Odisha Bytes
ଭୁବନେଶ୍ୱର: ବିଜେଡ଼ିରୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ବହିଷ୍କୃତ ଡ଼ାକ୍ତର ଦାମୋଦର ରାଉତ ଗତ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିରେ ଯୋଗ ଦେଇ ଏରସମା-ବାଲିକୁଦା ନିର୍ବାଚନମଣ୍ଡଳୀରୁ ଲଢ଼ିଥିଲେ। କିନ୍ତୁ ନିର୍ବାଚନରେ ହାରିଯିବା ପରେ ସେ ବର୍ତ୍ତମାନ ବିଜେପିରେ ଏକ ପ୍ରକାର ଅଲୋଡା ପାଲଟିଛନ୍ତି। ବିଜେପିରୁ ତାଙ୍କର ଦୂରତା ଧୀରେ ଧୀରେ ବଢୁଥିବାର ଲକ୍ଷ୍ୟ କରାଯାଉଛି। ବିଜେପି ପ୍ରତି ତାଙ୍କର ମୋହ ଭଂଗ ହୋଇଥିବାର ଦେଖାଯାଉଛି।
ଆଜି ଗଣମାଧ୍ୟମ ସହିତ ଏକ ସାକ୍ଷାତକାରରେ ଡ଼ାକ୍ତର ରାଉତ କହିଛନ୍ତି ଯେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଶିଷ୍ଟ ଜନନେତା ବିଜୁ ପଟ୍ଟନାୟକଙ୍କୁ ସେ ‘ପ୍ରଜ୍ଞା ପୁରୁଷ’ ଭାବେ ମାନି ଆସିଛନ୍ତି। ବିଜୁ ବାବୁଙ୍କର ଜନ୍ମଜୟନ୍ତୀ ପାଳନ ସେ ପ୍ରଥମେ ଆରମ୍ଭ କରିଥିଲେ। ବିଜୁବାବୁଙ୍କର ବିୟୋଗର ସାତ ଦିନ ମଧ୍ୟରେ ସେ ଏହି ପ୍ରବାଦ ପୁରୁଷଙ୍କ ନାଁରେ ‘ବିଜୁ ବିଚାର ମଞ୍ଚ’ ଗଢିଥିଲେ। ତାଙ୍କର ନୀତି ଓ ଆଦର୍ଶ ଭିତ୍ତିରେ ତାଙ୍କର ରାଜନୈତିକ ଜୀବନ ଗଢ଼ି ଉଠିଛି।
ଡ଼ାକ୍ତର ରାଉତ କହିଛନ୍ତି ଯେ, ଦୁର୍ନୀତି ବିରୁଦ୍ଧରେ ସଂଗ୍ରାମ ପାଇଁ ସେ ବିଜୁ ଜନତା ଦଳ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ। କିନ୍ତୁ ବର୍ତ୍ତମାନ ନିର୍ବାଚନ ପରେ ବିଜୁ ଜନତା ଦଳ ଏବଂ ବିଜେପି ମଧ୍ୟରେ ସାଲିସ ରାଜନୀତି ଚାଲିଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।
Odisha News Insightବିଜୁ ଜନତା ଦଳର ଜଣେ ବରିଷ୍ଠ ନେତା ଡ଼ାକ୍ତର ରାଉତ ନବୀନ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ବିଭିନ୍ନ ସମୟରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଥିଲେ। ତେବେ କେତେକ ବିବାଦୀୟ ବକ୍ତବ୍ୟ ପାଇଁ ଗତ ବର୍ଷ ତାଙ୍କୁ ମନ୍ତ୍ରିମଣ୍ଡଳରୁ ବିଦା କରାଯାଇଥିଲା। ପରେ ପରେ ତାଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ଦଳରୁ ବହିଷ୍କାର ପରେ ଡ଼ାକ୍ତର ରାଉତ ନବୀନ-ବିରୋଧୀ ପାଲଟିଯାଇଥିଲେ ଏବଂ ଏକ ନୂତନ ଦଳ ଗଠନ ପାଇଁ ଉଦ୍ୟମ କରିଥିଲେ। ଶେଷରେ ସେ ବିଜେପିରେ ଯୋଗ ଦେଇ ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀରୁ ବିଧାନସଭା ନିର୍ବାଚନ ଲଢ଼ିଥିଲେ। ନିର୍ବାଚନ ପ୍ରାର୍ଥୀମାନଙ୍କ ସମୟରେ ସେ ରାଜ୍ୟ ସାରା ବୁଲି ବିଜେପି ପ୍ରାର୍ଥୀମାନଙ୍କ ସପକ୍ଷରେ ପ୍ରଚାର କରିଥିଲେ। କିନ୍ତୁ ନିର୍ବାଚନରେ ପରାଜିତ ହେବା ପରେ ସେ କେତେ ଦିନ ହେଲା ଚୁପ୍ଚାପ ବସିଥିଲେ। କିଛି ଦିନର ନୀରବତା ପରେ ସେ ଆଜି ମୁହଁ ଖୋଲିଛନ୍ତି।
Follow Us