ନୂଆଦିଲ୍ଲୀ : ରାଜସ୍ଥାନ ବିଧାନସଭା ନିର୍ବାଚନରେ କଂଗ୍ରେସର ଦୁଇଜଣ ତୁଙ୍ଗନେତା ପ୍ରତିଦ୍ବନ୍ଦ୍ବିତା କରିବାକୁ ଯାଉଥିବାରୁ ରାଜ୍ୟ ରାଜନୀତି ସରଗରମ ହୋଇଛି। ବିଶେଷକରି ରାଜ୍ୟରେ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବ, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କଂଗ୍ରେସ ବି ଏ ବାବଦରେ ମୁହଁ ଖୋଲୁନାହିଁ। ଉଲ୍ଲେଖଯୋଗ୍ୟ, ରାଜ୍ୟ ପାଇଁ କଂଗ୍ରେସ ଏହାର ଶେଷ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏଥିରେ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଏବଂ ପ୍ରଦେଶ କଂଗ୍ରେସ କମିଟି ମୁଖ୍ୟ ସଚିନ ପାଇଲଟ୍ଙ୍କ ନାମ ରହିଛି। ରାଜ୍ୟରେ କଂଗ୍ରେସର ସ୍ଥିତି ଭଲ ଅଛି ଏବଂ ନେତାମାନଙ୍କ ମଧ୍ୟରେ କୌଣସି ମତଭେଦ ନାହିଁ ବୋଲି ପ୍ରମାଣ କରିବାକୁ ଯାଇ ଦଳର ହାଇକମାଣ୍ଡ ଏହି ଦୁଇ ବରିଷ୍ଠ ନେତାଙ୍କୁ ପ୍ରାର୍ଥୀ କରିଥିବା କୁହାଯାଉଛି। ଏହି ଦୁଇଜଣ ପ୍ରମୁଖ ନେତା କଂଗ୍ରେସର ଆଶାୟୀ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ କାହାକୁ ପ୍ରାର୍ଥୀ କରାଯିବ ତାହାକୁ ନେଇ ଦଳ ଦ୍ବନ୍ଦ୍ବରେ ଥିଲା। ଶେଷରେ ଉଭୟଙ୍କୁ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା ପାଇଁ ସୁଯୋଗ ଦେଇଛି। ଏହାଦ୍ବାରା ଗେହଲଟ୍ଙ୍କ ସମର୍ଥକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଗେହଲଟ୍ କହିଛନ୍ତି, ରାଜ୍ୟ କଂଗ୍ରେସରେ କୌଣସି ମତଭେଦ ନାହିଁ। କିନ୍ତୁ ଏଭଳି ମାହୋଲ ସୃଷ୍ଟି କରିବାକୁ ବିଜେପି ପ୍ରୟାସ କରୁଥିଲା। ଏବେ ବିଜେପିକୁ ତା’ର ଜବାବ ମିଳିଯାଇଛି ବୋଲି ସେ କହିଛନ୍ତି। ଦଳରେ କୌଣସି ମତଭେଦ ନାହିଁ ବୋଲି ଯଦିଓ ସେ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି, ଆଗାମୀ ନିର୍ବାଚନରେ କଂଗ୍ରେସ ଜିତିଲେ ପ୍ରକୃତ ଘଟଣା ଜଣାପଡ଼ିବ ବୋଲି କିଛି ରାଜନୀତି ବିଶାରଦ ଦର୍ଶାଇଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us