କଟକ : ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂହ ନିର୍ବାଚନ ପୂର୍ବରୁ ନାମାଙ୍କନ ସମୟରେ ଦାଖଲ କରିଥିବା ସତ୍ୟପାଠରେ ଠିକ ତଥ୍ୟ ପ୍ରଦାନ କରି ନଥିଲେ। ସେହି ତଥ୍ୟ ଆଧାରରେ ହାଇକୋର୍ଟ ତାଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଛନ୍ତି। ଜାଲ୍ ଜାତିଗତ ପ୍ରମାଣପତ୍ର ଅଭିଯୋଗ ପ୍ରମାଣିତ ହେବାରୁ ନୁହେଁ ବରଂ ସତ୍ୟପାଠରେ ଶ୍ରୀ ସିଂହ ପତ୍ନୀଙ୍କ ସଂପତ୍ତି ସଂପର୍କରେ ଠିକ ତଥ୍ୟ ପ୍ରଦାନ କରି ନଥିବା ପ୍ରସଂଗ ଆଧାରରେ ହାଇକୋର୍ଟ ତାଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଛନ୍ତି ବୋଲି ସୂଚନା ଦେଇଛନ୍ତି ଶ୍ରୀ ସିଂହଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ। ଶ୍ରୀ ଆଚାର୍ଯ୍ୟ କହିଛନ୍ତି ଯେ ଶ୍ରୀ ସିଂହ ଭୂୟାଁ ଅନୁସୂଚିତ ଜନଜାତି ବର୍ଗର ବୋଲି ପ୍ରକାଶିତ ରାୟରେ ସ୍ପଷ୍ଟ କରାଯାଇଛି। ଏଥି ସହିତ ‘ଭୂୟାଁ’ ଅନୁସୂଚିତ ଜନଜାତି ହୋଇଥିବା ନେଇ ଶ୍ରୀ ସିଂହଙ୍କ ସପକ୍ଷରେ ଜାରି କରାଯାଇଥିବା ଜାତିଗତ ପ୍ରମାଣପତ୍ରରେ ତ୍ରୁଟି ଥିବା ଅଭିଯୋଗକୁ ରାୟରେ ଅଗ୍ରାହ୍ୟ କରାଯାଇଛି। ଶ୍ରୀ ସିଂହଙ୍କ ନିର୍ବାଚନକୁ ଭୁଲ ଜାତିଗତ ପ୍ରମାଣପତ୍ର ଦାଖଲ କାରଣରୁ ଆବେଦନକାରୀ ଚ୍ୟାଲେଞ୍ଜ କରିଥିଲେ। ଆବେଦନକାରୀ ଅନ୍ୟ କୌଣସି କାରଣ ନିର୍ବାଚନୀ ମୋକଦ୍ଦମାରେ ଦର୍ଶାଇ ନଥିଲେ। ପ୍ରକାଶିତ ରାୟରେ ଶ୍ରୀ ସିଂହ ‘ଭୂୟାଁ’ ଅନୁସୂଚିତ ଜନଜାତିର ବୋଲି ସ୍ପଷ୍ଟ କରାଯାଇଥିବା ବେଳେ ସତ୍ୟପାଠରେ ଠିକ ତଥ୍ୟ ପ୍ରଦାନ କରାଯାଇ ନଥିବା ପୃଷ୍ଠଭୂମି ଉପରେ ବିଧାୟକଙ୍କ ସଭ୍ୟପଦ ରଦ୍ଦ କରାଯିବା ସମସ୍ତ ବିଧି ବ୍ୟବସ୍ଥାର ବିରୁଦ୍ଧାଚାରଣ କରୁଛି। ଏପରି ରାୟ ବିରୋଧରେ ସୁପ୍ରିମକୋର୍ଟରେ ମାମଲା ରୁଜୁ କରାଯିବ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି।
ସୁନ୍ଦରଗଡ଼ ବିଧାୟକଙ୍କ ସଭ୍ୟପଦ ରଦ୍ଦ ମାମଲା: ସତ୍ୟପାଠରେ ନଥିଲା ଠିକ ତଥ୍ୟ
Advertisment
Follow Us