ମଦ ପାଲଟିଛି ରାଜ୍ୟ ପାନୀୟ: ଜାଭଡ଼େକର

Advertisment
ମଦ ପାଲଟିଛି ରାଜ୍ୟ ପାନୀୟ: ଜାଭଡ଼େକର

ପୁରୀ : ବିଜେପିର ୧୨୦ ମିସନକୁ ନେଇ ଅଙ୍କକଷା ଚାଲିଛି। ପୁରୀ ଦାୟିତ୍ଵରେ ଥିବା କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭଡ଼େକର ପୁରୀରେ ୨ ଦିନ ରୁଦ୍ଧଦ୍ଵାର ସମୀକ୍ଷା କରିବା ପରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଏଥିରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡିକୁ ଟାର୍ଗେଟ କରିଛନ୍ତି।

ବିଜେଡି ସରକାର ତଥା ନବୀନଙ୍କ ଉପରୁ ଜନସାଧାରଣଙ୍କ ଆସ୍ଥା ତୁଟି ଯାଇଛି। ମଦ ଓଡ଼ିଶାର ରାଜ୍ୟ ପାନୀୟ ହୋଇଛି। ୨୦୦୦ ମସିହାରେ ନବୀନ ସରକାରକୁ ଆସିଲା ବେଳେ ଅବକାରୀ ଟିକସ ପରିମାଣ ୧୧୪ କୋଟି ଥିଲା। ୧୭ ବର୍ଷ ପରେ ଏବେ ଏଥିରୁ ୨୭୬୦ କୋଟି ଟଙ୍କା ଆସୁଛି। ୧୭ ବର୍ଷରେ ୨୫ ଗୁଣ ବଢ଼ିଛି। ସରକାର ମଦରୁ ପଇସା କମାଉଛି। ସେଥିପାଇଁ ସବୁଠି ଅସନ୍ତୋଷ ଉତ୍କଟ ହୋଇଛି। ମହିଳାମାନେ ନବୀନ ସରକାରଙ୍କୁ ଚାହୁଁନାହାନ୍ତି। ପୂର୍ବରୁ ଉପକୂଳରେ ଆମେ ଦୁର୍ବଳ ଥିଲୁ। କିନ୍ତୁ ଏବେ ଆମ ସ୍ଥିତି ସୁଦୃଢ ହୋଇଛି। ଏଣୁ ୨୦୧୯ ମସିହାରେ ଏମ୍‌ପି ଓ ଏମ୍‌ଏଲ୍‌ଏ ସିଟ୍‌ ଆମର ହେବ ବୋଲି ସେ କହିଛନ୍ତି।

ସେ ଆହୁରି କହିଛନ୍ତି, ବିଜେଡି ବିଧାୟକ ଠିକାଦାର ପାଲଟିଛନ୍ତି। କେତେକ ଠିକାଦାର ମଧ୍ୟ ଏମ୍‌ଏଲ୍‌ଏ ହୋଇଛନ୍ତି। ମିଳିମିଶି ଠିକାଦାରୀ କରୁଛନ୍ତି। ଏଣେ ପିସି ବନ୍ଦ କର ବୋଲି ସାଧୁତା ଦେଖାଇବା ପାଇଁ ବକବାଜି କରୁଛନ୍ତି। ପୂର୍ବରୁ ଇନ୍ଦିରା ଆବାସ ୪୫ ହଜାର ଥିବା ବେଳେ ପିସି ଲୁଟି ନେଉଥିଲେ। ଏବେ ଏହି ଯୋଜନାରେ ଆମେ ୧ ଲକ୍ଷ ୬୭ ହଜାର ଦେଉଛୁ। କିନ୍ତୁ ପଇସା ହିତାଧିକାରୀ ଆକାଉଣ୍ଟକୁ ଯାଉଛି। ସେଥିରେ ବି ଏହି ଠିକାଦାରମାନେ ଲୁଟିବା ଆରମ୍ଭ କରିଛନ୍ତି। ପୁରୀର ବିଭିନ୍ନ ଗ୍ରାମାଞ୍ଚଳରେ ସର୍ବେକ୍ଷଣ ସମୟରେ ଆମେ ଜାଣିବାକୁ ପାଇଛୁ କି ଏହି ଯୋଜନାରେ ସାମିଲ ହେବାକୁ ଏକ ‘ପ୍ରାୟୋରିଟି ଲିଷ୍ଟ’ ପ୍ରସ୍ତୁତ ହେଉଛି। ଏହି ଲିଷ୍ଟ ବନାଇବାକୁ ୨୭ ହଜାର ଟଙ୍କା ଏହି ବିଧାୟକ ଠିକାଦାରମାନେ ଅଧିକାରୀଙ୍କ ଜରିଆରେ ନେଉଛନ୍ତି। ସେଥିପାଇଁ ଯୋଜନା ଫେଲ୍‌ ମାରିଛି। ଏ ସଂକ୍ରାନ୍ତରେ ସରକାରଙ୍କୁ ଅବଗତ କରିବେ ବୋଲି ମନ୍ତ୍ରୀ କହିଛନ୍ତି।

ସେହିଭଳି ସରକାର ଚିଟଫଣ୍ଡରେ ମଧ୍ୟ ଠକିଛନ୍ତି। ଠକଠାରୁ ପଇସା ଆଣି ଫେରାଇବା ପାଇଁ ଯୋଜନା କରିଛନ୍ତି। ହେଲେ ଆଜି ପର୍ଯ୍ୟନ୍ତ ଟଙ୍କାଟିଏ ଦେଇ ନାହାନ୍ତି। ଏଣୁ ଦୀର୍ଘ ଦିନ ପରେ ଓଡ଼ିଶାବାସୀ ସ୍ୱାଧୀନ ହେବାକୁ ଯାଉଛନ୍ତି। ଲୋକମାନେ ବିଜେଡିକୁ ଉପାଡ଼ି ଦେବାକୁ ଯୋଜନା କରିଛନ୍ତି। ନିର୍ବାଚନକୁ ଆଉ ୨୦ ମାସ ବାକି ରହିଛି। ସେ ୧୫ ଦିନରେ ଥରେ ଆସି ସମୀକ୍ଷା କରିବେ। ଅନ୍ୟ ମନ୍ତ୍ରୀମାନେ ମଧ୍ୟ ଆସିବେ। ଗତ ନିର୍ବାଚନରେ ଆମେ ୧ଲକ୍ଷ ୫୫ ହଜାର ଭୋଟ ପାଇଥିବା ବେଳେ ପଞ୍ଚାୟତ ନିର୍ବାଚନରେ ୨ଲକ୍ଷ ୮୭ ହଜାର ଭୋଟ ପାଇଛୁ। ଏହି ପରିବର୍ତ୍ତନର ଧାରା ହିଁ ମିସନ ୧୨୦କୁ ପ୍ରମାଣିତ କରିବାକୁ ଯାଉଛି। ସେହ କହିଲେ, ଶିକ୍ଷାରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ୫ମ ଓ ଅଷ୍ଟମ ଶ୍ରେଣୀରେ ପରୀକ୍ଷା ହେବା ସହ ପାସ୍‌ ଫେଲ୍‌ ବ୍ୟବସ୍ଥା ହେବାକୁ ଯାଉଛି। ୧୫ ଲକ୍ଷ ଶିକ୍ଷକଙ୍କୁ ତାଲିମ୍‌ ଦିଆଯିବ। କେଉଁ ଶ୍ରେଣୀରେ କଣ ପାଠ ରହିଛି ତାହାର ହୋର୍ଡିଂ ବିଦ୍ୟାଳୟରେ ଲଗାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe