Image Courtesy of India Today
ଭୋପାଳ: ଜଣେ ନେତ୍ରୀଙ୍କ ପ୍ରତି ବିବାଦୀୟ ମନ୍ତବ୍ୟ ଦେଇ ସମାଲୋଚନାର ସରବ୍ୟ ହେବା ପରେ ମଧ୍ୟ ବରିଷ୍ଠ କଂଗ୍ରେସ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ୍ ନାଥ କ୍ଷମା ମାଗିବାକୁ ମନା କରିଦେଇଛନ୍ତି। ବିଧାନସଭା ଉପନିର୍ବାଚନ ପ୍ରଚାର ଅଭିଯାନ ଭାଷଣରେ ରାଜ୍ୟମନ୍ତ୍ରୀ ଇମର୍ତ୍ତି ଦେବୀଙ୍କୁ କମଲ ନାଥ ‘ଆଇଟମ୍’ ବୋଲି ସମ୍ବୋଧନ କରିଥିଲେ।
କଂଗ୍ରେସ ନେତା ରାହୁଳ ଗାନ୍ଧୀଙ୍କ ସମେତ ଶାସକ ‘ବିଜେପି’ ଓ ମାୟାବତୀଙ୍କ ନେତୃତ୍ବାଧୀନ ‘ବିଏସ୍ପି’ ଏଥିରେ ତୀବ୍ର ପ୍ରତିକ୍ରିୟା ପକାଶ କରିଛନ୍ତି। ଆଜି ସକାଳେ ୱାୟନାଡ଼ ଠାରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ରାହୁଲ୍ ଗାନ୍ଧୀ କହିଛନ୍ତି, କମଲ୍ ନାଥଜୀ ମୋ ଦଳର, କିନ୍ତୁ ସେ ପ୍ରୟୋଗ କରିଥିବା ଏ ଭଳି ଭାଷାକୁ ବ୍ୟକ୍ତିଗତ ମୁଁ ଭାବେ ନାପସନ୍ଦ କରେ। ସେ ଯିଏ ହୁଅନ୍ତୁ ନା କାହିଁକି, ମୁଁ ତାହାଙ୍କୁ ପ୍ରଶଂସା କରିବି ନାହିଁ। ଏହା ଦୁର୍ଭଗ୍ୟଜନକ।
Image Courtesy of Hindustan Timesରାହୁଲ୍ ଗାନ୍ଦୀଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ପ୍ରକାଶ କରି କମଲ ନାଥ କହିଛନ୍ତି, ଏହା ରାହୁଲ୍ ଗାନ୍ଧୀଙ୍କ ମତ। ମୁଁ ଯେଉଁ ଆଧାରରେ ଏ ଭଳି ମନ୍ତବ୍ୟ ଦେଇଥିଲି, ତାହାର ସ୍ପଷ୍ଟିକରଣ ଦେଇସାରିଛି। କାହାକୁ ଅପମାନିତ କରିବା ମୋର ଉଦ୍ଦେଶ୍ୟ ନ ଥିବା ବେଳେ କାହିଁକି କ୍ଷମା ମାଗିବି? ଯଦି କେହି ଅପମାନିତ ବୋଧ କରୁଛନ୍ତି, ସେଥିଲାଗି ମୁଁ ଦୁଃଖ ପ୍ରକାଶ କରିସାରିଛି।
ଏଠାରେ ସ୍ମରଣ କରାଇ ଦିଆଯାଇ ପାରେ ଯେ, ରବିବାର ଦିନ କମଲ ନାଥ ଗ୍ବାଲିଅର୍ ଜିଲ୍ଲା ଅନ୍ତର୍ଗତ ଦାବ୍ରା ବିଧାନସଭା ଉପନିର୍ବାଚନ ପ୍ରଚାର ସମୟରେ ଭାଷଣ ଦେଉଥିଲେ। କଂଗ୍ରେସ ପ୍ରାର୍ଥୀ ସୁରେଶ ରାଜେ ଓ ପ୍ରତିଦ୍ବନ୍ଦ୍ବୀ ବିଜେପି ପ୍ରାର୍ଥିନୀ ଇମର୍ତ୍ତି ଦେବୀଙ୍କ ନୈତିକତାର ତୁଳନା କରି ଏ ଭଳି ମନ୍ତବ୍ୟ ଦେଇଥିଲେ। ସେ କହିଥିଲେ, ସୁରେଶଜୀ ଆମର ପ୍ରାର୍ଥୀ। ସେ ତାଙ୍କ ( ଇମର୍ତ୍ତି) ପରି ନୁହନ୍ତି। ତାଙ୍କ ନାଁ କ’ଣ? ମୁଁ କ’ଣ ତାଙ୍କ ନାଁ ଧରିବି? ଆପଣମାନେ ମତେ ପ୍ରଥମରୁ ହୁସିଆର୍ କରିବାର ଥିଲା, ସେ କି ପ୍ରକାର ‘ଆଇଟମ୍’। କମଲ୍ ନାଥ ଏ କଥା କହିବା ବେଳେ ଉପସ୍ଥିତ ଜନତା ଇମର୍ତ୍ତି ଦେବୀ ବୋଲି ଜବାବ ଦେଇଥିଲେ।
Follow Us