ବିକାଶ ପ୍ରସଙ୍ଗରେ ରାଜନୀତି କରନି

Advertisment

ରାଜ୍ୟ ସରକାରଙ୍କୁ ଧର୍ମେନ୍ଦ୍ରଙ୍କ ଆହ୍ଵାନ

ରାଜ୍ୟ ସରକାରଙ୍କୁ ଧର୍ମେନ୍ଦ୍ରଙ୍କ ଆହ୍ଵାନ

ବିକାଶ ପ୍ରସଙ୍ଗରେ ରାଜନୀତି କରନି

ମହତ ଉଦ୍ଦେଶ୍ୟ ନେଇ ଆରମ୍ଭ ହୋଇଛି ‘ନ୍ୟୁ ଇଣ୍ଡିଆ- ୨୦୨୨’
ମୁଖ୍ୟମନ୍ତ୍ରୀ ଆଉ ଥରେ ନିଜ ନିଷ୍ପତ୍ତିର ସମୀକ୍ଷା କରନ୍ତୁ

ଭୁବନେଶ୍ୱର : ରାଜନୀତି ତା’ ବାଟରେ ଚାଲିବ। ଆମ ଗଣତାନ୍ତ୍ରିକ ବ୍ୟବସ୍ଥାରେ ରାଜନୈତିକ ଦଳ ଓ ରାଜନୀତି ଏକ ସ୍ୱାଭାବିକ ପ୍ରକିୟା। କିନ୍ତୁ ବିକାଶ ପ୍ରସଙ୍ଗରେ ରାଜନୀତି ଆଦୌ ଗ୍ରହଣୀୟ ନୁହେଁ। ଦଳଗତ ରାଜନୀତିର ଊର୍ଧ୍ୱକୁ ଶାସନ ବ୍ୟବସ୍ଥା ଉଠିବା ଅତ୍ୟନ୍ତ ଆବଶ୍ୟକ। ତେଣୁ ରାଜ୍ୟରେ ପଛୁଆ ଥିବା ୮ଟି ଜିଲ୍ଲାର ବିକାଶ ନେଇ ରାଜନୀତି ନ କରିବାକୁ ରାଜ୍ୟ ସରକାରଙ୍କୁ ଆହ୍ଵାନ ଦେଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ନ୍ୟୁ ଇଣ୍ଡିଆ- ୨୦୨୨’ ଭିଜନ୍‌କୁ କାର୍ଯ୍ୟକାରୀ କରିବା ପାଇଁ ନୀତି ଆୟୋଗ ପକ୍ଷରୁ ଡକାଯାଇଥିବା ବୈଠକକୁ ଓଡ଼ିଶା ବର୍ଜନ କରିବା ପ୍ରସଙ୍ଗରେ ଏମିତି କହିଛନ୍ତି ଶ୍ରୀ ପ୍ରଧାନ।

ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ମନ୍ତ୍ରୀ କହିଲେ, ରାଜନୈତିକ ବାଦବିବାଦ ଓ ମତପାର୍ଥକ୍ୟ ସହ ସେ ଆଦୌ ଅସହମତ ନୁହଁନ୍ତି। ଗଣତନ୍ତ୍ରରେ ପରସ୍ପର ଭିନ୍ନ ଦୃଷ୍ଟିଭଙ୍ଗୀରେ କୌଣସି ଆପତ୍ତି ନାହିଁ। ମାତ୍ର ରାଜନୈତିକ ଦୃଷ୍ଟିଭଙ୍ଗୀରେ ଭିନ୍ନତା ପାଇଁ ଓଡ଼ିଶାର ୮ଟି ଜିଲ୍ଲାର ବିକାଶକୁ ପ୍ରତିରୋଧ କରା ନ ଯାଉ। ରାଜନୈତିକ ଭାବେ ଯାହା ଗାଳିମନ୍ଦ, ସମାଲୋଚନା କଲେ ବି ମୋଦି ସରକାର ଏହାକୁ ମୁଣ୍ଡ ପାତି ସହିବାକୁ ପ୍ରସ୍ତୁତ ଅଛନ୍ତି। ମାତ୍ର ସାଧାରଣ ଗରିବ ଓଡ଼ିଆ ଲୋକଙ୍କ ବିକାଶକୁ ପ୍ରତିରୋଧ ନ କରି ପ୍ରଧାନମନ୍ତ୍ରୀଙ୍କର ଏହି ନୂଆ ଯୋଜନୋର ସାମିଲ୍‌ ହେବାକୁ ଓଡ଼ିଶାର ଏହି ଜିଲ୍ଲାଗୁଡ଼ିକ ଯୋଗ ଦେବା ନେଇ ଆଉ ଥରେ ସମୀକ୍ଷା କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି।

କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ଦେଶର ବିଭିନ୍ନ ମାପଦଣ୍ଡରେ ପଛୁଆ ଥିବା ୧୧୫ଟି ଜିଲ୍ଲାକୁ ବିଶେଷ ସମନ୍ଵୟ ମାଧ୍ୟମରେ ଆଗକୁ ନେବା କାର୍ଯ୍ୟର ଯୋଜନାରେ ଓଡ଼ିଶା ସମେତ ସବୁ ରାଜ୍ୟକୁ ପୂର୍ବ ସୂଚନା ଆଧାରରେ କ୍ରିୟାନ୍ଵିତ କରିବା ପାଇଁ ନୀତି ଆୟୋଗ ପଦକ୍ଷେପ ନେଇଥିଲା। ଓଡ଼ିଶାରୁ ସ୍ଥାନ ପାଇଥିବା ୮ଟି ଜିଲ୍ଲା ହେଲା ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ଗଜପତି, ଢେଙ୍କାନାଳ, ବଲାଙ୍ଗୀର,କୋରାପୁଟ ଓ ମାଲକାନଗିରି।

୮ଟି ଜିଲ୍ଲା ନାମ ଚୟନ କଲା ବେଳେ ରାଜ୍ୟ ସରକାରଙ୍କ ସହ ପରାମର୍ଶ କରାଯାଇନି ଓ କେନ୍ଦ୍ର ସରକାର ଜବରଦସ୍ତ ନିଜ ନିଷ୍ପତ୍ତିକୁ ଲଦି ଦେଉଥିବା ନେଇ ହେଉଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ଶ୍ରୀ ପ୍ରଧାନ। ସେ କହିଛନ୍ତି, ଗତ ନଭେମ୍ବର ୧୪ ତାରିଖରେ ଦେଶର ୧୧୫ଟି ଜିଲ୍ଲା ଓ ସେଥିରୁ ଓଡ଼ିଶାର ୮ଟି କେଉଁ ମାପଦଣ୍ଡ ଆଧାରରେ ସ୍ଥିର କରାଯାଇଛି, ଏ ସମ୍ବନ୍ଧରେ ସମ୍ପୂର୍ଣ୍ଣ ବିବରଣୀ ନୀତି ଆୟୋଗ ତରଫରୁ ମୁଖ୍ୟ ଶାସନ ସଚିବଙ୍କୁ ଅବଗତ କରାଯାଇଥିଲା। ଯଦି ୮ଟି ଜିଲ୍ଲାର ତାଲିକାରେ ପରିବର୍ତ୍ତନ ପାଇଁ ରାଜ୍ୟ ସରକାର ଚାହାଁନ୍ତି, ତେବେ କାରଣ ସହ ତଥ୍ୟ ଉପସ୍ଥାପନ କରିବାକୁ ପତ୍ରରେ ସ୍ପଷ୍ଟ ଉଲ୍ଲେଖ ଥିଲା। କଂଗ୍ରେସ ଶାସିତ କର୍ଣ୍ଣାଟକ ସମେତ ୫ଟି ରାଜ୍ୟ ଜିଲ୍ଲା ନାଁ ବଦଳାଇଛନ୍ତି।

ଓଡ଼ିଶା ସରକାର ଜିଲ୍ଲା ତାଲିକା ତ ବଦଳାଇଲେ ନାହିଁ। କିନ୍ତୁ ପରବର୍ତ୍ତୀ ସମୟରେ ନୀତି ଆୟୋଗଙ୍କୁ ମୁଖ୍ୟ ଶାସନ ସଚିବ ପତ୍ର ଲେଖି ଓଡ଼ିଶା ଉପରେ ଏକତରଫା ଭାବେ ଜିଲ୍ଲା ଚୟନ ଲଦିଦେବାକୁ ବିରୋଧ କରିଥିଲେ। ଓଡ଼ିଶାର ଜିଲ୍ଲା ଏହି ୧୧୫ ଜିଲ୍ଲାରେ ସାମିଲ୍‌ ହେବେ ନାହିଁ ବୋଲି ଜଣାଇଲେ। ଏହି ଯୋଜନାରେ କେନ୍ଦ୍ର ସରକାରରେ ଯୁଗ୍ମ ସଚିବ ପାହ୍ୟାର ଅଫିସରମାନଙ୍କୁ ପ୍ରଭାରୀ ଅଫିସର୍‌ ଭାବେ ନିଯୁକ୍ତିକୁ ବିରୋଧ କରାଯାଇଥିଲା। ଶ୍ରୀ ପ୍ରଧାନଙ୍କ ଯୁକ୍ତି ହେଲା, ଏହି ପ୍ରଭାରୀ ଅଫିସର୍‌ମାନଙ୍କ ମଧ୍ୟରୁ ଅଧିକାଂଶ ଓଡ଼ିଶା କ୍ୟାଡର୍‌ର ବରିଷ୍ଠ ପ୍ରଶାସନିକ ସେବା ଅଧିକାରୀ ଏବଂ ସେମାନଙ୍କର ଓଡ଼ିଶାର ସ୍ଥିତି ତଥା ସଂପୃକ୍ତ ଜିଲ୍ଲାମାନଙ୍କ ସମ୍ପର୍କରେ ପୁରୁଣା ଅନୁଭବ ରହିଛି। ଆହୁରି ମଧ୍ୟ ଏହି ଅଫିସର୍‌ମାନେ ସ୍ୱତନ୍ତ୍ର ଭାବେ ନୁହେଁ, ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା କମିଟି ଓ ସଂପୃକ୍ତ ଜିଲ୍ଲାପାଳମାନଙ୍କ ସହ ସମନ୍ଵୟ ରଖି କାର୍ଯ୍ୟ କରିବେ। ସମସ୍ତ କାର୍ଯ୍ୟ ରାଜ୍ୟ ପ୍ରଶାସନର ମୁଖ୍ୟଙ୍କ ଅଧ୍ୟକ୍ଷତାରେ ହେବ। ଓଡ଼ିଶା କ୍ୟାଡର୍‌ର ବରିଷ୍ଠ ଅଧିକାରୀମାନେ ଦିଲ୍ଲୀରୁ ଆସି କେନ୍ଦ୍ର ସରକାରଙ୍କ ଭାଗରେ ଥିବା ଆବଶ୍ୟକୀୟ ସହଯୋଗ ଯୋଗାଇବାରେ କେବଳ ସହାୟତା କରିବେ। ତେଣୁ ଏହାକୁ ବିରୋଧ କରିବାର ଅର୍ଥ କ’ଣ ବୁଝାପଡ଼ୁନି।

ମୁଖ୍ୟମନ୍ତ୍ରୀଙ୍କୁ କଟାକ୍ଷ କରି ଶ୍ରୀ ପ୍ରଧାନ କହିଲେ, କେବଳ ଶ୍ରେଷ୍ଠ ପ୍ରଶାସକର ପଦ ଅଳଙ୍କୃତ କରିଦେଲେ ହେବ ନାହିଁ। ରାଜ୍ୟର ଲୋକମାନଙ୍କ ପ୍ରତି ଦାୟିତ୍ୱ ନେବାକୁ ପଡ଼ିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe