The Hindu
ନୂଆଦିଲ୍ଲୀ/ ଗୌହାଟୀ: ଚଳିତ ୨୦୧୯ ନିର୍ବାଚନରେ ସମଗ୍ର ଦେଶରେ ପ୍ରାୟ ୯୦ କୋଟିରୁ ଉର୍ଦ୍ଧ୍ୱ ଭୋଟର ସେମାନଙ୍କର ମତଦାନ ଅଧିକାର ସାବ୍ୟସ୍ତ କରିବେ। ତେବେ, ଆସାମର ୨୭ ଜଣ ଭୋଟରଙ୍କୁ କେନ୍ଦ୍ରକରି ଏବେ ଦେଶବ୍ୟାପି ଆରମ୍ଭ ହୋଇଛି ଚର୍ଚ୍ଚା ଓ ଆଲୋଚନା।
କାରଣ, ନିର୍ବାଚନରେ ବୟସ ହେଉଛି ଏକ ସଂଖ୍ୟା। ନିଜର ଦୃଢ଼ ଇଚ୍ଛା ଶକ୍ତି ଥିଲେ ସବୁ ସମ୍ଭବ; ନିର୍ବାଚନରେ ଭୋଟଦାନ ହେଉ କି ପ୍ରତିଦ୍ୱନ୍ଦିତା! ପୁଣି ଏକ ସୁସ୍ଥ ଗଣତାନ୍ତ୍ରିକ ରାଷ୍ଟ୍ରରେ ଜଣେ ସଚେତନ ଓ ଦାୟିତ୍ୱ ସଂପନ୍ନ ନାଗରିକର ସବୁଠାରୁ ବଡ଼ ଅଧିକାର ସହ ପରମ କର୍ତ୍ତବ୍ୟ ହେଉଛି, ନିର୍ବାଚନରେ ନିଜର ମତଦାନ ସାବ୍ୟସ୍ତ। ଆଉ ନିର୍ବାଚନରେ ପ୍ରତିଟି ଭୋଟ ହେଉଛି ମୂଲ୍ୟବାନ୍। ଏହି କଥାକୁ ଏବେ କାର୍ଯ୍ୟରେ କରି ଦେଖାଇବାକୁ ବାହାରିଛନ୍ତି ଆସାମର ନଲବରୀ ଜିଲ୍ଲାର ୨୭ ଜଣ ଶତାୟୁ ଭୋଟର।
The Hinduହସ୍ତଗତ ହୋଇଥିବା ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଆସାମରେ ଅପ୍ରେଲ ୧୧, ୧୮ ଓ ୨୩ ତାରିଖରେ ତିନିଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ। ଆସାମର ନଲବରୀ ଜିଲ୍ଲା ମଧ୍ୟରେ ରହିଛି ତିନିଟି ଲୋକସଭା କ୍ଷେତ୍ର- ଗୌହାଟୀ, ବାରପେଟା ଓ ମଙ୍ଗଲଦୋଇ। ଆଉ ନଲବରୀ ଜିଲ୍ଲାରେ ରହିଛନ୍ତି ୨୭ ଜଣ ଶତାୟୁ ଭୋଟର ଯେଉଁମାନେ କି ଏହି ତିନିଟି ଲୋକସଭା ଆସନ ପାଇଁ ନିଜ ନିଜର ମତଦାନ ଅଧିକାର ସାବ୍ୟସ୍ତ କରିବେ। ସେଥିପାଇଁ ଆସାମ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ ଏହି ୨୭ ଜଣ ଶତାୟୁ ମତଦାତାଙ୍କୁ ୨୦୧୯ ନିର୍ବାଚନରେ ‘ସ୍ୱତନ୍ତ୍ର ଅତିଥି’ର ମାନ୍ୟତା ପ୍ରଦାନ କରିଛନ୍ତି। ଏମାନଙ୍କ ମଧ୍ୟରେ ସବୁଠାରୁ ବୟୋଜ୍ୟେଷ୍ଠ ହେଉଛନ୍ତି ଚନାରାମ ବର୍ମନ, ଯାହାଙ୍କ ବୟସ ହେଉଛି ୧୦୪! ଭୋଟ ଗ୍ରହଣ ଦିନ ଏହି ୨୭ ଜଣ ଶତାୟୁ ଭୋଟରଙ୍କୁ ସେମାନଙ୍କ ଘରୁ ଭୋଟ ଗ୍ରହଣ କେନ୍ଦ୍ରକୁ ନେବା ପାଇଁ ସ୍ୱତନ୍ତ୍ର ଗାଡ଼ି ଓ ଭୋଟ ଗ୍ରହଣ କେନ୍ଦ୍ରରେ ଏମାନଙ୍କ ପାଇଁ ସ୍ୱତନ୍ତ୍ର ହ୍ଵିଲ୍ ଚେୟାରର ବ୍ୟବସ୍ଥା ଜିଲ୍ଳା ପ୍ରଶାସନ ପକ୍ଷରୁ କରାଯାଇଛି।
ଏମାନଙ୍କ ବ୍ୟତୀତ ନଲବରୀ ଜିଲ୍ଲାରେ ରହିଛନ୍ତି ୩,୮୩୩ ଜଣ ଅଶତିପର (ଯାହାଙ୍କ ବୟସ ୮୦ରୁ ୯୦ ମଧ୍ୟରେ) ଭୋଟର। ସେହିପରି ଏହି ଜିଲ୍ଲାର ୧୩, ୭୮୬ ଜଣ ନୂତନ ଭୋଟର ଚଳିତ ନିର୍ବାଚନରେ ପ୍ରଥମ ଥର ପାଇଁ ମତଦାନ ଅଧିକାର ସାବ୍ୟସ୍ତ କରିବେ ଯେଉଁମାନଙ୍କ ବୟସ ୧୮ରୁ ୧୯ ମଧ୍ୟରେ।
Follow Us