ଭୁବନେଶ୍ଵର: ଜୟ ଜଗନ୍ନାଥରୁ ଭାଷଣ ଆରମ୍ଭ, ଜୟ ଜଗନ୍ନାଥରେ ଭାଷଣ ଶେଷ । ଓଡିଶାରେ ବିଜେପି ସରକାରର ବର୍ଷପୂର୍ତ୍ତି ଅବସରରେ ଯୋଗଦେଇ ପ୍ରଧାନମନ୍ତ୍ରୀ ମୋଦୀ ମହାପ୍ରଭୁ ଜଗନ୍ନାଥ ଏବଂ ମହାପ୍ରଭୁଙ୍କ ପବିତ୍ର ମାଟି ଓଡିଶା କଥା କହିଛନ୍ତି । ମହାପ୍ରଭୁଙ୍କ ପ୍ରତି ତାଙ୍କର ଭକ୍ତି ଏବଂ ଓଡିଶାବାସୀଙ୍କ ଭଲପାଇବା ତାଙ୍କୁ କେମିତି କାନାଡାରୁ ଓଡିଶା ନେଇ ଆସିଲା ତାହା ଜନତା ମୈଦାନର ଜନସଭାରେ ବଖାଣିଛନ୍ତି ପ୍ରଧାନମନ୍ତ୍ରୀ । 

Advertisment

ମୋଦୀ କହିଛନ୍ତି- ଦୁଇ ଦିନ ତଳେ ମୁଁ କାନାଡାରେ ଜି-୭ ସମ୍ମିଳନୀରେ ଯୋଗ ଦେବାକୁ ଯାଇଥିଲି । ସେତେବେଳେ ମୋତେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫୋନ କରିଥିଲେ ଆଉ କହିଥିଲେ, କାନାଡା ଆସିଛନ୍ତି ଯେତେବେଳେ, ଟିକେ ଓ୍ୱାସିଂଟନ ହେଇକି ଯାଆନ୍ତୁ.. ସାଙ୍ଗ ହୋଇ ଖାଇବା, କଥା ହେବା.. ସେ ମୋତେ ସାଦରେ ନିମନ୍ତ୍ରଣ କରିଥିଲେ.. ହେଲେ ମୁଁ ଟ୍ରମ୍ପଙ୍କୁ କହିଥିଲି, ନିମନ୍ତ୍ରଣ ପାଇଁ ବହୁତ ବହୁତ ଧନ୍ୟବାଦ । ମୋତେ ମହାପ୍ରଭୁଙ୍କ ମାଟିକୁ ଯିବାର ଅଛି, ସେଠାକୁ ଯିବା ବହୁତ ଜରୁରୀ । ସେଥିପାଇଁ ମୁଁ ତାଙ୍କ ନିମନ୍ତ୍ରଣକୁ ନମ୍ରତାର ସହ ମନା କରିଦେଇଥିଲି । ଆଉ ଆପଣଙ୍କ ଭଲ ପାଇବା ଏବଂ ମହାପ୍ରଭୁଙ୍କ ପ୍ରତି ମୋର ଭକ୍ତି ମୋତେ ଏଠାକୁ ଟାଣି ଆଣିଛି.. 

ମୋଦୀଙ୍କ ମୁହଁରୁ ଏତିକି ଶୁଣିବା ପରେ ସମବେତ ଜନତା ଜୟ ଜଗନ୍ନାଥ ନାରା ଦେଇଥିଲେ । ଆଉ ଜଗନ୍ନାଥଙ୍କ ନାରାରେ କମ୍ପିଥିଲା ଜନତା ମୈଦାନ । ଜଗନ୍ନାଥଙ୍କ କଥା କହିବା ବେଳେ ମୋଦୀ କହିଛନ୍ତି- ଏହା ଏକ ସଂଯୋଗ । ଯେତେବେଳେ ଓଡ଼ିଶାରେ ବିଜେପି ସରକାର ଗୋଟିଏ ବର୍ଷ ପୂରଣ କରୁଛି ସେତେବେଳେ ଜଗନ୍ନାଥ ମହାପ୍ରଭୁଙ୍କ ରଥଯାତ୍ରାର ପ୍ରସ୍ତୁତି ଚାଲିଛି । ମହାପ୍ରଭୁ ଆମ ପାଇଁ ଆରାଧ୍ୟ ବି ପ୍ରେରଣା ବି । ଆଉ ମହାପ୍ରଭୁଙ୍କ ଆଶୀର୍ବାଦରୁ ଶ୍ରୀ ଜଗନ୍ନାଥ ମନ୍ଦିର ସହ ଜଡ଼ିତ ସମସ୍ୟାର ସମାଧାନ ବି ହୋଇପାରିଛି । କୋଟି କୋଟି ଭକ୍ତଙ୍କ ନିବେଦନର ମାନ ରଖିଛନ୍ତି ମୋହନ ସରକାର । ବିଜେପି ସରକାରକୁ ଆସୁ ଆସୁ ଶ୍ରୀମନ୍ଦିରର ୪ ଦ୍ୱାର ଖୋଲାଯାଇଥିଲା । ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିଛି । ଏହା କୌଣସି ରାଜନୈତିକ ଜୟବିଜୟର ବିଷୟ ନୁହେଁ । ଏହା କୋଟି କୋଟି ଭକ୍ତଙ୍କ ଆସ୍ଥାକୁ ସମ୍ମାନ ଦେବାର କର୍ତ୍ତବ୍ୟ ।

ସେପଟେ ଓଡିଶା ମାଟିରୁ କଂଗ୍ରେକୁ ଟାର୍ଗେଟ୍ କରିଛନ୍ତି ମୋଦୀ । କଂଗ୍ରେସର ବିକାଶ ମଡେଲକୁ କଟାକ୍ଷ କରି କହିଛନ୍ତି- ସ୍ଵାଧୀନତା ପରେ ପରେ ଦଶନ୍ଧି ଦଶନ୍ଧି ଧରି କଂଗ୍ରେସର ବିକାଶ ମଡେଲ୍ ଦେଶବାସୀ ଦେଖିଥିଲେ । ଯେଉଁ ମଡେଲରେ ନା ସୁଶାସନ ଥିଲା, ନା ବଞ୍ଚିବା ପାଇଁ ଜନତାଙ୍କୁ ସହଜ ଥିଲା । ବିକାଶମୂଳକ ଯୋଜନାକୁ ଅଟକେଇବା, ବାଟବଣା କରିବା ଏବଂ ଦୁର୍ନୀତିରେ ବୁଡ଼ି ରହିବା କଂଗ୍ରେସ ବିକାଶ ମଡେଲର ପରିଚୟ ଥିଲା । 

ହେଲେ ବିଗତ କିଛି ବର୍ଷ ହେବ ଦେଶବାସୀ ବିଜେପିର ବିକାଶ ମଡେଲ୍ ଦେଖୁଛନ୍ତି । ବିଗତ ଦଶ ବର୍ଷ ମଧ୍ୟରେ ଦେଶର ଏମିତି ଅନେକ ରାଜ୍ୟ ଅଛି ଯେଉଁଠାରେ ବିଜେପି ପ୍ରଥମ କରି ସରକାର କରିଛି । ଖାଲି ସରକାର ବଦଳିନି ବିଜେପି କ୍ଷମତାକୁ ଆସିବା ପରଠୁ ବିଭିନ୍ନ ରାଜ୍ୟରେ ସାମାଜିକ ଏବଂ ଆର୍ଥିକ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ହୋଇଛି । 

ଅଧିକ ପଢନ୍ତୁ-

‘ଭାରତୀୟ ସଭ୍ୟତାକୁ ଓଡ଼ିଶା ସମୃଦ୍ଧ କରିଛି, ବିକାଶର ଆଧାର ହୋଇପାରିଛି’