Image Courtesy of Zee News
ନୂଆଦିଲ୍ଲୀ: କୁଚ୍ ବିହାର ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍ ଅଭିଷେକ ଗୁପ୍ତାଙ୍କ ବଦଳି ସଂକ୍ରାନ୍ତରେ ଅସନ୍ତୋଷ ବ୍ୟକ୍ତ କରି ତୃଣମୂଳ କଂଗ୍ରେସ ମୁଖ୍ୟ ନିର୍ବାଚନ କମିସନର୍ଙ୍କୁ ଚିଠି ଲେଖିଛି।
ମଙ୍ଗଳବାର ରାତିରେ ଦାଖଲ କରାଯାଇଥିବା ଉକ୍ତ ଚିଠିରେ ତୃଣମୂଳ କଂଗ୍ରେସ ଏହି ବଦଳିକୁ ଭାରତର ନିର୍ବାଚନ କମିସନଙ୍କର ଅଯୌକ୍ତିକ ଓ ଅନ୍ୟାୟ ଆଦେଶ ବୋଲି ଅଭିହିତ କରିଛି। ଦଳ ଆହୁରି ମଧ୍ୟ ଅଭିଯୋଗ କରିଛି ଯେ ବିଜେପିର ନିର୍ଦେଶରେ ବଦଳି କରାଯାଇଛି।
ଦଳ ଦାବି କରିଛି ଯେ ନିକଟ ଅତୀତରେ ଜଣାପଡ଼ିଥିବା ଘଟଣାବଳୀରୁ ଏହା ସୁସ୍ପଷ୍ଟ ଯେ ଏ ଭଳି ବଦଳି ଆଦେଶ କେନ୍ଦ୍ରରେ ଥିବା ଶାସକ ଦଳ ବିଜେପିର କେନ୍ଦ୍ରୀୟ ନେତା ଏବଂ ପଶ୍ଚିମବଙ୍ଗରେ ଥିବା ତାଙ୍କର ପ୍ରତିନିଧିଙ୍କ ନିର୍ଦେଶରେ କରାଯାଇଛି। ବିଶେଷକରି, କୁଚ୍ ବିହାର ଠାରେ ନିକଟରେ ନିର୍ବାଚନୀ ସଭାରେ ସେ ଦଳର ନେତାମାନେ ଦେଇଥିବା ବିବୃତିରୁ ଏହା ବୁଝି ହେଉଛି।
ତୃଣମୂଳ କଂଗ୍ରେସ ଆହୁରି ମଧ୍ୟ ଅଭିଯୋଗ କରିଛି ଯେ ବିଜେପି ନେତାମାନେ ଏପ୍ରିଲ ୭ ତାରିଖରେ ଗୋଟାଏ ସଭାରେ ପରିଣାମ ଭୟାବହ ହେବ ବୋଲି ଗୁପ୍ତାଙ୍କୁ ଧମକ ଦେଇଥିଲେ। ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ମୁକୁଳ ରାୟ ଅଭିଷେକ ଗୁପ୍ତଙ୍କୁ ସୂଚାଇ କହିଥିଲେ କି, ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍ଙ୍କ ବର୍ଦି ଉତାରି ନିଆଯିବ। ନିର୍ବାଚନ କମିସନଙ୍କ ଉପରେ ପୂର୍ଣ୍ଣ ନିୟନ୍ତ୍ରଣ ଥିବା ପରି ସେ ସେ ବାଆଁରେଇ କହିଥିଲେ ଯେ ନିର୍ବାଚନ କମିସନ ତାଙ୍କୁ ବଦଳି କରିବେ।
ବଦଳି ଆଦେଶର ପୁନର୍ବିଚାର କରି ରାଜ୍ୟରେ ଅବାଧ ଓ ନିରପେକ୍ଷ ନିର୍ବାଚନ ନିମନ୍ତେ ଚିଠିରେ ତୃଣମୂଳ କଂଗ୍ରେସ ନିର୍ବାଚନ କମିସନଙ୍କୁ ଅନୁରୋଧ କରିଛି। ଡେରେକ୍ ଓ’ବ୍ରେଇନ୍ଙ୍କ ନେତୃତ୍ୱରେ ତୃଣମୂଳ କଂଗ୍ରେସର ଏକ ପ୍ରତିନିଧି ଦଳ ଏ ସଂକ୍ରାନ୍ତରେ ଆଜି ନିର୍ବାଚନ କମିସନଙ୍କୁ ଭେଟିବେ।
Follow Us