ଆଜି ବିଜେପିରେ ମିଶିବେ ମିହିର ଦାସ, ଅନୁ ଚୌଧୁରୀ

Advertisment

ରମା ବଳିୟାରସିଂହ ବି ସାମିଲ୍‌ ହେବେ

ରମା ବଳିୟାରସିଂହ ବି ସାମିଲ୍‌ ହେବେ

ଆଜି ବିଜେପିରେ ମିଶିବେ ମିହିର ଦାସ, ଅନୁ ଚୌଧୁରୀ

ଭୁବନେଶ୍ୱର : ଓଲିଉଡ୍‌ ତାରକାଙ୍କୁ ନିଜ ଦଳରେ ସାମିଲ୍‌ କରିବା ପାଇଁ ବିଜେଡି ଓ ବିଜେପି ମଧ୍ୟରେ ଚାଲିଥିବା ପ୍ରତିଯୋଗିତାରେ ବିଜେପି ଏବେ ଆଉ ପାଦେ ଆଗେଇଛି। ବରିଷ୍ଠ ଅଭିନେତା ମିହିର ଦାସ ଓ ଅଭିନେତ୍ରୀ ଅନୁ ଚୌଧୁରୀ ଆସନ୍ତାକାଲି ବିଜେପିରେ ସାମିଲ୍‌ ହେବେ। ଦଳୀୟ କାର୍ଯ୍ୟାଳୟରେ ହେବାକୁ ଥିବା ମିଶ୍ରଣ ପର୍ବରେ ଏହି ଦୁଇ ତାରକାଙ୍କ ବାଦ୍‌ ସତ୍ୟବାଦୀର ପୂର୍ବତନ ବିଧାୟକ ରମାରଞ୍ଜନ ବଳିୟାରସିଂହ ମଧ୍ୟ ଦଳରେ ଯୋଗ ଦେବେ।

ଓଲିଉଡ୍‌ର ଅଧିକାଂଶ ଆଗଧାଡ଼ିର ଅଭିନେତା ଏବେ ବିଜେଡିରେ। ତେବେ ବିଜେପି ବି ଏଥିରେ ପଛରେ ପଡ଼ିବାକୁ ଚାହୁଁ ନାହିଁ। ପୂର୍ବରୁ ଅଭିନେତା ଶ୍ରୀତମ ଦାସ, ହରିହର ମହାପାତ୍ର, ଅଭିନେତ୍ରୀ ପିଙ୍କି ପ୍ରଧାନ ପ୍ରମୁଖ ବିଜେପିରେ ସାମିଲ୍‌ ହୋଇ ସକ୍ରିୟ ଅଛନ୍ତି। ଏବେ ମିହିର ଦାସ ଓ ଅନୁ ଚୌଧୁରୀ ମିଶିବେ। ତେବେ ମିହିର ୨୦୧୪ ନିର୍ବାଚନ ପୂର୍ବରୁ ବିଜେଡିରେ ସାମିଲ୍‌ ହୋଇଥିଲେ। ନିର୍ବାଚନରେ ଦଳ ପାଇଁ ପ୍ରଚାର ବି କରିଥିଲେ। କିନ୍ତୁ ତାହା ପର ଠାରୁ ବିଜେଡିର କୌଣସି ଦଳୀୟ କାର୍ଯ୍ୟକ୍ରମରେ ମିହିରଙ୍କୁ ଦେଖିବାକୁ ମିଳି ନ ଥିଲା।  ବିଜେପି ଓ ନରେନ୍ଦ୍ର ମୋଦିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଏହି ଦଳରେ ଯୋଗ ଦେବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ଉଭୟ ମିହିର ଓ ଅନୁ କହିଛନ୍ତି। ମିହିର ଆହୁରି କ୍ଷୋଭ ପ୍ରକାଶ କରିଛନ୍ତି, କଳାସଂସ୍କୃତିର ବିକାଶ ପାଇଁ ରାଜ୍ୟ ସରକାର କିମ୍ବା ପଦପଦବିରେ ଥିବା କଳାକାର କୌଣସି ପଦକ୍ଷେପ ନେଉ ନାହାନ୍ତି। ଏତେ ଦିନ ଧରି ଓଡ଼ିଶା ପଛୁଆ ରାଜ୍ୟ ରହିବା ଦୁର୍ଭାଗ୍ୟଜନକ।

ଅନ୍ୟ ପଟେ ଗତ ସପ୍ତାହରେ ବିଜେଡିର ଇସ୍ତଫା ଦେଇଥିବା ପୂର୍ବତନ ବିଧାୟକ ରମାରଞ୍ଜନ ବଳିୟାରସିଂହ ଆସନ୍ତାକାଲି ନିଜ ସମର୍ଥକଙ୍କ ସହ ବିଜେପିରେ ଯୋଗ ଦେବେ। ବିଜେଡିରୁ ଇସ୍ତଫା ଦେଲା ପରେ ତୃତୀୟ ମହଲାକୁ ଟାର୍ଗେଟ୍‌ କରି ମନ୍ତବ୍ୟ ଦେଇ ରମାରଞ୍ଜନ ଚର୍ଚ୍ଚାରେ ରହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe