ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବଙ୍କ ନିଲମ୍ବନ ଦାବି କଲା କଂଗ୍ରେସ

Advertisment
ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବଙ୍କ ନିଲମ୍ବନ ଦାବି କଲା କଂଗ୍ରେସ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀମାନେ ବିଜେଡିର ଦଳୀୟ ରାଜନୀତି କାର୍ଯ୍ୟରେ ନିୟୋଜିତ ହେଉଛନ୍ତି ବୋଲି ଅଭିଯୋଗ କରିଛି କଂଗ୍ରେସ। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ମିଡିଆ ସେଲ୍‌ ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ କହିଲେ, ମୁଖ୍ୟମନ୍ତ୍ରୀ ଓ ତାଙ୍କର ଅତିରିକ୍ତ ସଚିବ ପ୍ରଦୀପ୍ତ ମହାପାତ୍ର ପ୍ରଶାସନିକ ଆଚାର ସଂହିତା ଉଲ୍ଲଂଘନ କରିଥିବା ଓ ସରକାରୀ କାର୍ଯ୍ୟକ୍ରମରେ ବିଜେଡି ପ୍ରତି ପକ୍ଷପାତିତା ଓ ଅନୁଗ୍ରହ ପ୍ରଦର୍ଶନ କରିଛନ୍ତି। ଗତ ୭ ତାରିଖରେ ଶ୍ରୀ ମହାପାତ୍ର କେନ୍ଦ୍ରାପଡ଼ା ଓ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି। ଏହି ଚିଠିର ନକଲ କେନ୍ଦ୍ରାପଡ଼ା ଜିଲ୍ଲା ଏସ୍‌ପିଙ୍କୁ ଦିଆଯାଇଛି। ଏଥିରେ ୮ ତାରିଖରେ ହୋଇଥିବା ମହାକାଳପଡ଼ା ବ୍ଲକ୍ ‌ସରୁମୋହି ଠାରେ ମେଗା ପାଇପ ଜଳ ଯୋଗାଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନରେ ମୁଖ୍ୟମନ୍ତ୍ରୀଙ୍କ ଯୋଗଦାନ ଓ ଗସ୍ତ ସମ୍ପର୍କରେ ସୂଚନା ଦିଆଯାଇଛି। ଶ୍ରୀ ମହାପାତ୍ର କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କୁ ଲେଖିଥିବା ଚିଠିରେ ଜିଲ୍ଲାର ସମସ୍ତ ବିଜେଡି ପଦାଧିକାରୀ ନେତାଙ୍କୁ ନିମନ୍ତ୍ରଣ କରିବାକୁ ଲିଖିତ ନିର୍ଦ୍ଦେଶ ଦେଇଛନ୍ତି। ଏହି ଘଟଣା ସ୍ପଷ୍ଟ କରୁଛି ଯେ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରର ଅଧିକାରୀମାନେ ଶାସନ କଳକୁ ବିଜେଡିର ଫାଇଦା ପାଇଁ ବ୍ୟବହାର କରୁଛନ୍ତି। ଶ୍ରୀ ମହାପାତ୍ରଙ୍କ ଏପରି କାର୍ଯ୍ୟ ଅଲ୍ ଇଣ୍ଡିଆ ସର୍ଭିସ୍ କଣ୍ଡକ୍ଟ ରୁଲ୍, ୧୯୬୮ର ଖୋଲା ଉଲ୍ଲଂଘନ କରୁଛି। ତେଣୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କେନ୍ଦ୍ର କାର୍ମିକ ଓ ପ୍ରଶିକ୍ଷଣ ବିଭାଗ ନିକଟରେ କଂଗ୍ରେସ ଅଭିଯୋଗ କରିବ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ନିରପେକ୍ଷତା ଅବଲମ୍ବନ କରୁ ନ ଥିବାରୁ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିବା ସହ ଶ୍ରୀ ମହାପାତ୍ରଙ୍କୁ ତୁରନ୍ତ ନିଲମ୍ବନ କରିବାକୁ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe