କିଏ ହେବ ବିଜେପିର ରାଜ୍ୟ ସଭାପତି ? ଦୌଡ଼ରେ ବହୁ ଛାମୁଆ ନେତା, ଫଳାଫଳ ଆଉ ଦିନକ ପରେ

ରାଜ୍ୟ ବିଜେପି ସଭାପତି ଚୟନ ଆଜି, ୧୭ରେ ନିର୍ବାଚନ, ୪ ନାଁକୁ ନେଇ କସରତ

ଭୁବନେଶ୍ବର: କିଏ ହେବ ବିଜେପିର ରାଜ୍ୟ ସଭାପତି ତାକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । ରାଜ୍ୟ ବିଜେପି ସଭାପତି ପଦ ପାଇଁ ଆସନ୍ତା ୧୭ ତାରିଖରେ ଭୋଟ ଗ୍ରହଣ ହେବ । ଆଉ ସେହିଦିନ ହିଁ ଦିନ ୧.୩୦ରେ ଫଳାଫଳ ବାହାରିବ । ୧୬ ତାରିଖ ନାମାଙ୍କନ ଦାଖଲ ହେବ । ୩ଟାରୁ ୪ଟା ଭିତରେ ନାମାଙ୍କନ ଦାଖଲ ହେବ । ସାଢେ ୪ଟାରୁ ସାଢେ ୫ଟା ଭିତରେ ନାମାଙ୍କନ ଯାଞ୍ଚ ହେବ । ଆଉ ୫ଟାରୁ ୭ଟା ପ୍ରତ୍ୟାହାର ପାଇଁ ସମୟ ରହିବ ।

କିଏ ହେବ ରାଜ୍ୟ ବିଜେପିର ନୂଆ ମଙ୍ଗୁଆଳ?  ଏହି ପ୍ରଶ୍ନକୁ ନେଇ ବିଜେପି କରିଡରରେ ଆରମ୍ଭ ହୋଇଛି ଜୋରଦାର ଚର୍ଚ୍ଚା । ଆଉ ଦୌଡ଼ରେ ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତି ଏବଂ ପୂର୍ବତନ ବିଜେପି ବିଧାୟକ କନକ ବର୍ଦ୍ଧନ ସିଂହଦେଓ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ଭଳି ଟାଣୁଆ ନେତାଙ୍କ ନାଁ ଚର୍ଚ୍ଚା ହେଉଛି । ତେବେ ୨୦୦୪ରୁ ୨୦୧୯ ପର୍ଯ୍ୟନ୍ତ ପଶ୍ଚିମ ଓଡିଶାର  ନେତାଙ୍କ ହାତରେ ରହିଛି ରାଜ୍ୟ ପଦ୍ମ ଶିବିରର ଦାୟିତ୍ୱ । ତେଣୁ ଚଳିତଥର ଉପକୂଳ ଓଡିଶାର ନେତାଙ୍କୁ ବିଜେପି ସଭାପତି ପଦରେ ବସାଇବାକୁ ଉଦ୍ୟମ ଚାଲିଥିବା ଚର୍ଚ୍ଚା ହେଉଛି । ଆଉ ଏହି କ୍ରମରେ ସମୀରଙ୍କ ନାଁ ସର୍ବାଗ୍ରେ ଆସୁଛି । ବିଜେପିର ଉପସଭାପତି ରହିଥିବା ସମୀର ଦୀର୍ଘଦିନ ଧରି ଦଳ ପାଇଁ କାମ କରି ଆସୁଛନ୍ତି । ସଂଘ ପରିବାରର ଏହି ଆଗ ଧାଡିର ନେତା ୨୦୧୯ରେ ନିର୍ବାଚନ ଲଢିବାକୁ ସୁଯୋଗ ପାଇ ନଥିବା ବେଳେ ସଭାପତି ପଦ ଦେଇ ତାଙ୍କୁ ସନ୍ତୁଷ୍ଟ କରିବାକୁ ବିଜେପିର କିଛି ଗୋଷ୍ଠୀ ପ୍ରୟାସ ଚଳାଇଛନ୍ତି ।

publive-image

ଅନ୍ୟପଟେ କନକ ବର୍ଦ୍ଧନ ସିଂହଦେଓଙ୍କୁ ନେଇ ମଧ୍ୟ  ଚର୍ଚ୍ଚା ଜାରି ରହିଛି  । ପଶ୍ଚିମ ଓଡିଶାର ଏହି ଟାଣୁଆ ନେତାଙ୍କୁ ପୁଣିଥରେ ପଦ୍ମ ଦଳର ମୁଖିଆ କରିବାକୁ ଢ଼େର ଦିନହେବ  ଦିଲ୍ଲୀରେ ଲବି ଆରମ୍ଭ ହୋଇଯାଇଛି। ସେ ପୂର୍ବରୁ ଦଳର ସଭାପତି ରହି ସାରିଛନ୍ତି। ତେବେ  ପଶ୍ଚିମ ଓଡ଼ିଶାର ବଡ ସଙ୍ଗଠକ ଭାବେ ଏହି ଦୌଡ଼ରେ ସେ ଆଗରେ ରହିଛନ୍ତି । କେଭି ସଭାପତି ଥିବା ସମୟରେ ଦଳ ଏତେଟା ଭଲ ପ୍ରଦର୍ଶନ କରିନଥିଲେ ମଧ୍ୟ ଏବେ ରାଜ୍ୟ ବିଜେପିରେ ଚାଲିଥିବା ଗୋଳମାଳିଆ ସ୍ଥିତି ତାଙ୍କ ପ୍ରାର୍ଥିତ୍ବ ସୁହାଇବ ବୋଲି କୁହାଯାଉଛି ।

ସେହିପରି ପୁଣି ଥରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ପୂର୍ବତନ ରାଜ୍ୟ ସଭାପତି ଜୁଏଲ ଓରାମଙ୍କ ନାଁ ମଧ୍ୟ ଚର୍ଚ୍ଚାର ପରିସରକୁ ଆସିଛି । ଜୁଏଲଙ୍କ ପାଇଁ ମଧ୍ୟ ଏକ ପ୍ରଭାବଶାଳୀ ଗୋଷ୍ଠୀ ଲବି କରୁଥିବାର ଖବର ସାମ୍ନାକୁ ଆସିଛି । ଅନ୍ୟପଟେ ବିରୋଧୀ ଦଳ ଉପନେତା ତଥା ଧାମନଗର ବିଧାୟକ ବିଷ୍ଣୁ ସେଠୀ ମଧ୍ୟ ଏହି ରେସରେ ଅଛନ୍ତି । ଅନ୍ୟପଟେ ବରଗଡ ସାଂସଦ ସୁରେଶ ପୂଜାରୀ ଓ ବିଜେପି ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନଙ୍କ ସହ କିଛି ନେତା ମଧ୍ୟ ସଭାପତି ଦୌଡ଼ରେ ଥିବା ନେଇ ବିଜେପି ଅନ୍ଦର ମହଲରେ ହେଉଛି ଜୋରଦାର ଚର୍ଚ୍ଚା । ତେବେ ସଭାପତି କିଏ ହେବ ସେ ନେଇ ଚୂଡାନ୍ତ ଘୋଷଣା କରିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe