ଭୁବନେଶ୍ବର: ଯେବେ ବିଧାନସଭା ବସେ- ସେବେ ସାଧାରଣ ଲୋକଟିଏ କଣ ଚାହେଁ ? ସିଏ ତ ବିଧାୟକ ନୁହେଁ କି ନେତା ନୁହେଁ, ଚାହିଁବ କଣ ? ଆପଣଙ୍କ ଉତ୍ତର ଏଇୟା ହିଁ ହେବ… କିନ୍ତୁ ନା, ସାଧାରଣ ଲୋକଟିର ବିଧାନସଭା ଉପରେ ଅନେକ ଆଶା ଥାଏ । ସାଧାରଣ ସରକାରୀ ଚାକିରି କରୁଥିବା କର୍ମଚାରୀଟିର ବି ଗୃହର ଆଲୋଚନା ଉପରେ ନଜର ଥାଏ ଆଜ୍ଞା... କାରଣ- ଜନତା ଚାହାଁନ୍ତି ବିଧାନସଭାରେ ସେମାନଙ୍କ ସ୍ବାର୍ଥ ସମ୍ବଳିତ ପ୍ରସଙ୍ଗ ଆଲୋଚନା ହେଉ ଆଉ ସେହି ଆଲୋଚନା କିଛି ଗୋଟେ ନିଷ୍କର୍ସରେ ପରିଣତ ହୋଇ ନିଷ୍ପତ୍ତିରେ ବଦଳୁ । ସେମାନଙ୍କ ପାଇଁ ବିଧାନସଭାରେ ସରକାର କିଛି ଘୋଷଣା କରନ୍ତୁ । ଚାଷୀଟିଏ ବିଧାନସଭାକୁ ଚାହିଁଥାଏ, ଚାକିରିଆଟିଏ ବି ଚାହିଁଥାଏ, କଳାକାରଟିଏ ବି ଅନେଇ ରହିଥାଏ । ସେମାନଙ୍କର ଶତ ପ୍ରତିଶତ ବିଶ୍ବାସ ଥାଏ କି ସେମାନେ ଯେଉଁ ଜନପ୍ରତିନିଧିଙ୍କୁ ସେମାନଙ୍କ ମୂଲ୍ୟବାନ ଭୋଟ ଦେଇ ବିଧାନସଭାକୁ ପଠାଇଛନ୍ତି ସେହି ବିଧାୟକମାନେ ହିଁ ସାଜିବେ ସାଧାରଣ ଲୋକଙ୍କ ସ୍ବର…

Advertisment

assembly 2

କିନ୍ତୁ ହାଏ, ଏବେ ବଦଳି ଯାଇଛି ପରିସ୍ଥିତି । ସେ ସଂସଦ ହେଉ କି ବିଧାନସଭା । କେଉଁଠି ଆଉ ଏତେ ଆଲୋଚନା ହେବାର ଦେଖିବାକୁ ମିଳୁନି । ଅଧିବେଶନ ପରେ ଅଧିବେଶନ ବସୁଛି କିନ୍ତୁ ଲୋକଙ୍କ ପ୍ରସଙ୍ଗରେ ଆଲୋଚନା କମ୍, ଅଚଳାବସ୍ଥା ଅଧିକ ଦେଖାଦେଉଛି । ଲୋକଙ୍କ ଟଙ୍କାରେ ଗୃହ ଚାଲୁଥିଲେ ହେଁ ଲୋକଙ୍କ ପ୍ରସଙ୍ଗ ଆଲୋଚନା ନହୋଇ ନିଇତି ନୂଆ ନୂଆ ନାଟକ ହେଉଛି । ଦିନଟିଏ ପାଇଁ ବିଧାନସଭା ଚାଲିବାକୁ ପ୍ରାୟ ୭୦ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ସବୁଦିନ ପାଣିରେ ପଡୁଛି ଟଙ୍କା । ଯେଉଁ କରଦାତାଙ୍କ ଅର୍ଥରେ ଗୃହ ଚାଲୁଛି ସେହି ଗୃହରେ କିନ୍ତୁ ଲୋକଙ୍କ କଥା କିଛି ବି ଆଲୋଚନା ହେଇପାରୁନି । ତେଣୁ ଓଡିଶା ବିଧାନସଭାର ମୌସୁମୀ ଅଧିବେଶନକୁ ନେଇ ନାଖୁସ ଅଛନ୍ତି ସାଧାରଣ  ଜନତା ।

ଚଳିତ ମୌସୁମୀ ଅଧିବେଶନର କାର୍ଯ୍ଯଦିବସ ମାତ୍ର ୭ ଦିନ । ଅଧିବେଶନ ଛୋଟ ହୋଇପାରେ ମାତ୍ର ପ୍ରସଙ୍ଗ ଅନେକ ରହିଛି । ହେଲେ ଆଲୋଚନା ଶୂନ । ରାଜ୍ୟରେ ମାଳମାଳ ପ୍ରସଙ୍ଗ ଥାଇ ବି ଗୋଟେ ପ୍ରସଙ୍ଗରେ ସ୍ଥିର ଆଲୋଚନା ହେଇ ପାରୁନି । ତିନି ଦିନ ହେବ ଅଧିବେଶନ ଆରମ୍ଭ ହୋଇଥିବା ବେଳେ ୩ ଦିନ ଯାକ ବିରୋଧୀଙ୍କ ହୋହଲ୍ଲାରେ ଧୋଇଗଲାଣି ବିଧାନସଭାର କାର୍ଯ୍ଯ ଦିବସ । ୭ରୁ ୩ ଦିନ ଦିନ ଏମିତି ଏମିତିରେ ଗଲାଣି, ଆଉ ହାତରେ ମାତ୍ର ୪ ଦିନ । ସେହି ୪ ଦିନ ଲୋକଙ୍କ କଥା ଆଲୋଚନା ହେବ ନା ସେମିତି ଡ୍ରାମାରେ ସରିଯିବ ତାକୁ ନେଇ ସନ୍ଦେହ ବଢିଲାଣି ।

ବେକାରୀ ସମସ୍ୟା ହେଉ କି ନାରୀ ସୁରକ୍ଷାର କଥା, ଅବା ହେଉ ଚାଷୀଙ୍କ ଚିତ୍କାରର କାହାଣୀ… ରାଜ୍ୟରେ ଅନେକ ପ୍ରସଙ୍ଗ ଅଛି। ବିରୋଧୀ ଏହାକୁ ଅସ୍ତ୍ର କରି ଶାସକ ଦଳକୁ ଘାଇଲା କରିଦେବା କଥା । ମାତ୍ର ଖାଲି ହୋହଲ୍ଲାରେ ସରିଗଲାଣି ୩ ଦିନ । ଗତକାଲି ୮ ମିନିଟ୍ ଆଜି ୧୫ ମିନିଟ୍ ଚାଲିଛି ଗୃହ । ଗୋଟେ ପଟେ ବିରୋଧୀ ପ୍ରସଙ୍ଗ ଧରି ବସିଥିବା ବେଳେ ଅନ୍ୟପଟେ ଶାସକ ଦଳ କହୁଛନ୍ତି ଆମେ ସବୁ ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରସ୍ତୁତ ଅଛୁ । ସବୁ ଯଦି ପ୍ରସ୍ତୁତ ତେବେ କାହିଁକି ହେଉନି ଆଲୋଚନା ? ନା ଶୂନ୍ୟକାଳ, ନା ପ୍ରଶ୍ନକାଳ- ଆଲୋଚନା ନହେଇ ଦୁଇ ଦିନ ହେଲାଣି କାହିଁକି ଧୋଇ ଯାଉଛି ମୌସୁମୀ ଅଧିବେଶନ ? କିଏ ଚଳାଇ ଦେଉନି ଗୃହ ? କିଏ ଦେବ ଏ ସବୁ ପ୍ରଶ୍ନର ଉତ୍ତର…? ଜବାବ ମାଗୁଛନ୍ତି ଜନତା, ଉତ୍ତର ଅପେକ୍ଷାରେ ଅଛନ୍ତି ସାଧାରଣ ଲୋକେ ।

assembly

ଶାସକ-ବିରୋଧୀ ଦୋଷ ଲଦାଲଦି, ଆରୋପ-ପ୍ରତ୍ୟାରୋପର ରାଜନୀତି ପାଇଁ ବାରମ୍ବାର ମୁଲତବି ହେଉଛି ଗୃହ । ଯେଉଁ ପ୍ରସଙ୍ଗ ଭିତ୍ତିକ ଆଲୋଚନା ହେବା କଥା ତାହା ନହୋଇ ବେଶି କୋଳାହଳ ଶୁଭୁଛି, ହୋହଲ୍ଲା ନାରାବାଜି ଲାଗୁଛି । ପୂରା ୩ ଦିନକୁ ଯଦି ଆପଣ ଅନୁଧ୍ୟାନ କରିବେ ତାହାଲେ ଗୃହ ଚଳାଇବାକୁ କମ୍, ଅଚଳ କରିବାକୁ ବେଶି ଆଗ୍ରହୀ ଥିବା ଦେଖିବାକୁ ମିଳୁଛି । ଯେଉଁ ଜନପ୍ରତିନିଧିଙ୍କୁ ଲୋକେ ବିଧାନସଭା ପଠାଇଛନ୍ତି ସେମାନଙ୍କ ଭିତରେ ଶୃଙ୍ଖଳାର ଅଭାବ ପରିଲକ୍ଷିତ ହେଉଛି । ଯେଉଁଥି ପାଇଁ ପ୍ରସଙ୍ଗରୁ ବାହାରି ଏସବୁ ନାଟକ ଦେଖିବାକୁ ମିଳୁଛି । ଆଉ ବାଚସ୍ପତି ବି ଶୃଙ୍କଳା ରକ୍ଷା ପାଇଁ ଅନୁରୋଧ କରିଛନ୍ତି  ।

ତେବେ ଅନ୍ୟପଟେ ଯଦି ଦେଖାଯାଏ ତାହାଲେ ଦୁଇ ବିରୋଧୀଙ୍କ କଳି ପାଇଁ ସାଧାରଣ ଲୋକଙ୍କ ସ୍ବାର୍ଥ ସମ୍ବଳିତ ପ୍ରସଙ୍ଗ ବଳି ପଡିଯାଉଥିବା କଥାକୁ ଆଦୌ ଏଡାଇ ଦିଆଯାଇ ନପାରେ । କାରଣ ବିଗତ ବର୍ଷ ମାନଙ୍କରେ ଯିଏ ଶାସକ ଦଳରେ ଥିଲା ଆଜି ଯେହେତୁ ସିଏ ବିରୋଧୀ ଆସନରେ । ତେଣୁ ବିରୋଧୀର ସ୍ବର ଶାଣିତ ହେବା ନିହାତି ଦରକାର ବୋଲି ବିଜେଡି ଭାବିଥିବା ବେଳେ କିନ୍ତୁ କଂଗ୍ରେସ ଅନାସ୍ଥା ଆଣିବା ପରେ ପୂରା ନଜର କଂଗ୍ରେସ ଉପରେ କେନ୍ଦ୍ରୀଭୂତ ଥିବାରୁ ହୁଏତ ବିଧାନସଭା ଅଚଳାବସ୍ଥାର ସବୁ ଶ୍ରେୟ କାଳେ କଂଗ୍ରେସ ନେଇଯିବ କି ? ଏ ଆଶଙ୍କା ବିଜେଡିକୁ ଘାରିଥାଇ ପାରେ ବୋଲି ବି କୁହାଯାଉଛି । ଯେଉଁଥିପାଇଁ ‘ସାର ସଙ୍କଟ’କୁ ଶର କରି ଶାସକକୁ ସାର ଶର ମାରିଚାଲିଛି ବିରୋଧୀ ବିଜେଡି । ଆଟେସନ ସିକର ଫଣ୍ଡା ଆପଣେଇ ଏବେ ବିଜେଡି ଫୁଲ ଦମରେ ବିଧାନସଭା ହୁଲସ୍ତୁଲ କରୁଥିବା ବେଳେ ଗୃହ ବାରମ୍ବାର ମୁଲତବି ହେଉଛି । 

ବିଧାନସଭା ମୌସୁମୀ ଅଧିବେଶନ ଦ୍ୱିତୀୟ ଦିନ ବିରୋଧୀଙ୍କ ହଟ୍ଟଗୋଳରେ କଟିଯାଇଥିଲା । ବିଧାୟକ ଦଳ ବୈଠକରେ ଯେଉଁ ନିଷ୍ପତ୍ତି କରିଥିଲା ବିଜେଡି ଗୃହ ଆରମ୍ଭ ହେବା ମାତ୍ରେ ତାକୁ କାର୍ଯ୍ୟକାରୀ କରିଥିଲା । ବାଚସ୍ପତିଙ୍କ ପୋଡିୟମ ତଳକୁ ଆସି ନାରାବାଜି ଆରମ୍ଭ କରିଦେଇଥିଲେ ବିଜେଡି ସଦସ୍ୟ। ହାତରେ ପ୍ଲା-କାର୍ଡ ଓ ବ୍ୟାନର ଧରିଥିଲେ । ଚାଷୀ ମାରଣ ନୀତି ଚଳିବ ନାହିଁ କହି ସରକାରଙ୍କୁ ଘେରିଥିଲେ । କଂଗ୍ରେସ ବିଧାୟକ ମଧ୍ୟ ନିଜ ନିଜ ଆସନରେ ଛିଡ଼ା ହୋଇ ପ୍ରତିବାଦ କରିଥିଲେ । 'ରାଜ୍ୟରେ ସାର ଓ ୟୁରିଆ ସଙ୍କଟ, ଚାଷୀ ହନ୍ତସନ୍ତ, ସାରର କଳାବଜାରୀରେ ଦଲାଲ ମାଲେମାଲ, ସରକାର ଚୁପ୍‌' ପ୍ରସଙ୍ଗରେ ମୁଲତବି ପ୍ରସ୍ତାବ ଦେଇଥିଲା କଂଗ୍ରେସ । ପ୍ରଶ୍ନକାଳକୁ ବାତିଲ୍‌ କରି ମୁଲତବି ପ୍ରସ୍ତାବରେ ଆଲୋଚନା ପାଇଁ ଅଡ଼ି ବସିଥିଲା । ହୋହଲ୍ଲାରେ ବିଧାନସଭା କମ୍ପୁଥିବାବେଳେ, ଚୁପ୍‌ କରିବାକୁ ଶତଚେଷ୍ଟା କରି ବିଫଳ ହେବାରୁ ପ୍ରଥମାର୍ଦ୍ଧରେ ଅପରାହ୍ଣ ୪ଟା ଯାଏଁ ଗୃହ ମୁଲତବି କରିଥିଲେ ବାଚସ୍ପତି । 

କିନ୍ତୁ ଇତି ମଧ୍ଯରେ ବିଧାନସଭାରେ ବଡ଼ ବିଚିତ୍ର ସ୍ଥିତି ଦେଖିବାକୁ ମିଳିଥିଲା । ମୁଲତବି ପ୍ରସ୍ତାବ କଂଗ୍ରେସ ଆଣିଥିଲା, କିନ୍ତୁ ହଙ୍ଗାମା ବିଜେଡି କରିଥିଲା… ଆଲୋଚନା ନକରି ଗୃହକୁ ବାତିଲ କରିଦେଲେ ବାଚସ୍ପତି । ବିଜେପି ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ହୋଇଥିଲା, ରାଜ୍ୟ ସ୍ୱାର୍ଥ ସମ୍ବଳିତ ଯାହା ପ୍ରସଙ୍ଗ ଆସିବ ଆଲୋଚନା କରିବେ ସରକାର । ହେଲେ ପ୍ରଶ୍ନକାଳ ବାତିଲ ଦାବିରେ ରାଜି ହୋଇନଥିଲେ ବାଚସ୍ପତି । ସାର ପ୍ରସଙ୍ଗରେ ସ୍ୱତନ୍ତ୍ର ଆଲୋଚନା ଚାହୁଥିଲା ବିଜେଡି । ଯାହା ଫଳରେ ଗୃହ ସ୍ୱାଭାବିକ ହୋଇପାରିଲାନି । ଦ୍ୱିତୀୟାର୍ଦ୍ଧରେ ବି ଗୃହ ଅଚଳ ହେଲା । ୩ୟ ଦିନରେ ବି ବିଜେଡି ଭାରି ପଡିଲା । ଆଉ ପୁଣି ୩ୟ ଦିନରେ ୧୫ ମିନିଟ୍ ଚାଲି ଗୃହ ସୋମବାର ଯାଏଁ ମୁଲତବି ହେଲା ।

ଛୋଟିଆ ଅଧିବେଶନରେ ବାରମ୍ବାର ଗୃହ ମୁଲତବି ହେବା ଫଳରେ ଯେଉଁ ପ୍ରସଙ୍ଗ ଉପରେ ଅଳ୍ପ ଦିନରେ ବେଶି ଆଲୋଚନା ହେବାର କଥା ହେଇ ପାରୁନି । ତେଣୁ ଜନପ୍ରତିନିଧିମାନେ ଲୋକଙ୍କ ସ୍ବାର୍ଥ ପାଇଁ ଆଲୋଚନା କରନ୍ତୁ ବୋଲି ରାଜନୈତିକ ସମୀକ୍ଷକ, ବୁଦ୍ଧିଜୀବୀ ଏବଂ ସାରଧାରଣ ଲୋକେ ଦାବି କରିଛନ୍ତି । ଯଦି ସବୁଦିନ ଏମିତି ହେବ ତେବେ ୭ ଦିନ ହୋହଲ୍ଲା-ନାରାବାଜି ଏବଂ ମୁଲତବିରେ କଟିଯିବ । ମୌସୁମୀ ଅଧିବେଶନ ବଦନାମ ମୁଣ୍ଡେଇ ଇତିହାସ ଲେଖିବ !

ଅଧିକ ପଢନ୍ତୁ-

୭ରୁ ୩ ଗଲା… ଆଉ ରହିଲା ୪: ଆଜି ବି ବିଧାନସଭା ଅଚଳ… କାଲି ଚାଲିଥିଲା ୮ ମିନିଟ୍, ଆଜି ୧୫ ମିନିଟ୍