‘ଆର୍‌ଜେଡି’ରେ କନ୍ଦଳ ଲାଗିଛି କି? ତେଜସ୍ବୀ ଯାଦବଙ୍କ ଭାଷଣ ମଝିରୁ ତେଜ ପ୍ରତାପ ମଞ୍ଚରୁ ଚାଲି ଆସିଲେ କାହିଁକି?

Advertisment
‘ଆର୍‌ଜେଡି’ରେ କନ୍ଦଳ ଲାଗିଛି କି? ତେଜସ୍ବୀ ଯାଦବଙ୍କ ଭାଷଣ ମଝିରୁ ତେଜ ପ୍ରତାପ ମଞ୍ଚରୁ ଚାଲି ଆସିଲେ କାହିଁକି?

Image Courtesy of India Today

ପାଟନା: ଗୁରୁବାର ଦିନ ପାଟନାରେ ଏକ କାର୍ଯ୍ୟକ୍ରମରେ ସାନଭାଇ ତଥା ବିରୋଧୀ ଦଳର ନେତା ତେଜସ୍ବୀ ଯାଦବ ଉଦ୍‌ବୋଧନ ଦେଉଥିବା ବ‌େଳେ ବଡ଼ଭାଇ ତେଜ ପ୍ରତାପ ମଞ୍ଚରୁ ଓହ୍ଲାଇ ଆସିବାରୁ ‘ଆର୍‌ଜେଡି’ରେ କନ୍ଦଳ ସୃଷ୍ଟି ହୋଇଥିବା କଳ୍ପନାଜଳ୍ପନା ଚାଲିଛି।

ଦଳର ଜାତୀୟସ୍ତରୀୟ ବୈଠକରେ ‘ଆର୍‌ଜେଡି’ ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଏବଂ ଅନ୍ୟାନ୍ୟ‌ ବରିଷ୍ଠ ନେତୃବୃନ୍ଦଙ୍କ ଉପସ୍ଥିତିରେ ଏଭଳି ଘଟଣା ଘଟିଥିଲା। ଦୁଇ ପୁଅଙ୍କ ସହ ଲାଲୁ ମଧ୍ୟ ମଞ୍ଚରେ ବସିଥିଲେ। କିନ୍ତୁ, ତେଜସ୍ବୀ ଭାଷଣ ଦେବା ଆରମ୍ଭ କରିବାକ୍ଷଣି ତେଜ ପ୍ରତାପ ଉଠି ପଡ଼ି ମଞ୍ଚରୁ ଓହ୍ଲାଇ ଆସିଥିଲେ।

ସଭାସ୍ଥଳରେ ଉପସ୍ଥିତି ଥିବାସୂତ୍ରରୁ ଜଣାପଡ଼ିଛି ଯେ, ତେଜ ପ୍ରତାପ ମଞ୍ଚରୁ ଉଠି ଚାଲିଯିବା ଦେଖି ଲାଲୁ ପ୍ରସାଦ ଯାଦବ ମଧ୍ୟ ଅବାକ୍‌ ହୋଇଯାଇଥିଲେ।

publive-image Image Courtesy of Free Press Journal

ଦୁଇ ଭାଇଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି ବୋଲି ଚର୍ଚ୍ଚା କରିବାକୁ ଉପରୋକ୍ତ ଘଟଣା ଯଥେଷ୍ଟ ଇନ୍ଧନ ଯୋଗାଇଛି। ‘ଆର୍‌ଜେଡି’ର ପରବର୍ତ୍ତୀ ଜାତୀୟ ଅଧ୍ୟକ୍ଷ କିଏ ହେବ, ସେଥିପାଇଁ ଦୁଇ ଭାଇଙ୍କ ମଧ୍ୟରେ କିଛି ଦିନ ହେବ ବିବାଦ ଲାଗିଥିବା କଥା ଶୁଣାଯାଉଥିଲା।

ସୂଚନାଯୋଗ୍ୟ, ଦଳର ମୁଖ୍ୟ ହେବାକୁ ଦୁଇ ଭାଇ ଆଶାୟୀ ବୋଲି ସ୍ପଷ୍ଟ ହୋଇଯାଇଛି। ଲାଲୁ ପ୍ରସାଦ ସାନପୁଅ ତେଜସ୍ବୀକୁ ଦଳର ଭାର ଦେବେ ବୋଲି ସୂଚନା ମଧ୍ୟ ମିଳିସାରିଛି। ସେହି କାରଣରୁ ତେଜ ପ୍ରତାପ ସାନଭାଇ ଉପରେ ରୁଷ୍ଟ ହୋଇଛନ୍ତି।

ତେଜସ୍ବୀ ‘ଆର୍‌ଜେଡି’ର ନୂତନ ମୁଖ୍ୟ ହେବେ ବୋଲି ମିଳିଥିବା ଖବରକୁ ଖଣ୍ଡନ କରି ତେଜ ପ୍ରତାପ କହିଥିଲେ ଯେ, ବାପା ଲାଲୁ ପ୍ରସାଦ ହିଁ ଦଳର ମୁଖ୍ୟ ହୋଇ ରହିବେ।

କ୍ଷମତା ପାଇଁ ଦୁଇ ଭାଇଙ୍କ ମଧ୍ୟରେ ବିବାଦ ଲାଗିଛି ‌ବୋଲି ଶୁଣାଯାଉଥିଲେ ବି ଦୁଇଜଣଙ୍କ ମଧ୍ୟରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କ ଥିବା କଥା ତେଜ ପ୍ରତାପ କହିଛନ୍ତି। ସେ ସବୁବେଳେ ନିଜକୁ ‘କୃଷ୍ଣ’ ଏବଂ ସାନଭାଇକୁ ‘ଅର୍ଜୁନ’ ବୋଲି କହି ଆସୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe