ଦଳୀୟ ସାଂସଦଙ୍କ ଟୁଇଟ୍‌ ମାଡ଼ରେ ବିଜେପି ଘାଇଲା!

ମୋଦିଙ୍କୁ ପରାମର୍ଶ: ‘ଓ୍ଵାନ୍‌- ମ୍ୟାନ୍‌ ସୋ, ଟୁ-ମେନ୍‌ ଆର୍ମି ଚିନ୍ତାଧାରାରୁ ବାହାରନ୍ତୁ’

ଦଳୀୟ ସାଂସଦଙ୍କ ଟୁଇଟ୍‌ ମାଡ଼ରେ ବିଜେପି ଘାଇଲା!

India.com

ନୂଆଦିଲ୍ଲୀ: ବିଜେପି ନେତା ତଥା ପାଟନା ସାଂସଦ ଶତ୍ରୁଘ୍ନ ସିହ୍ନା ନିଜ ଅନ୍ଦାଜରେ ସୋସିଆଲ ମିଡିଆରେ ନିଜ ଦଳ ଉପରେ ବିଷ ଓଗାଳିବା ସହ ରାଜନୀତିରେ ତାଙ୍କର ଗୁରୁ ତଥା ବିଜେପିର ବରିଷ୍ଠ ନେତା ତଥା ଦଳର ପିତାମହ ଭୀଷ୍ମ ରୂପେ ଖ୍ୟାତ ଲାଲକୃଷ୍ଣ ଆଡ଼ଭାନୀଙ୍କ ଭୁରିଭୁରି ପ୍ରଶଂସା କରିଛନ୍ତି। ବିମୁଦ୍ରାୟନର ବର୍ଷପୂର୍ତ୍ତିକୁ ବେଶ ପ୍ରଚାରପୂର୍ଣ୍ଣ ଢ଼ଙ୍ଗରେ ପାଳନ କରିବାକୁ ଦଳର ନେତା ଓ କର୍ମୀ ସଜବାଜ ହେଉଥିବା ବେଳେ ସାଂସଦ ଶ୍ରୀ ସିହ୍ନାଙ୍କ ଏପ୍ରକାର ଆଚରଣ ସମସ୍ତଙ୍କୁ ଏକ ଅଡୁଆ ପରିସ୍ଥିତିରେ ପକାଇ ଦେଇଛି।

ଉଲ୍ଲେଖଯୋଗ୍ୟ, ମଙ୍ଗଳବାର ସନ୍ଧ୍ୟାରେ ବେଶ ତାତ୍ସଲ୍ୟପୂର୍ଣ୍ଣ ଢଙ୍ଗରେ ଟୁଇଟ୍‌ କରି ସାଂସଦ ଶ୍ରୀ ସିହ୍ନା ତାଙ୍କ ଟୁଇଟର୍‌ ପେଜ୍‌ରେ ଲେଖିଛନ୍ତି, ‘ନଭେମ୍ବର ୮କୁ ‘କଳା ଦିବସ’ ଓଃ! କ୍ଷମା କରିବେ ବହୁ ପ୍ରଚାରିତ କଳାଧନ ବିଲୋପ ଦିବସକୁ ଆଡ଼ମ୍ବର ସହକାରେ ପାଳନ କରିବା ପାଇଁ ଅନେକେ ଅପେକ୍ଷା କରି ରହିଛନ୍ତି! ଅନ୍ୟପକ୍ଷରେ, ଆମର ବିରୋଧୀ ପକ୍ଷର ନେତାମାନେ ଏହି ନିଷ୍ପତ୍ତିକୁ ଦୁର୍ଭାଗ୍ୟପୂର୍ଣ୍ଣ କହିବା ସହ ଗୋଳମାଳିଆ ଜିଏସ୍‌ଟିକୁ ବିରୋଧ କରି ପ୍ରତିବାଦ ପ୍ରଦର୍ଶନ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଏସବୁ ଏକ ଗଣତନ୍ତ୍ରରେ ଏକ ସାଧାରଣ ଘଟଣା। ତେବେ, ଆମେ ଅନୁଗତମାନେ ରାଷ୍ଟ୍ରନେତା ତଥା ଦଳର ମହାଦ୍ରୁମ ଏବଂ ଦେଶର ଅନ୍ୟତମ ତୁଙ୍ଗ ନେତା ଲାଲକୃଷ୍ଣ ଆଡଭାନୀଙ୍କର ଜନ୍ମଦିନ ପାଳନ କରିବୁ। ପ୍ରକୃତରେ ସମୟ ବଦଳି ଯାଇଛି, ନୁହେଁ କି? ଈଶ୍ୱର ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଜୟହିନ୍ଦ୍‌।’

ଏ ଟୁଇଟ୍‌ର ଦିନକ ପୂର୍ବରୁ ଅର୍ଥାତ୍‌ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ଦେଶ୍ୟରେ ଟୁଇଟ୍‌ କରି ସାଂସଦ ଶ୍ରୀ ସିହ୍ନା ଲେଖିଥିଲେ, ‘ବହୁତ ହୋଇଗଲା! ଏବେ ଓ୍ଵାନ୍‌- ମ୍ୟାନ୍‌ ସୋ, ଟୁ- ମେନ୍‌ ଆର୍ମି ଚିନ୍ତାଧାରାରୁ ବାହାରନ୍ତୁ। ଉଭୟ ରାଷ୍ଟ୍ର ଓ ଦଳର ହିତ ଦୃଷ୍ଟିରୁ ସାଙ୍ଗରେ ଦଳର ବରିଷ୍ଠ, ଗୁରୁତ୍ୱପୂର୍ଣ୍ଣ ଓ ଅଭିଜ୍ଞ ନେତାମାନଙ୍କୁ ନେଇ ଚାଲନ୍ତୁ। ଏବେ ବି ହାତରେ ସମୟ ଅଛି। ଅଧିକ ବିଳମ୍ବ ହୋଇନାହିଁ!’

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ବିଜେପିର ତୁଙ୍ଗ ଏବଂ ପ୍ରବୀଣ ନେତା ଲାଲକୃଷ୍ଣ ଆଡଭାନୀ ଆଜି ( ନଭେମ୍ବର ୮ ତାରିଖରେ) ୯୦ ବର୍ଷରେ ପଦାର୍ପଣ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe