ପ୍ରଥମ ପର୍ଯ୍ୟାୟ ନିର୍ବାଚନ : ଟ୍ରାକିଂ ଲାଗି  ବୁଥରୁ  ଇଭିଏମ୍‌ ନେଇ ଫେରୁଥିବା ୮୭୯ ଗାଡ଼ିରେ ଲଗାଯାଇଛି ଜିପିଏସ୍‌ 

Advertisment
ପ୍ରଥମ ପର୍ଯ୍ୟାୟ ନିର୍ବାଚନ : ଟ୍ରାକିଂ ଲାଗି  ବୁଥରୁ  ଇଭିଏମ୍‌ ନେଇ ଫେରୁଥିବା ୮୭୯ ଗାଡ଼ିରେ ଲଗାଯାଇଛି ଜିପିଏସ୍‌ 

Representional Picture (DNA India)

ଭୁବେନଶ୍ୱର: ଆଜି ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ ବେଳେ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେସିନ୍‌ରେ  ଶତକଡ଼ା ୧ ଭାଗରୁ କମ୍‌ ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ ହୋଇଛି ବୋଲି  ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ପ୍ରକାଶ କରିଛନ୍ତି।

ସେହିପରି  ଅପରାହ୍ଣ ୫ଟା ସୁଦ୍ଧା ଶତକଡ଼ା ୬୬ ଭାଗ ଭୋଟର୍‌ ସେମାନଙ୍କର ମତାଧିକାର ସାବ୍ୟସ୍ତ କରିଥିବାର ସେ କହିଛନ୍ତି। ତେବେ ଭୋଟଗ୍ରହଣ  ଶେଷ ହେବା ବେଳକୁ ମତଦାନ ହାର ଅଧିକ ହେବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଆଶା ପ୍ରକାଶ କରିଛନ୍ତି।

ଆଜି ମତଦାନ ଶାନ୍ତିପୂର୍ଣ୍ଣ ହୋଇଛି ବୋଲି ଶ୍ରୀ କୁମାର ପ୍ରକାଶ କରି କହିଛନ୍ତି ଯେ ରାଜ୍ୟର କୌଣସି ସ୍ଥାନରୁ ଅପ୍ରୀତିକର ଘଟଣା ଘଟିଥିବାର ଖବର ମିଳି ନାହିଁ। ତେବେ,କେତେକ ସ୍ଥାନରେ ଲୋକମାନେ ବିଭିିନ୍ନ କାରଣରୁ ଭୋଟ ବର୍ଜ୍ଜନ କରିଛନ୍ତି ଏବଂ  ସେ ସଂପର୍କରେ ତଥ୍ୟ ସଂଗ୍ରହ କରାଯାଉଛି ବୋଲି ସେ କହିଥିଲେ।

publive-image

କେତେକ ସ୍ଥାନରେ ଭୋଟଗ୍ରହଣ ମେସିନ୍‌ରେ ଯାନ୍ତ୍ରିକ  ତୃଟି  ଦେଖା ଦେଇଥିବାରୁ ମତଦାନ  ବିଳମ୍ବିତ  ହୋଇଥିଲା ବୋଲି ସ୍ୱୀକାର କରି ମୁଖ୍ୟ ନିର୍ବାଚନ ଅଧିକାରୀ କହିଲେ ଯେ,ଏହି ତ୍ରୁଟି  ଅଧଘଣ୍ଟାଏରୁ ୪୦ ମିନିଟ୍‌ ମଧ୍ୟରେ ସଜଡ଼ା ଯିବା ପରେ ଭୋଟଗ୍ରହଣ ଆରମ୍ଭ ହୋଇଥିଲା। ତେବେ, ଆଜି ଭୋଟଗ୍ରହଣ  ହୋଇଥିବା ୭୨୩୩ ମତଦାନ କେନ୍ଦ୍ରରେ ରଖାଯାଇଥିବା ଇଲେକ୍ଟ୍ରୋନିକ୍‌ ଭୋଟିଂ ମେସିନ୍‌ ମଧ୍ୟରୁ ଶତକଡ଼ା ୧ ଭାଗରୁ କମ୍‌ ଯାନ୍ତ୍ରିକ ତ୍ରୁଟି ଦେଖାଯାଇଥିଲା, ଯାହାକି ଜାତୀୟ ହାର ଠାରୁ କମ୍‌।

ରାଜ୍ୟର ୭୩୦ଟି ମତଦାନ କେନ୍ଦ୍ରରେ କେମିତି ଭୋଟଗ୍ରହଣ ହେଉଛି ତାହାର ଚିତ୍ର ସିଧାସଳଖ ଭାବେ ଅନୁଧ୍ୟାନ କରାଯାଇଥିଲା। ଦିବ୍ୟାଙ୍ଗ ଓ ବୃଦ୍ଧବୃଦ୍ଧାଙ୍କୁ ସାହାଯ୍ୟ କରିବା ଲାଗି ଶତକଡ଼ା ୯୦ ରୁ ୯୫ ଭାଗ ମତଦାନ କେନ୍ଦ୍ରରେ ହୁଇଲ୍‌ ଚେୟାର୍‌ ବ୍ୟବସ୍ଥା କରାଯାଇଥିଲା ଏବଂ ଏଥିଲାଗି ଦୁଇଜଣ ଲେଖାଏଁ ସ୍ୱେଚ୍ଛାସେବୀ ନିୟୋଜିତ  ହୋଇଥିଲେ। ଆଗାମୀ ତିନୋଟି ପର୍ଯ୍ୟାୟରେ  ଆହୁରି କ’ଣ ସୁବିଧା ଦିଆଯାଇପାରିବ ସେଥିପ୍ରତି ଦୃଷ୍ଟି ଦିଆଯାଉଛି ବୋଲି ଶ୍ରୀ କୁମାର କହିଥିଲେ।

ଭୋଟ ଗ୍ରହଣ ଦାୟିତ୍ୱରେ ନିୟୋଜିତ ୮୭୯ ଯାନବାହାନରେ ଗ୍ଲୋବାଲ ପୋଜିସନିଂ ସିଷ୍ଟମ୍‌ (ଜି.ପି.ଏସ୍‌)ଲଗାଯାଇ ତଦାରଖ କରାଯାଇଥିଲା। ‘‘ସବୁ ପୋଲିଂ କର୍ମଚାରୀ ଏବଂ ଭୋଟ ଗ୍ରହଣ ମେସିନ୍‌ ସୁରକ୍ଷିତ ଅବସ୍ଥାରେ ଫେରିବା ପର୍ଯ୍ୟନ୍ତ ଆମେ ରାତିସାରା ସଜାଗ ରହିବୁ’’ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe