ଦେଶ ପାଇଁ ନେତା ନୁହେଁ, ନୀତି ଦରକାର: ୟେଚୁରୀ

Advertisment

ବ୍ରହ୍ମପୁରରେ ସିପିଆଇଏମ୍‌ର ରାଜ୍ୟ ସମ୍ମିଳନୀ ଉଦ୍‌ଘାଟିତ

ବ୍ରହ୍ମପୁରରେ ସିପିଆଇଏମ୍‌ର ରାଜ୍ୟ ସମ୍ମିଳନୀ ଉଦ୍‌ଘାଟିତ

ଦେଶ ପାଇଁ ନେତା ନୁହେଁ, ନୀତି ଦରକାର: ୟେଚୁରୀ

ବ୍ରହ୍ମପୁର : ଓଡ଼ିଶାରେ ଖଣିଜ ସମ୍ପଦ ଭରି ରହିଛି। ତାର ସଠିକ୍‌ ବିନିଯୋଗ କରା ନଯାଇ ପୁଞ୍ଜିପତିଙ୍କ ହାତରେ ଟେକି ଦିଆଯାଉଛି। ଫଳରେ ଦେଶରେ ଗରିବ ରାଜ୍ୟ କଥା ଉଠିଲେ ଓଡ଼ିଶାର କଳାହାଣ୍ଡି, କୋରାପୁଟ, ମାଲକାନଗିରି ଜିଲ୍ଲାର ନାଁ ଆସୁଛି। ଗରିବ ଲୋକ ଆହୁରି ଦରିଦ୍ର ହୋଇ ଚାଲିଥିବା ବେଳେ ଶିଳ୍ପପତି ମାନେ ଲାଭବାନ ହେଉଛନ୍ତି। ଲାଲ୍‌ ପତାକା ଓଡ଼ିଶାରେ ଏହି ଧାରାକୁ ପରିବର୍ତ୍ତନ କରିବ। ଏହା ସହିତ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ସରକାରକୁ ସିପିଆଇମ୍‌ କଡ଼ା ଜବାବ୍‌ ଦେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୩ ବର୍ଷର ଶାସନରେ ଦେଶବାସୀ ବେକାରୀ, ଚାଷୀ ଆତ୍ମହତ୍ୟା, ବିମୁଦ୍ରାକରଣ ଓ ଜିଏସ୍‌ଟିର ବୋଝ ମୁଣ୍ଡାଇଛନ୍ତି। ଏହାକୁ ପରିବର୍ତ୍ତନ କରିବାକୁ ହେଲେ ଦେଶ ପାଇଁ ନୂଆ ନେତା ନୁହେଁ ଲୋକଭିମୁଖୀ ନୀତି ଦରକାର ବୋଲି ସିପିଆଇଏମ୍‌ କେନ୍ଦ୍ରୀୟ ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ ମତବ୍ୟକ୍ତ କରିଛନ୍ତି।

ଆଜି ବ୍ରହ୍ମପୁରରେ ସିପିଆଇଏମ୍‌ର ୨୧ତମ ରାଜ୍ୟ ସମ୍ମିଳନୀ ଉଦ୍‌ଘାଟନ ଅବସରରେ ସେ ଏହା କହିଛନ୍ତି। ସମ୍ମିଳନୀରେ ରାଜ୍ୟର ବିଭିନ୍ନ ଭାଗରୁ ନେତା, କର୍ମୀ ଯୋଗ ଦେଇଥିଲେ। ଲାଲ୍‌ ସଲାମ୍‌ ନାରା ଦେଇ ଏକ ଶୋଭାଯାତ୍ରା ରାମଲିଙ୍ଗମ୍‌ ଟ୍ୟାଙ୍କ ରୋଡ୍‌ରେ ପହଞ୍ଚିଥିଲା। ସିପିଆଇଏମ୍‌ର ବରିଷ୍ଠ ନେତା କୈଳାସ ଷଡ଼ଙ୍ଗୀଙ୍କ ସଭାପତିତ୍ୱରେ ରାମଲିଙ୍ଗମ୍‌ ଟ୍ୟାଙ୍କ ରୋଡ଼ରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ସିପିଆଇଏମ୍‌ର ସାଧାରଣ ସମ୍ପାଦକ ୟେଚୁରୀ କେନ୍ଦ୍ର ସରକାରଙ୍କ ଶିଳ୍ପପତି ପ୍ରୀତିକୁ କଟୁ ସମାଲୋଚନା କରିଥିଲେ।

ଏ ଅବସରରେ ସିପିଆଇଏମ୍‌ ରାଜ୍ୟ ସମ୍ପାଦକ ଅଳିକିଶୋର ପଟ୍ଟନାୟକ କହିଲେ, ଲୋକସ୍ୱାର୍ଥ ବିରୋଧୀ ନୀତିକୁ ମୂଳପୋଛ କରିବା ପାଇଁ ଏହି ସମ୍ମିଳନୀରେ ସମସ୍ତ ଶପଥ ନେବା ଉଚିତ। ବିଜେପି ଓଡ଼ିଶାରେ କ୍ଷମତା ଦଖଲ କରିବ ବୋଲି ପ୍ରଚାର କରି ଚାଲିଛି। ଯେଉଁ ସରକାର ଖଣି, ଖାଦାନ, ପାଣି, ଚାଷୀଙ୍କୁ ନେଇ ରାଜନୀତି କରୁଛି ସେଭଳି ସରକାର କେବେ ବି କ୍ଷମତାକୁ ଆସି ପାରିବ ନାହିଁ ବୋଲି ଅଳିକିଶୋର କହିଥିଲେ। ସେହିପରି ସିପିଆଇଏମ୍‌ ପୂର୍ବତନ ସାଧାରଣ ସମ୍ପାଦକ ଜନାର୍ଦ୍ଦନ ପତି କହିଲେ ସରକାର ୧୯୬୬ରେ ୨୬ଟି କୃଷିଜାତ ଦ୍ରବ୍ୟ ଉପରେ ସର୍ବନିମ୍ନ ମଜୁରି ପ୍ରଦାନ କରାଯିବ ବୋଲି ଘୋଷଣା କରିଥିଲେ। ହେଲେ ବର୍ତ୍ତମାନ ରାଜ୍ୟର ଧାନ, ମକା, କପା ଚାଷୀ ଆବଶ୍ୟକ ପ୍ରାପ୍ୟ ନପାଇ ଆତ୍ମହତ୍ୟା କରି ଚାଲିଛନ୍ତି। ବିଜେପି ଅମଳରେ ଚାଷୀ ଆତ୍ମହତ୍ୟା, ବେପାରୀ ସମସ୍ୟା ବୃଦ୍ଧି ପାଇଛି। ଶୀତଳାପଲ୍ଲୀ ରେଳଡ଼ବା କାରଖାନା ପ୍ରତିଷ୍ଠା ପ୍ରତ୍ୟାହାର କରି ମୋଦି ସରକାର ପୁଣି ଏକ ଜନମାରଣ ନୀତିର ଉଦାହରଣ ଦେଇଛନ୍ତି। ସଭାରେ ଅନ୍ୟମାନଙ୍କ ମଧ୍ୟରେ ସିପିଆଇଏମ୍‌ ନେତା ଜଗନ୍ନାଥ ମିଶ୍ର, ସନ୍ତୋଷ ଦାସ, ଶିଶିର ହୁଇ, ପୁଷ୍ପା ପଣ୍ଡା, ବିଷ୍ଣୁ ମହାନ୍ତି, ନିର୍ମଳ ନାୟକ, ସୁରେଶ ପାଣିଗ୍ରାହୀ, ଦୁଷ୍ମନ୍ତ ଦାସ, ଶିବାଜୀ ପଟ୍ଟନାୟକ ପ୍ରମୁଖ ମଞ୍ଚାସୀନ ଥିଲେ। ୩ଦିନ ଧରି ଏହି ସମ୍ମିଳନୀ ବ୍ରହ୍ମପୁରରେ ଅନୁଷ୍ଠିତ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe