କର୍ଣ୍ଣାଟକ ରାଜ୍ୟପାଳଙ୍କ ଅଗଣତାନ୍ତ୍ରିକ ପଦକ୍ଷେପକୁ ପ୍ରତିବାଦ : କଂଗ୍ରେସର ରାଜ୍ୟବ୍ୟାପୀ ଧାରଣା

Advertisment
କର୍ଣ୍ଣାଟକ ରାଜ୍ୟପାଳଙ୍କ ଅଗଣତାନ୍ତ୍ରିକ ପଦକ୍ଷେପକୁ ପ୍ରତିବାଦ : କଂଗ୍ରେସର ରାଜ୍ୟବ୍ୟାପୀ ଧାରଣା

ଭୁବନେଶ୍ୱର : କର୍ଣ୍ଣାଟକ ରାଜ୍ୟପାଳଙ୍କ ଅଗଣତାନ୍ତ୍ରିକ, ଅସାମ୍ବିଧାନିକ ନିଷ୍ପତ୍ତିକୁ ପ୍ରତିବାଦ କରିଛି ପ୍ରଦେଶ କଂଗ୍ରେସ କମିଟି(ପିସିସି)। ପିସିସିର ଆହ୍ଵାନ କ୍ରମେ ଆଜି ରାଜଧାନୀର ରାଜଭବନ ସମେତ ସମଗ୍ର ରାଜ୍ୟର ସବୁ ଜିଲ୍ଲା ସଦର ମହକୁମାରେ ଦଳୀୟ ନେତା, କର୍ମୀମାନେ ଧାରଣା ଦେଇଛନ୍ତି।

ଆଜି ପୂର୍ବାହ୍ନ ୧୦ଟାରେ ରାଜଭବନ ଆଗରେ ବରିଷ୍ଠ ନେତା, କର୍ମୀମାନେ ‘ପ୍ରଜାତନ୍ତ୍ର ବଚାଓ ଦିବସ’ କାର୍ଯ୍ୟକ୍ରମରେ ଧାରଣା ଦେଇଥିଲେ। ପରେ ସେମାନେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ସାକ୍ଷାତ କରି ସ୍ମାରକପତ୍ର ଦେଇଥିଲେ। କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ସଂଖ୍ୟା ଗରିଷ୍ଠତା ନ ଥାଇ ରାଜ୍ୟପାଳ ବିଜେପିକୁ ସରକାର ଗଢ଼ିବାକୁ ଆମନ୍ତ୍ରଣ କରିବା ବେଳେ କଂଗ୍ରେସ-ଜେଡିଏସ୍‌ର ସଂଖ୍ୟା ଗରିଷ୍ଠତା ଥିବା ସତ୍ତ୍ୱେ ସେମାନଙ୍କୁ ବଞ୍ଚିତ କରାଯାଇଥିବା ପ୍ରତିବାଦରେ କଂଗ୍ରେସ କର୍ମୀମାନେ ଧାରଣାରେ ବସିଥିଲେ। ଗୋଆ, ମଣିପୁର, ବିହାର ଭଳି ରାଜ୍ୟମାନଙ୍କରେ ରାଜ୍ୟପାଳମାନେ ଗଣତନ୍ତ୍ରର ସୁରକ୍ଷା ଓ ସାମ୍ବିଧାନିକ ପଦର ମର୍ଯ୍ୟାଦା ପ୍ରତି ଖାତିର ନ କରି ଆନୁଗତ୍ୟକୁ ଗୁରୁତ୍ୱ ଦେଇଥିବା କଂଗ୍ରେସ ନେତାମାନେ ଅଭିଯୋଗ କରିଥିଲେ।

ଏହି କାର୍ଯ୍ୟକ୍ରମରେ ପୂର୍ବତନ ସାଂସଦ ତଥା ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ, ଏଆଇସିସି ସଂପାଦକ ଆଦିତ୍ୟ ଶର୍ମା, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ପୂର୍ବତନ ବାଚସ୍ପତି କିଶୋର ଚନ୍ଦ୍ର ପଟେଲ୍‌, ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ଜଗନ୍ନାଥ ପଟ୍ଟନାୟକ, ଅମରନାଥ ପ୍ରଧାନ, ସୁରେଶ ରାଉତରାୟ, ମନୋରଞ୍ଜନ ଦାସ, କୈଳାସ ଆଚାର୍ଯ୍ୟ, ଲୋକନାଥ ମହାରଥୀ, ଇତିସ୍‌ ପ୍ରଧାନ, ବିଜୟଲକ୍ଷ୍ମୀ ସାହୁ, ମତଲୁବ୍‌ ଅଲ୍ଲୀ, ଗୁରୁପଦ ନନ୍ଦ, ଶିବାନନ୍ଦ ରାୟ, ଦେବାଶିଷ ପଟ୍ଟନାୟକ, ଶୁଭେନ୍ଦୁ ମହାନ୍ତିଙ୍କ ସମେତ ବହୁ ନେତା ଧାରଣାରେ ଯୋଗ ଦେଇଥିଲେ।

ଅପରାହ୍ଣରେ କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପିସିସି କାର୍ଯ୍ୟକାରୀ ସଭାପତି ଶ୍ରୀ ମାଝୀ, ଏଆଇସିସି ସଂପାଦକ ଶ୍ରୀ ଶର୍ମା, ବରିଷ୍ଠ ନେତା ଶ୍ରୀ ପଟେଲ, ଶ୍ରୀ ବେହେରା, ଶ୍ରୀ ଆଚାର୍ଯ୍ୟ ପ୍ରମୁଖ ବିଜେପିର କଂଗ୍ରେସମୁକ୍ତ ଭାରତ ଆଭିମୁଖ୍ୟର ଘୋର ସମାଲୋଚନା କରିଥିଲେ। ଏହାକୁ ରାଜନୈତିକ ଆତଙ୍କବାଦ ଦର୍ଶାଇଥିଲେ ଶ୍ରୀ ମାଝୀ। କର୍ଣ୍ଣାଟକ ରାଜ୍ୟପାଳଙ୍କ ଆନୁଗତ୍ୟ ସମ୍ବିଧାନଠାରୁ ବିଜେପି, ଆରଏସ୍‌ଏସ୍‌ ପ୍ରତି ଅଧିକ ବୋଲି କହିଥିଲେ ଶ୍ରୀ ଶର୍ମ।

ଅଖିଳ ଭାରତ କଂଗ୍ରେସ କମିଟି(ଏଆଇସିସି)ଙ୍କ ନିର୍ଦେଶ ଅନୁଯାୟୀ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସମସ୍ତ ଜିଲ୍ଲା କଂଗ୍ରେସ କମିଟିକୁ ନିର୍ଦେଶ ଦେଇଥିଲେ। ସମସ୍ତ ଜିଲ୍ଲା ମହକୁମାରେ କଂଗ୍ରେସ କର୍ମୀମାନେ ଧାରଣାରେ ବସିଥିଲେ। କେନ୍ଦ୍ରାପଡ଼ାର ତିନିମୁହାଣି ଛକରେ କଂଗ୍ରେସ କର୍ମୀମାନଙ୍କ ସହିତ ବାମପନ୍ଥୀ କର୍ମୀମାନେ ମିଶି ଧାରଣା ଦେବା ଫଳରେ କିଛି ସମୟ ପାଇଁ କଟକ-ଚାନ୍ଦବାଲି ରାସ୍ତାରେ ଯାନବାହନ ବାଧାପ୍ରାପ୍ତ ହୋଇଥିଲା। ସେହିପରି ରାଜ୍ୟର ବିଭିନ୍ନ ସ୍ଥାନରେ ଧାରଣା, ପ୍ରତିବାଦ ଆୟୋଜନ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe