କାହା ଇସାରାରେ ଚାଲିଛି ସିବିଆଇ?

Advertisment

କେନ୍ଦ୍ରମନ୍ତ୍ରୀ ଜାଭଡ଼େକରଙ୍କ ଟିପ୍‌ପଣୀକୁ ନେଇ ଘେରିଲା ବିଜେଡି

କେନ୍ଦ୍ରମନ୍ତ୍ରୀ ଜାଭଡ଼େକରଙ୍କ ଟିପ୍‌ପଣୀକୁ ନେଇ ଘେରିଲା ବିଜେଡି

କାହା ଇସାରାରେ ଚାଲିଛି ସିବିଆଇ?

ଭୁବନେଶ୍ୱର : ‘ଆହୁରି ବିଜେଡି ସାଂସଦ ଓ ବିଧାୟକଙ୍କୁ ସିବିଆଇ ବାନ୍ଧିବ’ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କର ମନ୍ତବ୍ୟ ଉପରେ ବିଜୁ ଜନତା ଦଳ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଆଜି ଦଳର ରାଜ୍ୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଉପସଭାପତି ତଥା ମୁଖପାତ୍ର ପ୍ରସନ୍ନ ଆଚାର୍ଯ୍ୟ କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ ମନଇଚ୍ଛା ବର୍ଷିବା ସହିତ ପ୍ରଶ୍ନର ପାହାଡ଼ ଛିଡ଼ା କରାଇଥିଲେ।

ଶ୍ରୀ ଆଚାର୍ଯ୍ୟ କହିଥିଲେ, କେନ୍ଦ୍ରୀୟ ସଂସ୍ଥାମାନଙ୍କୁ ରାଜନୈତିକ ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ଅପବ୍ୟବହାର କରୁଛନ୍ତି ବୋଲି ଯେଉଁ ଅଭିଯୋଗ ହେଉଥିଲା, କେନ୍ଦ୍ରମନ୍ତ୍ରୀ ଓଡ଼ିଶା ଗସ୍ତରେ ଆସି ସେକଥା ପ୍ରମାଣ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ଜାଭଡେକର କ’ଣ ସିବିଆଇର ମୁଖପାତ୍ର ନା ସିବିଆଇ ତାଙ୍କ ଅଧୀନରେ କାର୍ଯ୍ୟ କରୁଛି? ସେ ସିବିଆଇର ଅଧିକୃତ ଅଧିକାରୀ କି? ଅଥବା ସିବିଆଇ ତା’ର କାର୍ଯ୍ୟାବଳୀ, କାର୍ଯ୍ୟପ୍ରଣାଳୀ ଓ ଅନୁସନ୍ଧାନର ରୂପରେଖ ସଂପର୍କରେ କେନ୍ଦ୍ରମନ୍ତ୍ରୀଙ୍କୁ ଧାରାବାହିକ ଅବଗତ କରାଏ କି ବୋଲି ସେ ପ୍ରଶ୍ନ କରିଛନ୍ତି। କେବଳ ସେତିକି ନୁହେଁ, ବିଜେଡି ପ୍ରଶ୍ନ କରିଛି ଯେ ସିବିଆଇ କ’ଣ ବିଜେପିର ବା କେନ୍ଦ୍ରମନ୍ତ୍ରୀମାନଙ୍କ ଠାରୁ ତାଲିକା ନେଇ ଗିରଫଦାରୀ କରେ କି?

ଶ୍ରୀ ଆଚାର୍ଯ୍ୟ କହିଥିଲେ, ସିବିଆଇ ଯାହା କରୁଛି, ତାହା କେନ୍ଦ୍ର ସରକାରଙ୍କର ଦ୍ୱାରା ପ୍ରଣୋଦିତ ଓ ପ୍ରାୟୋଜିତ ବୋଲି ପୂର୍ବରୁ ଏକ ଧାରଣା ସୃଷ୍ଟି ହୋଇଥିଲା। ଶ୍ରୀ ଜାଭଡେକରଙ୍କ ମନ୍ତବ୍ୟ ସୂଚାଇ ଦେଇଛି ଯେ ସେଥିରେ ସତ୍ୟତା ଥାଇପାରେ। କେନ୍ଦ୍ରମନ୍ତ୍ରୀଙ୍କ ମନ୍ତବ୍ୟ ଉଭୟ କେନ୍ଦ୍ର ସରକାର ଓ ସିବିଆଇର ଅସଲ ସ୍ୱରୂପକୁ ପଦାରେ ପକାଇଦେଇଛି। ସେ ନିଜ ଗୋଡ଼ରେ କୁରାଢ଼ୀ ମାରିଛନ୍ତି। ଏହା ତାଙ୍କର ନିର୍ବୋଧତା ନା ରାଜନୈତିକ ଚାଲାକି? ବୋଲି ସେ ପ୍ରଶ୍ନ କରିଥିଲେ।

ବିଜେଡି ଅଭିଯୋଗ କରିଥିଲା ଯେ ସିବିଆଇକୁ ଅତୀତରେ ସୁପ୍ରିମକୋର୍ଟ ପଞ୍ଜୁରୀବଦ୍ଧ ଶୁଆ ବୋଲି କହିଥିଲେ। ସିବିଆଇ ତା’ର ଇଜ୍ଜତ ହରାଇସାରିଛି। ଯାହା ବା କାଣିଚାଏ ବାକି ଥିଲା, ବିଜେପି ଅମଳରେ ସବୁ ଚାଲିଗଲା। ସିବିଆଇ ଏବେ ସରକାର ନୁହେଁ, ବିଜେପିର ଏକ ଦପ୍ତର ପାଲଟିଛି ବୋଲି କେନ୍ଦ୍ରମନ୍ତ୍ରୀ ପରୋକ୍ଷରେ ସୂଚନା ଦେଇଛନ୍ତି। ରାଜନୈତିକ ସ୍ୱାର୍ଥ ସାଧନ ପାଇଁ ତଥା ପ୍ରତିପକ୍ଷଙ୍କୁ ହଇରାଣ କରିବା ଉଦ୍ଦେଶ୍ୟରେ ସିବିଆଇ କେନ୍ଦ୍ର ସରକାର ଦ୍ୱାରା ବ୍ୟବହୃତ ହେଉଥିବା ସ୍ପଷ୍ଟ ହୋଇଯାଇଛି। ବିଜୁ ଜନତା ଦଳ ଏପରି ବିବୃତି ଓ ମନୋବୃତ୍ତିର ଦୃଢ଼ ନିନ୍ଦା କରୁଛି ବୋଲି ଆଚାର୍ଯ୍ୟ କହିଥିଲେ। ତେବେ ଏ ପ୍ରକାର ଆଚରଣ ଓ ଉଚ୍ଚାରଣରେ ଓଡ଼ିଶାବାସୀ ବା ବିଜୁ ଜନତା ଦଳ ଭୟଭୀତ ଓ ଅବଦମିତ ହେବାର ପ୍ରଶ୍ନ ଉଠୁନାହିଁ ବୋଲି ସେ ସ୍ପଷ୍ଟ କରିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା, ଦଳୀୟ ମୁଖପାତ୍ର ଡ. ସସ୍ମିତ ପାତ୍ର ଓ ଦଳର ସଂପାଦକ ବିଜୟ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ଉଲ୍ଲେଖଯୋଗ୍ୟ, ଓଡିଶା ଗସ୍ତରେ ଆସିଥିବାବେଳେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ପୁରୀରେ କହିଥିଲେ, ଚିଟଫଣ୍ଡ ମାମଲାରେ ବିଜେଡିର କିଛି ସାଂସଦ ଓ ବିଧାୟକ ଜେଲ ଯାଇଛନ୍ତି। ଆଗକୁ ମଧ୍ୟ ଆଉ କିଛି ବିଧାୟକ ଓ ସାଂସଦ ଜେଲ ଯିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe