ଭୁବନେଶ୍ୱର: ଗରିବ ଲୋକଙ୍କୁ ପକ୍କା ଘର ଯୋଗାଣ ପ୍ରସଙ୍ଗରେ ମିଥ୍ୟା ତଥ୍ୟ ଦେଇ ବିଜ୍ଞାପନ ଜରିଆରେ ଓଡ଼ିଶା ସରକାର ରାଜ୍ୟବାସୀଙ୍କ ଆଖିରେ ଧୁଳି ଦେଉଥିବା କେନ୍ଦ୍ର ଗ୍ରାମୀଣ ବିକାଶ ଓ ପଞ୍ଚାୟତିରାଜ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମରଙ୍କୁ ପତ୍ର ଲେଖି ଦୃଷ୍ଟି ଆକର୍ଷଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ସେ ଏହି ପତ୍ରରେ ଲେଖିଛନ୍ତି ଯେ ଓଡ଼ିଶା ସରକାରଙ୍କ ନିଜସ୍ୱ ବିଜୁ ପକ୍କା ଘର ଯୋଜନାରେ ୨୦୧୪ରୁ ଆଜି ପର୍ଯ୍ୟନ୍ତ ଗ୍ରାମାଞ୍ଚଳରେ ୧୭ ଲକ୍ଷ କଚ୍ଚା ଘରକୁ ପକ୍କାଘରରେ ପରିବର୍ତ୍ତନ କରିଥିବା ରଥଯାତ୍ରା ଅବସରରେ ଏକ ବିଜ୍ଞାପନରେ ପ୍ରକାଶ କରିଛନ୍ତି। ମାତ୍ର ରାଜ୍ୟ ସରକାର ତାଙ୍କର ରୁରାଲ ହାଉସିଂ େଓ୍ଵବସାଇଟରେ ବିଜୁ ପକ୍କା ଘର ଯୋଜନାରେ ମୋଟ ୨.୮ ଲକ୍ଷ ଘର ନିର୍ମାଣ କରିଥିବା ଉଲ୍ଲେଖ କରିଛନ୍ତି। ଏହି ପରିପ୍ରେକ୍ଷୀରେ ପକ୍କା ଘର ମାମଲାରେ ମିଛ ତଥ୍ୟକୁ ପ୍ରଚାରିତ କରି କେନ୍ଦ୍ର ସରକାରଙ୍କ ଯୋଜନାରେ ନମିତ ପକ୍କା ଘରକୁ ରାଜ୍ୟ ସରକାରଙ୍କ ନିଜସ୍ୱ ଯୋଜନା କହି ମିଛ ପ୍ରଚାର କରୁଛନ୍ତି ବୋଲି ଶ୍ରୀ ପ୍ରଧାନ ଅବଗତ କରାଇଛନ୍ତି।
ଏହି ପରିପ୍ରେକ୍ଷୀରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ତୋମାର ଏକ ଉଚ୍ଚସ୍ତରୀୟ ତଦନ୍ତକାରୀ ଦଳ ପଠାଇ କେଉଁ ଯୋଜନାରେ କେତେ ଘର ନିର୍ମାଣ ହୋଇଛି ତାହାର ତଦନ୍ତ କରିବାକୁ ସେ ଅନୁରୋଧ କରିଛନ୍ତି। ଏହା ସହ ପକ୍କା ଘର ମାମଲାରେ ଏକ ସକ୍ରିୟ ଜନସଚେତନତା କାର୍ଯ୍ୟକ୍ରମ ହାତକୁ ନେବା ପାଇଁ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି। ଏହି ଜନସଚେତନତା କାର୍ଯ୍ୟକ୍ରମ ଦ୍ୱାରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ସମ୍ପନ୍ନ ଯୋଜନା ସଂପର୍କରେ ଓଡିଶାବାସୀ ଜାଣିପାରିବେ ଅନ୍ଧାରରେ ରହିବେ ନାହିଁ ବୋଲି ଶ୍ରୀ ପ୍ରଧାନ ଏହି ପତ୍ରରେ ଉଲ୍ଲେଖ କରିଛନ୍ତି।
Follow Us