ହିମାଚଳ ନିର୍ବାଚନ

Advertisment

ପରାଜୟ ଭୟରେ ଇନ୍ଦିରା ବିମୁଦ୍ରାକରଣ ନିଷ୍ପତ୍ତି ନେଇନଥିଲେ: ମୋଦି

ପରାଜୟ ଭୟରେ ଇନ୍ଦିରା ବିମୁଦ୍ରାକରଣ ନିଷ୍ପତ୍ତି ନେଇନଥିଲେ: ମୋଦି

ହିମାଚଳ ନିର୍ବାଚନ

ଉନା:  ହିମାଚଳ ପ୍ରଦେଶରେ ଆଗାମୀ ୯ ତାରିଖ ଦିନ ହେବାକୁ ଥିବା ନିର୍ବାଚନ ପାଇଁ ପ୍ରଚାର ଉଷ୍ଣତା ଚରମ ସୀମାରେ ପହଞ୍ଚିଛି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ଉନାରେ ଏକ ର‍୍ୟାଲିରେ ଉଦ୍‌ବୋଧନ ଦେଇ  ଦୁର୍ନୀତି ହିଁ କଂଗ୍ରେସ ଦଳର ଏକମାତ୍ର ପରିଚୟ ବୋଲି କହିଛନ୍ତି। ବିମୁଦ୍ରାକରଣ ପ୍ରସଙ୍ଗ ଉଠାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶପାଇଁ ଯେତେବେଳେ ବିମୁଦ୍ରାକରଣ ଜରୁରୀ ଥିଲା ସେତେବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ  ନିର୍ବାଚନରେ ପରାଜୟ ଭୟରେ ଏ ବାବଦ ନିଷ୍ପତ୍ତି ନେଇପାରି ନଥିଲେ। ଇନ୍ଦିରା ଯଦି ସେତେବେଳେ ଦେଶକୁ ସୁଧାରିବା ପାଇଁ ବିମୁଦ୍ରାକରଣ ନିଷ୍ପତ୍ତି ନେଇଥାନ୍ତେ ତା’ହେଲେ ଏତେ ବଡ଼ ପଦକ୍ଷେପ ଏବେ ନେବା ଆବଶ୍ୟକ ପଡ଼ିନଥାନ୍ତା ବୋଲି ମୋଦି କହିଛନ୍ତି। ଇନ୍ଦିରା ଗାନ୍ଧୀଙ୍କ ସମୟରେ ମଧ୍ୟ ବିମୁଦ୍ରାକରଣ ପ୍ରସ୍ତାବ ଆସିଥିଲା । କିନ୍ତୁ   ଏହାକୁ ଲାଗୁ କରିବା ପାଇଁ ଇନ୍ଦିରା ସାହସ ଜୁଟାଇ ପାରିନଥିଲେ ବୋଲି ମୋଦି କହିଛନ୍ତି । ଦେବଭୂମି ହିମାଚଳରେ ଦୁର୍ନୀତିରେ ବୁଡ଼ି ରହିଥିବା କଂଗ୍ରେସକୁ ଲୋକେ ଉଚିତ ଜବାବ ଦେବେ ବୋଲି ସେ କହିଛନ୍ତି।

କଂଗ୍ରେସ ସରକାର ଅମଳରେ କେବଳ ସବ୍‌ସିଡି ଲୁଟ୍‌ ଚାଲିଥିଲା। ସରକାରୀ ଅର୍ଥର ହରିଲୁଟ୍‌ ସାଂଗକୁ ଗରିବଙ୍କ ସହାୟତା ରାଶି  ଚଳୁ ହୋଇଯାଉଥିଲା।  ଏବେ ସରକାରଙ୍କ ଅନୁଦାନ ସିଧାସଳଖ ଲୋକଙ୍କ ପାଖରେ ପହଞ୍ଚୁଥିବାରୁ କଂଗ୍ରେସ ଏହାକୁ ସହ୍ୟ କରିପାରୁନାହିଁ ଏବଂ ସେଥିପାଇଁ ମତେ ଟାର୍ଗେଟ୍‌ କରାଯାଉଛି ବୋଲି ମୋଦି କହିଛନ୍ତି ।  ଦେଶରେ ଚାଲିଥିବା ଲଗାମଛଡ଼ା ଦୁର୍ନୀତି ଓ ଭ୍ରଷ୍ଟାଚାର ସଂପର୍କରେ ରାଜୀବ ଗାନ୍ଧୀ ସବୁ ଜାଣିଥିଲେ, କିନ୍ତୁ କିଛି ପଦକ୍ଷେପ ନେଇପାରୁ ନଥିଲେ।  ଏବେ ସରକାର  ଶତ ପ୍ରତିଶତ ଅନୁଦାନ ଲୋକଙ୍କ ସେବାରେ ଲଗାଇବାକୁ ସକ୍ଷମ ହୋଇଥିବାରୁ କଂଗ୍ରେସ ହତାଶ ହୋଇ କେବଳ  ବିଭ୍ରାନ୍ତି କରୁଛି ବୋଲି ମୋଦି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe