ANI
ଲକ୍ଷ୍ନୌ (ଉତ୍ତରପ୍ରଦେଶ): ଅଭିନେତାରୁ ରାଜନେତା ପାଲଟିଥିବା ଶତୃଘ୍ନ ସିହ୍ନାଙ୍କ ପତ୍ନୀ ପୁନମ୍ ସିହ୍ନା ଆଜି ସମାଜବାଦୀ ପାର୍ଟି (ସପା)ରେ ଯୋଗ ଦେଇଛନ୍ତି। ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ପତ୍ନୀ ଡିମ୍ପଲ ଯାଦବଙ୍କ ଉପସ୍ଥିତିରେ ପୁନମ୍ ସିହ୍ନା ଆଜି ଅପରାହ୍ଣରେ ସମାଜବାଦୀ ପାର୍ଟିରେ ଯୋଗ ଦେଇଥିବା ଘୋଷଣା କରିଛନ୍ତି।
ଶତୃଘ୍ନ ସିହ୍ନାଙ୍କ ପତ୍ନୀ ପୁନମ୍ ସମାଜବାଦୀ ପାର୍ଟିରେ ଯୋଗଦେବା ପରେ ଚଳିତ ଲୋକସଭା ନିର୍ବାଚନରେ ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌ ଲୋକସଭା ଆସନରୁ ବିଜେପିର ଦଳୀୟ ପ୍ରାର୍ଥୀଭାବେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହଙ୍କ ବିରୋଧରେ ଏହି ଆସନରୁ ସମାଜବାଦୀ ପାର୍ଟିର ଦଳୀୟ ପ୍ରାର୍ଥୀ ଭାବେ ବହୁଜନ ସମାଜ ପାର୍ଟି (ବିଏସ୍ପି)ର ସମର୍ଥନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ଜାଣିବାକୁ ମିଳିଛି।
ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଅଭିନେତାରୁ ରାଜନେତା ପାଲଟିଥିବା ଶତୃଘ୍ନ ସିହ୍ନା ବିଜେପିରୁ ଇସ୍ତଫା ଦେଇ କଂଗ୍ରେସ ଟିକେଟରେ ଚଳିତ ଲୋକସଭା ନିର୍ବାଚନରେ ବିହାରର ପାଟନା ସାହେବ ଆସନରୁ ବିଜେପିର ତୁଙ୍ଗନେତା ରବିଶଙ୍କର ପ୍ରସାଦଙ୍କ ବିରୋଧରେ ନିର୍ବାଚନ ଲଢ଼ୁଛନ୍ତି।
Follow Us