଞ୍ଝା ଲାଗି ରହିବ। ଏଥିପାଇଁ ଉତ୍ତେଜନା ସୃଷ୍ଟି ହେବାର ଆଶଙ୍କା ଥିବାରୁ ପୋଲିସ ପକ୍ଷରୁ ବ୍ୟାପକ ସତର୍କତାମୂଳକ ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି।
Follow Us