Image Courtesy of India Today
ମୁମ୍ବାଇ: ଆଗାମୀ ରାଷ୍ଟ୍ରପତି ନିର୍ବାଚନରେ ‘ଏନ୍ଡିଏ’ ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେବା ପାଇଁ ଶିବସେନା ନେତା ଉଦ୍ଧବ ଠାକ୍ରେ ନିଷ୍ପତ୍ତି ନେବାର ଦିନକ ପରେ ‘ମହା ବିକାଶ ଅଘାଡ଼ି’ ମେଣ୍ଟର ଅନ୍ୟତମ ଭାଗୀଦାର କଂଗ୍ରେସ ପାର୍ଟି ପ୍ରତିକ୍ରିୟା ବ୍ୟକ୍ତ କରିଛି।
ଦ୍ରୌପଦୀ ମୁର୍ମୁଙ୍କୁ ଶିବସେନା ସମର୍ଥନ କରୁଥିବା ଜାଣିବା ପରେ ମହାରାଷ୍ଟ୍ରର ବରିଷ୍ଠ କଂଗ୍ରେସ ନେତା ବାଲାସାହେବ ଠୋରାଟ୍ ଗଭୀର ଚିନ୍ତା ପ୍ରକଟ କରିଛନ୍ତି। ଟୁଇଟ୍ କରି ସେ ଏବେ ମଧ୍ୟ ‘ମହା ବିକାଶ ଅଘାଡ଼ି’ ମେଣ୍ଟର୍ ସଦସ୍ୟ ଥିବା ଶିବସେନା ଗୋଷ୍ଠୀ (ଉଦ୍ଧବ ଗୋଷ୍ଠୀ) ପ୍ରତି ସନ୍ଦେହ ପ୍ରକାଶ କରିଛନ୍ତି। ଟୁଇଟ୍ରେ ସେ ଲେଖିଛନ୍ତି: ରାଷ୍ଟ୍ରପତି ନିର୍ବାଚନ ହେଉଛି ଆଦର୍ଶଗତ ପ୍ରତିଦ୍ବନ୍ଦ୍ବିତା। ଗଣତନ୍ତ୍ର ଏବଂ ସମ୍ବିଧାନ ପ୍ରତିରକ୍ଷା ନିମନ୍ତେ ଏହା ଗୋଟାଏ ଚଳନ୍ତି ସଂଗ୍ରାମ। ଏଥିରେ ନାରୀ ବନାମ ପୁରୁଷ କି, ଜନଜାତି ବନାମ ଅଣ-ଜନଜାତିର କଥା ଉଠୁନାହିଁ।
Image Courtesy of Zee Newsଯେଉଁମାନେ ସମ୍ବିଧାନ ଏବଂ ଗଣତନ୍ତ୍ର ସୁରକ୍ଷା ସପକ୍ଷରେ ଅଛନ୍ତି ସେମାନେ ଯଶବନ୍ତ ସିହ୍ନାଙ୍କୁ ସମର୍ଥନ କରୁଛନ୍ତି। ଶିବସେନା ଦ୍ରୌପଦୀ ମୁର୍ମୁଙ୍କୁ କାହିଁକି ସମର୍ଥନ କଲା? ସେମାନେ ତାହାର କାରଣ ଦର୍ଶାଇଛନ୍ତି। କିନ୍ତୁ, ଏଥିରେ ଶିବସେନା ନେତୃତ୍ବର ବାସ୍ତବ ଭୂମିକା ବିଷୟରେ ଆମେ କିଛି କହିପାରିବା ନାହିଁ ବୋଲି ସେ ଆଉ ଏକ ଟୁଇଟ୍ରେ କହିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି, ଶିବସେନା ଭିନ୍ନ ଏକ ରାଜନୈତିକ ଦଳ। ତେଣୁ ସେମାନେ ସ୍ବାଧୀନ ଭାବେ ସେମାନଙ୍କର ନିଷ୍ପତ୍ତି ଗ୍ରହଣ କରିପାରିବେ। କିନ୍ତୁ, ଅଗଣତାନ୍ତ୍ରିକ ପଦ୍ଧତି ଅବଲମ୍ବନ କରି ରାଜ୍ୟ ସରକାରଙ୍କୁ ବିତାଡ଼ନ କରାଯାଇଥିବା ବେଳେ ଶିବସେନା ଏହି ଆଦର୍ଶଗତ ଯୁଦ୍ଧରେ ଗ୍ରହଣ କରୁଥିବା ଭୂମିକା ଏବଂ ତା’ର (ଶିବସେନା) ଅସ୍ଥିତ୍ବ କଥା ବୁଝିହେଉନାହିଁ। ସେନା ‘ମହା ବିକାଶ ଅଘାଡ଼ି’ର ଅଂଶବିଶେଷ ହୋଇ ମଧ୍ୟ ନିଷ୍ପତ୍ତି ଗ୍ରହଣ କରିବା ବେଳେ ଆମ ସହ ଆଲୋଚନା କଲାନାହିଁ।
Follow Us