ପିସିସି ସଭାପତି ପରିବର୍ତ୍ତନ ନେଇ ଦ୍ୱନ୍ଦ୍ୱ ଜାରି

Advertisment
ପିସିସି ସଭାପତି ପରିବର୍ତ୍ତନ ନେଇ ଦ୍ୱନ୍ଦ୍ୱ ଜାରି

ଭୁବନେଶ୍ୱର/ନୂଆଦିଲ୍ଲୀ : ଅନ୍ୟାଦେଶ ପର୍ଯ୍ୟନ୍ତ ପିସିସି ସଭାପତି ପରିବର୍ତ୍ତନ ହେବ ନାହିଁ ବୋଲି ଗତକାଲି ଏଇଆଇସିସି ପକ୍ଷରୁ ଏକ ପ୍ରେସ୍‌ ବିବୃତିରେ ସୂଚନା ଦିଆଯିବା ପରେ ପୁଣି ରାଜ୍ୟ କଂଗ୍ରେସ ରାଜନୀତି ସରଗରମ ହୋଇଛି। ଏହାକୁ ନେଇ ଗଣମାଧ୍ୟମରେ ବୟାନବାଜି ଆରମ୍ଭ ହୋଇଯାଇଛି। ଅପର ପକ୍ଷରେ ଗତକାଲି ରାତିରେ ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ନୂଆଦିଲ୍ଲୀ ଗସ୍ତ ନେଇ ବିଭିନ୍ନ କଳ୍ପନାଜଳ୍ପନା ଚାଲିଥିଲା। କିନ୍ତୁ ନିଜେ ଶ୍ରୀ ପଟ୍ଟନାୟକ ଏହି ଚର୍ଚ୍ଚାର ପୂର୍ଣ୍ଣଛେଦ ଟାଣିଛନ୍ତି। ସେ କହିଛନ୍ତି, ମୁଁ ବ୍ୟକ୍ତିଗତ କାମରେ ଦିଲ୍ଲୀ ଯାଇଥିଲି। କୌଣସି ରାଜନୈତିକ କାମରେ ଯାଇ ନ ଥିଲି। ଏଆଇସିସି ପକ୍ଷରୁ ଯେଉଁ ପ୍ରେସ୍‌ ବିଜ୍ଞପ୍ତି ଦିଆଯାଇଛି ତାହା ସ୍ୱାଭାବିକ। କିଏ ସଭାପତି ରହିବେ ଓ ନ ରହିବେ, ସେ ନେଇ ନିଷ୍ପତ୍ତି ନେବାର ସମ୍ପୂର୍ଣ୍ଣ କ୍ଷମତା ଏଆଇସିସିର ଅଛି। ଏଆଇସିସି ବିଜ୍ଞପ୍ତିରେ ସଭାପତି ବଦଳିବେ ନାହିଁ ବୋଲି କୁହାଯାଇଛି। ସାରା ଭାରତ ପାଇଁ ଏହା କରାଯାଇଛି। ଆବଶ୍ୟକ ସ୍ଥଳେ ବଦଳାଇପାରିବେ ବୋଲି ବି ଲେଖାଯାଇଛି। ଯଦି ନ ବଦଳିବେ, ତାହା କଂଗ୍ରେସର ଭଲ ପାଇଁ। ଯଦି ବଦଳିବେ, ତାହା ବି କଂଗ୍ରେସ ଭଲ ପାଇଁ।

ଅପର ପକ୍ଷରେ ଏହି ପ୍ରସଙ୍ଗରେ ଦଳୀୟ ନେତାମାନେ ଗଣମାଧ୍ୟମରେ ବିବୃତି ଜାରି ରଖିଛନ୍ତି। ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ବାହିନୀପତି କହିଛନ୍ତି, ରାହୁଲ ଗାନ୍ଧୀ ହେଲେ ଦଳର ସର୍ବୋଚ୍ଚ ନେତା। ସେ ଯାହା ନିଷ୍ପତ୍ତି ନେବେ, ତାହାକୁ ଆମେ ମାନିନେବୁ। ତେବେ ନିରଞ୍ଜନ ପଟ୍ଟନାୟକ ସଭାପତି ହେବା ଆବଶ୍ୟକ ବୋଲି ସେ ନିଜର ମତକୁ ଦୋହରାଇଛନ୍ତି। ସେହିପରି ବିଧାୟକ ଯୋଗେଶ ସିଂହ ବି ନିରଞ୍ଜନ ସଭାପତି ହୁଅନ୍ତୁ ବୋଲି କହିଛନ୍ତି। ଅନ୍ୟ ଏକ ସୂଚନା ଅନୁଯାୟୀ ରାହୁଲ ଗାନ୍ଧୀ କଂଗ୍ରେସର ସଭାପତି ଭାବେ ଦାୟିତ୍ୱ ନେବା ପରେ ଏଆଇସିସିର ପ୍ଲେନାରି ସେସନ୍‌ ଆୟୋଜିତ ହୋଇନାହିଁ। ଏହା ଦ୍ୱାରା କଂଗ୍ରେସ ସଭାପତିଙ୍କ ପଦୋନ୍ନତିକୁ ଗୃହୀତ କରାଯିବାର ବ୍ୟବସ୍ଥା ଥିବା ବେଳେ ଫେବ୍ରୁଆରି ମାସରେ କଂଗ୍ରେସ ଶାସିତ ପଞ୍ଜାବ ଅବା କର୍ଣ୍ଣାଟକରେ ପ୍ଲେନାରି ସେସନ୍‌ ହେବ। ତାହା ପରେ ସିଡବ୍ଲ୍ୟୁସି ଓ ଏଆଇସିସିର ପୁନର୍ଗଠନ କରାଯିବାର ସମ୍ଭାବନା ରହିଛି। ୨୦୧୯ ସାଧାରଣ ନିିର୍ବାଚନକୁ ଦୃଷ୍ଟିରେ ରଖି ରାହୁଲ ଏଆଇସିସିର ସମ୍ପୂର୍ଣ୍ଣ ପୁନର୍ବିନ୍ୟାସ କରି ନୂଆ ଟିମ୍‌ ଗଠନ କରିବେ। ପିସିସି ପୁନର୍ଗଠନ ସେହି ସମୟରେ ହେବ ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe