ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ଖର୍ଚ୍ଚ ଅନିୟମିତତା ମାମଲା : ପରବର୍ତ୍ତୀ ଶୁଣାଣି ୩୧ରେ

Advertisment
ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ଖର୍ଚ୍ଚ ଅନିୟମିତତା ମାମଲା : ପରବର୍ତ୍ତୀ ଶୁଣାଣି ୩୧ରେ

କଟକ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନୀ ଖର୍ଚ୍ଚ ହିସାବରେ ଅନିୟମିତତା ଅଭିଯୋଗକୁ ନେଇ ବିଚାରାଧୀନ ଦୁଇଟି ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୩୧ରେ କରାଯିବା ପାଇଁ ଧାର୍ଯ୍ୟ କରାଯାଇଛି। ଆଜି ଜଷ୍ଟିସ ବି.କେ.ନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଦେବାନନ୍ଦ ମହାପାତ୍ର ଓ ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ଭୋଟର ମାଧବ ଗୌଡଙ୍କ ପକ୍ଷରୁ ଦାୟର ମାମଲା ସହିତ ସୁବାସ ମହାପାତ୍ରଙ୍କ ଆବେଦନ ଶୁଣାଣି ସମୟରେ ଭାରତୀୟ ନିର୍ବାଚନ କମିସନଙ୍କ ପକ୍ଷରୁ ସମୟ ଲୋଡା ଯାଇଥିଲା। ଫଳରେ ମାମଲାର ଶୁଣାଣି ଘୁଞ୍ଚିଥିଲା। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ଓ ସିଦ୍ଧାର୍ଥ ପ୍ରସାଦ ଦାସ ମାମଲା ପରିଚାଳନା କରୁଛନ୍ତି।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ଖର୍ଚ୍ଚ ଅନିୟମିତତା ଅଭିଯୋଗ ସଂପର୍କିତ ଦୁଇ ମାମଲାର ଏକତ୍ର ଶୁଣାଣି ପାଇଁ ହାଇକୋର୍ଟ ୨୦୧୭, ଅଗଷ୍ଟ ୧୦ରେ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ନାଟକୀୟ ମୋଡ କ୍ରମେ ସୁବାସ ମହାପାତ୍ର ତାଙ୍କ ଆବେଦନକୁ ଦିଲ୍ଲୀ ହାଇକୋର୍ଟକୁ ସ୍ଥାନାନ୍ତର କରିବା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ମାମଲାର ନିରପେକ୍ଷ ଶୁଣାଣି ପାଇଁ ଏହାକୁ ଦିଲ୍ଲୀ ହାଇକୋର୍ଟ ସ୍ଥାନାନ୍ତର କରାଯିବା ସପକ୍ଷରେ ଆବେଦନକାରୀ ଯୁକ୍ତି ଦର୍ଶାଇଥିଲେ। ୨୦୧୭, ଅଗଷ୍ଟ ୨୮ରେ ଶ୍ରୀ ମହାପାତ୍ରଙ୍କ ଆବେଦନକୁ ବିଚାର ପାଇଁ ଗ୍ରହଣ କରି ସୁପ୍ରିମକୋର୍ଟ ଭାରତର ନିର୍ବାଚନ କମିସନ, ଗଞ୍ଜାମ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ନୋଟିସ୍‌ ଜାରି କରିଥିଲେ।

ଏଠାରେ ସୂଚନା ଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନୀ ଖର୍ଚ୍ଚ ହିସାବରେ ଅନିୟମିତତା ଅଭିଯୋଗକୁ ନେଇ ସୁବାସ ମହାପାତ୍ରଙ୍କ ପକ୍ଷରୁ ଦାୟର ଆବେଦନର ଶୁଣାଣି କରି ହାଇକୋର୍ଟ ଜୁଲାଇ ୧୮ ତାରିଖରେ ନିର୍ବାଚନ କମିସନଙ୍କୁ ନୋଟିସ୍‌ ଜାରି କରିଥିଲେ। ମୁଖ୍ୟମନ୍ତ୍ରୀ ନିଜ ନିର୍ବାଚନ ଖର୍ଚ୍ଚ ବାବଦରେ କମିସନଙ୍କ ନିକଟରେ ଦାଖଲ କରିଥିବା ତଥ୍ୟରେ ଅନିୟମିତତା ଅଭିଯୋଗ ହୋଇଥିଲା। ଏ ନେଇ ପୂର୍ବରୁ ସେ ହାସଲ କରିଥିବା ତଥ୍ୟକୁ ଆଧାର କରି ମୁଖ୍ୟ ନିର୍ବାଚନ କମିସନ୍‌ଙ୍କ ଦ୍ୱାରସ୍ଥ ହୋଇଥିଲେ। କିନ୍ତୁ କିଛି ଫଳ ନ ମଳିବାରୁ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ବୋଲି ଆବେଦନରେ ଦର୍ଶାଇଥିଲେ। ଏହି ମାମଲାରେ ଜୁଲାଇ ୨୪ରେ ଗଞ୍ଜାମ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ପ୍ରେମଚନ୍ଦ୍ର ଚୌଧାରୀ ଏକ ମିସ୍‌ କେସ୍‌ ଦାୟର କରିଥିଲେ। ଜୁଲାଇ ୧୮ ତାରିଖରେ ହାଇକୋର୍ଟ ନିର୍ବାଚନ କମିସନଙ୍କୁ ନୋଟିସ୍‌ ଜାରି ପାଇଁ ପ୍ରଦାନ କରିଥିବା ନିର୍ଦ୍ଦେଶ ପ୍ରତ୍ୟାହାର ପାଇଁ ସେ ନିବେଦନ କରିଥିଲେ। ମୁଖ୍ୟମନ୍ତ୍ରୀ ନିଜ ନିର୍ବାଚନ ଖର୍ଚ୍ଚ ବାବଦରେ ନିର୍ବାଚନ କମିସନଙ୍କ ନିକଟରେ ଦାଖଲ କରିଥିବା ତଥ୍ୟକୁ ନେଇ ଆବେଦନକାରୀ ପ୍ରଶ୍ନ ଉଠାଇଥିବା ବେଳେ ତାଙ୍କ ଆବେଦନ ଗ୍ରହଣ ଯୋଗ୍ୟ ନୁହେଁ ବୋଲି ଜିଲ୍ଲାପାଳଙ୍କ ଆବେଦନରେ ଦର୍ଶାଯାଇଥିଲା। ସୁବାସ ମହାପାତ୍ରଙ୍କ ମାମଲାରେ ହାଇକୋର୍ଟଙ୍କ ନୋଟିସ୍‌ ଜାରି ନେଇ ଚର୍ଚ୍ଚା ଜୋର ଧରି ଥିବା ବେଳେ ୨୦୧୭, ଜୁଲାଇ ୨୬ରେ ହିଞ୍ଜିଳି ଆସନରୁ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ନିର୍ବାଚନ ଲଢି ପରାଜୟ ବରଣ କରିଥିବା ବିଜେପି ପ୍ରାର୍ଥୀ ଦେବାନନ୍ଦ ମହାପାତ୍ର ଓ ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ଭୋଟର ମାଧବ ଗୌଡ ଏ ସଂପର୍କିତ ଦ୍ୱିତୀୟ ମାମଲା ରୁଜୁ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe