Advertisment

ହିନ୍ଦୋଳ ବିଧାନସଭାକ୍ଷେତ୍ର : ଟିକେଟ ପାଇଁ ଛକାପଞ୍ଝା

Advertisment
ହିନ୍ଦୋଳ ବିଧାନସଭାକ୍ଷେତ୍ର : ଟିକେଟ ପାଇଁ ଛକାପଞ୍ଝା

ରାସୋଳ,(ପ୍ରବୋଧ ପାଳ): ନିର୍ବାଚନ ପାଖେଇ ଆସିଥିବାବେଳେ ‌ଢ଼େଙ୍କାନାଳ ଜିଲ୍ଲା ହିନ୍ଦୋଳ ନିର୍ବାଚନ ମଣ୍ଡଳୀରେ ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସର ଆଶାୟୀ ପ୍ରାର୍ଥୀମାନଙ୍କର ଟିକେଟ ଲବି ଜୋର୍‌ ଧରିଛି। ରାଜ୍ୟ ସରକାରଙ୍କ କଲ୍ୟାଣମୂଳକ ଯୋଜନା, ନିଜସ୍ବ ସଂଗଠନ ଆଧାରରେ ବିଜେଡି, କେନ୍ଦ୍ର ସରକାରଙ୍କ ଜନାଭିମୁଖୀ ଯୋଜନା, ବ୍ୟକ୍ତିଗତ ଜନସଂପର୍କ ଭରସାରେ ବିଜେପି ଏବଂ ଦଳର ଐତିହ୍ୟ ଓ ସଂଗଠନକୁ ପୁଞ୍ଜିକରି କଂଗ୍ରେସ ପ୍ରାର୍ଥୀମାନେ ନିଜର ଟିକେଟ ହାସଲ ପାଇଁ ଲାଗିପଡ଼ିଛନ୍ତି।

ହିନ୍ଦୋଳ ଓ ଓଡ଼ପଡ଼ା ବ୍ଲକ୍‌ର ୬୩ଟି ପଞ୍ଚାୟତ ଏବଂ ହିନ୍ଦୋଳ ଏନ୍ଏସିକୁ ମିଶାଇ ଏହି ସଂରକ୍ଷିତ ନିର୍ବାଚନ ମଣ୍ଡଳୀ ଗଠିତ। ୨୦୧୪ ନିର୍ବାଚନରେ ବିଜେଡି ପ୍ରାର୍ଥୀ ସୀମାରାଣୀ ନାୟକ ୮୪,୩୫୧ଟି ଭୋଟ ପାଇ ବିଜୟୀ ହୋଇଥିବାବେଳେ ବିଜେପିର ଲକ୍ଷ୍ମୀଧର ବେହେରା ୩୩,୮୫୨ଟି ଭୋଟ ପାଇ ଦ୍ବିତୀୟ ସ୍ଥାନ ଏବଂ କଂଗ୍ରେସ ପ୍ରାର୍ଥୀ ନମିତା ନାଏକ ୩୦,୯୭୮ଟି ଭୋଟ ପାଇ ତୃତୀୟ ସ୍ଥାନରେ ଥିଲେ। ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରା ସ୍ୱାଧୀନ ପ୍ରାର୍ଥୀ ଭାବେ ଛିଡ଼ାହୋଇ ୧୨,୩୦୪ଟି ଭୋଟ ପାଇବାକୁ ସମର୍ଥ ହୋଇଥିଲେ। ସୀମାରାଣୀ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀଙ୍କଠାରୁ ୫୦,୪୯୯ଟି ଭୋଟ ଅଧିକ ପାଇଥିଲେ। ନିକଟତମ ପ୍ରତିଦ୍ବନ୍ଦ୍ବୀଙ୍କଠାରୁ ୫୦ ହଜାରରୁ ଅଧିକ ଭୋଟ ପାଇଥିବା ରାଜ୍ୟର ୧୦ ଜଣ ବିଧାୟକଙ୍କ ଭିତରେ ସେ ଥିଲେ। ଗତ ପଞ୍ଚାୟତ ନିର୍ବାଚନରେ ତ୍ରିମୁଖୀ ମୁକାବିଲା ସ‌େତ୍ତ୍ବ ମୋଟ ୭ଟି ଜିଲ୍ଲା ପରିଷଦ ଆସନ ମଧ୍ୟରୁ ୪ଟି ବିଜେଡି ଦଖଲ କରିଥିବାବେଳେ ବହୁ କମ୍‌ ବ୍ୟବଧାନରେ ବିଜେପି ୩ଟି ଆସନ ପାଇଥିଲା। କଂଗ୍ରେସ କିନ୍ତୁ ଖାତା ଖୋଲି ପାରିନଥିଲା। ଗତ ହିନ୍ଦୋଳ ଏନ୍‌ଏସି ନିର୍ବାଚନରେ ୧୬ଟି ୱାର୍ଡରୁ ୧୩ଟିରେ ବିଜେଡି ବାଜିମାତ୍‌ କରିଥିଲା। ଗୋଟିଏ ଆସନରେ ବିଜେପିକୁ ସନ୍ତୁଷ୍ଟ ‌େହବାକୁ ପଡ଼ିଥିଲା। ଅନ୍ୟ ୨ଟିରେ ସ୍ବାଧୀନ ପ୍ରାର୍ଥୀ ବିଜୟୀ ହୋଇଥିଲେ। ବିଜେଡିର ଏଭଳି ଲଗାତର ସଫଳତା ଏବଂ ବ୍ୟକ୍ତିଗତ ସଂଗଠନ ଯୋଗୁଁ ସୀମାରାଣୀ ଟିକେଟ ହାସଲ କରିବେ ବୋଲି ଆଶାବାଦୀ। ସେହିପରି କିଛିଦିନ ତଳେ କଂଗ୍ରେସରୁ ଇସ୍ତଫା ଦେଇ ବିଜେଡିରେ ସାମିଲ ହୋଇଥିବା ନମିତା ନାୟକ ଟିକେଟ ପାଇଁ ଜୋର୍‌ଦାର ଲବି କରୁଛନ୍ତି ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି।

ବିଜେପି ନେତା ଲକ୍ଷ୍ମୀଧର ବେହେରା ସାଧାରଣ ନିର୍ବାଚନରେ ୨ଥର ପରାସ୍ତ ହୋଇଥିଲେ ମଧ୍ୟ ସମର୍ଥକମାନଙ୍କ ସହ ବିଭିନ୍ନ ସ୍ଥାନରେ ସଭା ଜାରି ରଖିଛନ୍ତି। ସେହିପରି ଜିଲ୍ଲା ବିଜେପି ଅନୁସୂଚିତ ଜନଜାତି ସେଲ୍‌ ସଭାପତି ବିରଞ୍ଚି ନାୟକ ଦଳୀୟ ବିକାଶର ବାର୍ତା ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଆପ୍ରାଣ ଉଦ୍ୟମ କରୁଛନ୍ତି। ବିଜେପି ନେତା ଦୁଷ୍ମନ୍ତ ନାୟକ ମଧ୍ୟ ସମର୍ଥକଙ୍କ ସହ ସଂଗଠନ ଚଳାଇଛନ୍ତି। ସେ ଦୁହେଁ ମଧ୍ୟ ଦଳୀୟ ଟିକେଟ ପାଇଁ ଆଶାବାଦୀ ଥିବା ଆଲୋଚନା ହୋଉଛି।

ପିସିସି ସଭାପତି ପଦ ନିରଞ୍ଜନ ପଟ୍ଟନାୟକଙ୍କ ହାତକୁ ଆସିବା ପରେ କଂଗ୍ରେସର ସାଂଗଠନିକ କାର୍ଯ୍ୟ ଜୋରସୋର୍‌ ଚାଲିଛି। ଦଳର କର୍ମୀ ଦିବାକର ନାୟକ ଗାଁକୁ ଗାଁ ବୁଲି କଂଗ୍ରେସ ହାତକୁ ଶାସନ ଫେରାଇ ଆଣିବାକୁ ସଂଗଠନ ସୁଦୃଢ଼ କରିବାକୁ ଉଦ୍ୟମ ଚଳାଇଛନ୍ତି। ସେ ଟିକେଟ ପାଇଁ ଆଶାବାଦୀ ଥିବା ଚର୍ଚା ହେଉଥିବାବେଳେ ପ୍ରଦେଶ କଂଗ୍ରେସ କମିଟି ମମତାଞ୍ଜଳି ବେହେରା ଓ ବାମଦେବ ନାୟକଙ୍କ ନାମ ଏଆଇସିସି ସିଇସିକୁ ସୁପାରିସ କରିଛି। ତେଣୁ ତିନି ଜଣ ଯାକ ଦଳୀୟ ଟିକେଟ ପାଇଁ ଲବି ଚଳାଇଥିବା ଚର୍ଚା ହେଉଛି।

୨୦୧୪ ନିର୍ବାଚନ ଫଳାଫଳ

ବିଜେଡି    ସୀମ‌ାରାଣୀ ନାୟକ    ୮୪,୩୫୧
ବିଜେପି    ଲକ୍ଷ୍ମୀଧର ବେହେରା   ୩୩,୮୫୨
କଂଗ୍ରେସ   ନମିତା ନାଏକ         ୩୦,୯୭୮
ସ୍ବାଧୀନ    ଅଞ୍ଜଳି ବେହେରା      ୧୨,୩୦୪

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe