ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ‘ସୁଟ୍ ବୁଟ୍ର ସରକାର୍’ ବୋଲି କହି ପରିହାସ କରିଥିବା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ବିଜେପି ସୁଧ ସହିତ କଡ଼ା ଜବାବ ଦେଇଛି। ବିଜେପି ରାହୁଲଙ୍କ ଟି-ସାର୍ଟକୁ ଟାର୍ଗେଟ କରି କହିଛି ଯେ ରାହୁଲ ତାଙ୍କର ‘ଭାରତ ଯୋଡ଼ ଯାତ୍ରା’ କାଳରେ ଦାମୀ ବ୍ରିଟିଶ୍ ବ୍ରାଣ୍ଡ୍ ‘ବର୍ବେରି’ର ଏକ ୪୧,୦୦୦ ଟଙ୍କିଆ ଟି-ସାର୍ଟ ପରିଧାନ କରିଛନ୍ତି। ସାଧାରଣ ଲୋକଙ୍କ ସହ ଯୋଡ଼ି ହେବା ପାଇଁ ରାହୁଲ କରିଥିବା ଏହି ଯାତ୍ରାରେ ତାଙ୍କର ଦାମୀ ପୋଷାକ ପରିଚ୍ଛଦକୁ ନେଇ ଟାର୍ଗେଟ କରିଛି ଭାରତୀୟ ଜନତା ପାର୍ଟି।
ବିଜେପି ଏକ ଟ୍ବିଟ୍ କରି ଭାରତ, ଦେଖ! ବୋଲି ଲେଖିଛି। ସେଥିରେ ୨ଟି ଫଟୋ ଦିଆଯାଇଛି। ପ୍ରଥମ ଫଟୋରେ ରାହୁଲ ଟି-ସାର୍ଟ ପରିଧାନ କରିଥିବାର ଫଟୋ ଦେଖିବାକୁ ମିଳିଥିବା ବେଳେ ଦ୍ବିତୀୟ ଫଟୋରେ ଏକ ଅନ୍ଲାଇନ୍ ସାଇଟ୍ରେ ରାହୁଲ୍ ପିନ୍ଧିଥିବା ଟି-ସାର୍ଟର ଫଟୋ ଦେଖିବାକୁ ମିଳିଛି। ସେଥିରେ ଦର ୪୧,୦୦୦ ଟଙ୍କା ବୋଲି ଉଲ୍ଲେଖ ଅଛି।
ମୋଦୀ ୧୦ ଲକ୍ଷ ଟଙ୍କାର ଏକ ସୁଟ୍ ପିନ୍ଧିଛନ୍ତି ବୋଲି ପୂର୍ବାୁ କଂଗ୍ରେସ ପକ୍ଷରୁ ଏକ ଟ୍ବିଟ୍ ହୋଇଥିବା ବେଳେ ଏହାକୁ ତାହାର ଜବାବ ଆକାରରେ ପୋଷ୍ଟ୍ କରିିଛି ବିଜେପି। ମାତ୍ର ବିଜେପିର ଏହି ପୋଷ୍ଟ୍କୁ ନେଇ ନିଜର କ୍ଷୋଭ ପ୍ରକାଶ କରିଛନ୍ତି ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୈତ୍ର।
ସେ ଏକ ଟ୍ବିଟ୍ କରି ଲେଖିଛନ୍ତି,‘ବିରୋଧୀମାନଙ୍କ ବ୍ୟକ୍ତିଗତ ପୋଷାକ ଓ ସାମଗ୍ରୀ ଉପରେ ଟିପ୍ପଣୀ ନଦେବାକୁ ମୁଁ ବିଜେପିକୁ ପରାମର୍ଶ ଦେଉଛି। ଆମେ ଯଦି ବିଜେପି ସାଂସଦମାନେ ପିନ୍ଧୁଥିବା ଘଣ୍ଟା, କଲମ, ଜୋତା, ମୁଦି ଓ ପୋଷାକର ଦାମ କହିବୁ ତ ତୁମେ ଏହି ଖେଳ ଆରମ୍ଭ କରିଥିବାରୁ ଖୁବ୍ ପଶ୍ଚାତାପ କରିବ।’
Follow Us