‘କବିତା-୧୯୬୨’ର କବି ୧୯୬୧ ନିର୍ବାଚନରେ

Advertisment

ଭୋଟ ପେଡ଼ିର ପୁରୁଣା କଥା-୬/ ସ୍ବରାଜ ମିଶ୍ର

ଭୋଟ ପେଡ଼ିର ପୁରୁଣା କଥା-୬/ ସ୍ବରାଜ ମିଶ୍ର

‘କବିତା-୧୯୬୨’ର କବି ୧୯୬୧ ନିର୍ବାଚନରେ

ସାହିତ୍ୟ ଓ ରାଜନୀତିର ସମ୍ପର୍କ ତଥା ସାହିତ୍ୟିକମାନଙ୍କର ନିର୍ବାଚନ ରାଜନୀତିରେ ସକ୍ରିୟ ଅଂଶଗ୍ରହଣ ପ୍ରସଙ୍ଗକୁ ନେଇ ଏବେ ବିତର୍କ ଓ ଆଲୋଚନା ଚାଲିଥିବାବେଳେ ମନକୁ ଆସେ ଓଡ଼ିଶାର ଜଣେ ବରେଣ୍ୟ କବିଙ୍କ କଥା ଯେ କି ୧୯୬୧ ମସିହା ବିଧାନସଭା ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥିଲେ। କବିତା ସଂକଳନ ‘କବିତା-୧୯୬୨’ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିବା ଏହି କବି ୧୯୮୬ ମସିହାରେ ସାହିତ୍ୟ କ୍ଷେତ୍ରରେ ଦେଶର ସର୍ବୋଚ୍ଚ ସମ୍ମାନ ‘ଜ୍ଞାନପୀଠ ପୁରସ୍କାର’ ମଧ୍ୟ ହାସଲ କରିଥିଲେ। ଏହି ପୁରସ୍କାର ହାସଲ କରିବାରେ ଗୋପୀନାଥ ମହାନ୍ତିଙ୍କ ପରେ ସେ ଥିଲେ ଦ୍ଵିତୀୟ ଓଡ଼ିଆ- କବି ସଚ୍ଚିଦାନନ୍ଦ ରାଉରରାୟ। ମାତ୍ର କୌତୂହଳର କଥା ହେଲା ଯେ, ସେ ସାହିତ୍ୟ ପରି ରାଜନୀତିରେ ମଧ୍ୟ ଅନୁରୂପ ରୁଚି ରଖୁଥିଲେ ଏବଂ ୧୯୬୧ ମସିହା ବିଧାନସଭା ନିର୍ବାଚନରେ କଂଗ୍ରେସ ଦଳ ଟିକେଟରେ ବାଣପୁର ଆସନରୁ ପ୍ରତିଦ୍ଵନ୍ଦ୍ୱିତା କରିଥିଲେ।

publive-image

୧୯୧୬ ମସିହା ମେ ମାସ ୧୩ ତାରିଖରେ ଖୋର୍ଦ୍ଧାର ଗୁରୁଜଙ୍ଗଠାରେ ଜନ୍ମନେଇଥିବା କବି ସଚ୍ଚି ରାଉତରାୟଙ୍କର ବାଲ୍ୟଜୀବନ ଓ ହାଇସ୍କୁଲ ଶିକ୍ଷା ଖୋର୍ଦ୍ଧାରେ ଆରମ୍ଭ ହୋଇଥିଲେ ମଧ୍ୟ ତାଙ୍କର ପରବର୍ତ୍ତୀ ଜୀବନ ମୁଖ୍ୟତଃ କଲିକତାରେ ହିଁ କଟିଥିଲା। ସେଠାରେ ଉଚ୍ଚଶିକ୍ଷା ଓ ଚାକିରି ସମୟରେ ସେ ବହୁ ସ୍ୱାଧୀନତା ସଂଗ୍ରାମୀ, ସାହିତ୍ୟିକ ଓ ବିପ୍ଳବୀମାନଙ୍କ ସଂସ୍ପର୍ଶରେ ଆସିଥିଲେ ତଥା ବାମପନ୍ଥୀ ରାଜନୈତିକ ଚିନ୍ତାଧାରା ଦ୍ଵାରା ଗଭୀର ଭାବରେ ପ୍ରଭାବିତ ହୋଇଥିଲେ। କଲିକତାସ୍ଥିତ କେଶୋରାମ କଟନ ମିଲ୍‌ସର ଲେବର ୱେଲଫେୟାର ଅଫିସର ହିସାବରେ କାର୍ଯ୍ୟରତ ରାଉତରାୟ କଲିକତା ହିନ୍ଦୁ-ମୁସଲମାନ ଦଙ୍ଗା ସମୟରେ ମହାତ୍ମାଗାନ୍ଧୀଙ୍କ ସହ ସିଧାସଳଖ ସଂପର୍କରେ ମଧ୍ୟ ଆସିଥିଲେ। ସାହିତ୍ୟରେ ସାମାଜିକ ପ୍ରତିବଦ୍ଧତା ଓ ପ୍ରଗତିଶୀଳ ଦୃଷ୍ଟିକୋଣ ରଖୁଥିବା ସଚ୍ଚିବାବୁଙ୍କ ପାଇଁ ସକ୍ର୍ରିୟ ରାଜନୀତିରେ ଅଂଶଗ୍ରହଣ କରିବା ଅସ୍ୱାଭାବିକ ନଥିଲା।
ନିଜ ଆତ୍ମଜୀବନୀ ପୁସ୍ତକ ‘ଉତ୍ତର କକ୍ଷ’ରେ ସେ ଦେଇଥିବା ସୂଚନା ଅନୁସାରେ, ୧୯୪୬ ଓଡ଼ିଶା ବିଧାନସଭା ନିର୍ବାଚନରେ ଲଢ଼ିବା ଉଦ୍ଦେଶ୍ୟରେ ସେ କଂଗ୍ରେସ ଟିକେଟ ପାଇଁ ଆବେଦନ କରିଥିଲେ। ସ୍ୱାଧୀନତା ପରେ ଓଡ଼ିଶାରୁ ରାଜ୍ୟସଭାକୁ ଯିବା ପାଇଁ ସେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଡକ୍ଟର ମହତାବଙ୍କ ସହ ଯୋଗାଯୋଗ ମଧ୍ୟ କରିଥିଲେ। ମାତ୍ର ନିର୍ବାଚନ ଲଢ଼ିବା ପାଇଁ ତାଙ୍କୁ ପ୍ରଥମ ସୁଯୋଗ ମିଳିଲା ୧୯୬୧ରେ । ସେତେବେଳେ ବିଜୁ ପଟ୍ଟନାୟକଙ୍କ ନେତୃତ୍ଵରେ କଂଗ୍ରେସ ଦଳ ନିର୍ବାଚନକୁ ଓହ୍ଲାଇଥାଏ ଏବଂ ବିିଭିନ୍ନ ନିର୍ବାଚନ ମଣ୍ଡଳୀରେ ନୂଆ ମୁହଁମାନଙ୍କୁ ସୁଯୋଗ ଦିଆଯାଉଥାଏ। ଏହି ଅବସରରେ ତାଙ୍କୁ ବାଣପୁର ଆସନରୁ ଲଢ଼ିବା ପାଇଁ କଂଗ୍ରେସ ଟିକେଟ ମିଳିଲା ଏବଂ ତାଙ୍କ ସମ୍ମୁଖରେ ପ୍ରତିଦ୍ଵନ୍ଦ୍ୱୀ ଥିଲେ ଗଣତନ୍ତ୍ର ପରିଷଦର ସ୍ଥାନୀୟ ନେତା ରଘୁନାଥ ମିଶ୍ର।

publive-image

ସଚ୍ଚି ରାଉତରାୟଙ୍କ ପାଇଁ ନିଜେ ଜବାହରଲାଲ ନେହେରୁ ଏକ ବାର୍ତ୍ତା ପଠାଇ ତାଙ୍କୁ ନିର୍ବାଚନରେ ଜିତାଇବା ପାଇଁ ଭୋଟରମାନଙ୍କୁ ନିବେଦନ କରିଥିଲେ। ତାହାକୁ ପ୍ରଚାରପତ୍ର ରୂପେ ଛାପି ବଣ୍ଟାଯାଇଥିଲା। କଥାକାର ସୁରେନ୍ଦ୍ର ମହାନ୍ତି ଓ ମନମୋହନ ମିଶ୍ର ମଧ୍ୟ ବାଣପୁର ଆସି ତାଙ୍କ ପାଇଁ ପ୍ରଚାର କରିଥିଲେ। ମାତ୍ର ଦୁର୍ଭାଗ୍ୟବଶତଃ ସେ ନିର୍ବାଚନରେ ପରାଜିତ ହୋଇଥିଲେ।

ଆତ୍ମଜୀବନୀ ପୁସ୍ତକରେ ଏହି ପରାଜୟ ସଂପର୍କରେ ସେ କହନ୍ତି- ‘‘ମୁଁ ଖୋରଧାରୁ କଂଗ୍ରେସ ପ୍ରାର୍ଥୀ ରୂପେ ନିର୍ବାଚନ ଲଢ଼ିବାକୁ କଂଗ୍ରେସ ଟିକେଟ ଚାହିଁଥିଲି ମାତ୍ର ସେମାନେ ମୋତେ ଖୋରଧାରୁ ଟିକେଟ ନଦେଇ ବାଣପୁରରୁ ଦେବାକୁ କହିଲେ। ମୁଁ ଏଥିପୂର୍ବରୁ ବାଣପୁର ବା ବାଲୁଗାଁ କେବେ ଯାଇ ନଥିଲି। ସେଠାରେ କାହାକୁ ଜାଣିନଥିଲି। ନ୍ଥନ୍ଥନ୍ଥ ମୋର ପ୍ରଚାର ଅଭିଯାନର ବଡ଼ ଅନ୍ତରାୟ ଥିଲା ସ୍ଥାନୀୟ କଂଗ୍ରେସକର୍ମୀ ମାନଙ୍କର ଅସହଯୋଗ।’’

୧୯୬୨ ମସିହାରେ ସେ କଲିକତାରୁ ଚାକିରି ଛାଡ଼ି ଓଡ଼ିଶାରେ ଆସି ରହିଲେ। ସେହି ବର୍ଷ ତାଙ୍କର ‘କବିତା-୧୯୬୨’ ପୁସ୍ତକ ପ୍ରକାଶିତ ହେଲା ଏବଂ ସେ ପଦ୍ମଶ୍ରୀ ସମ୍ମାନ ପାଇଲେ। ପରେ ପରେ ଏହି ପୁସ୍ତକ ପାଇଁ ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ମଧ୍ୟ ପାଇଥିଲେଏବଂ ଶେଷରେ ଜ୍ଞାନପୀଠ ପୁରସ୍କାରରେ ସମ୍ମାନିତ ହେଲେ। ନିର୍ବାଚନରେ ପରାଜୟ ଯେ ତାଙ୍କର ସାହିତ୍ୟ ସାଧନାକୁ ଆଦୌ ପ୍ରତିହତ କରିପାରିଲା ନାହିଁ,ତାହା ହିଁ ଆନନ୍ଦର କଥା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe