ବିଜେପୁର ନିର୍ବାଚନରେ ବ୍ୟବହାର ହେବ ଭିଭିପିଏଟି

Advertisment
ବିଜେପୁର ନିର୍ବାଚନରେ ବ୍ୟବହାର ହେବ ଭିଭିପିଏଟି

Photo by : thenewshimachal.com

ଭୁବନେଶ୍ୱର : ଇଭିଏମ୍‌ ଜାଲିଆତିକୁ ନେଇ ବିଭିନ୍ନ ମହଲରୁ ଅଭିଯୋଗ ବଢ଼ିଲା ପରେ ନିର୍ବାଚନ କମିସନ୍‌ ନୂଆ ବ୍ୟବସ୍ଥା କାର୍ଯ୍ୟକାରୀ କରିବେ। ଆଉ ଏକ ମେସିନ୍‌ ଲଗାଇ ଭୋଟର୍‌ଙ୍କୁ ସେମାନଙ୍କ ମତଦାନ ନିଶ୍ଚିତ କରାଯିବ। ଏହି ମେସିନ୍‌ ହେଉଛି ଭିଭିପିଏଟି(ଭୋଟର୍‌ ଭେରିଫାଏବଲ୍‌ ପେପର୍‌ ଅଡିଟ୍‌ ଟ୍ରେଲ୍‌)। ଆସନ୍ତା ବିଜେପୁର ଉପନିର୍ବାଚନରେ ଓଡ଼ିଶାରେ ପ୍ରଥମ ଥର ପାଇଁ ଏହି ମେସିନ୍‌ ବ୍ୟବହାର ହେବ।

ବୁଥ୍‌ରେ ଇଭିଏମ୍‌ ସହିତ ଭିଭିପିଏଟି ମେସିନ୍‌ ଲାଗିବ। ମତଦାତା ଦେଇଥିବା ଭୋଟ୍‌ଟି ଇଭିଏମ୍‌ରେ ଠିକ୍‌ ଭାବେ ଦରଜ ହେଲା କି ନାହିଁ, ତାହା ଏହି ମେସିନ୍‌ ମାଧ୍ୟମରେ ଜଣାପଡ଼ିବ। ସଂପୃକ୍ତ ଭୋଟର୍‌ ନିଜ ଭୋଟ୍‌ ସେ ଦେଇଥିବା ପ୍ରାର୍ଥୀଙ୍କ ପକ୍ଷରେ ଯାଇଛି କି ନାହିଁ, ବୁଥ୍‌ରେ ହିଁ ସେ ନିଶ୍ଚିତ ହୋଇପାରିବ। ଏହା ଫଳରେ ଇଭିଏମ୍‌ ଟାମ୍ପରିଂ ନେଇ ହେଉଥିବା ଅଭିଯୋଗ ଆଉ ରହିବ ନାହିଁ ବୋଲି କୁହାଯାଉଛି।

ରାଜ୍ୟ ନିର୍ବାଚନ ଅଧିକାରୀ ଡି ଏନ୍‌ ଗୁପ୍ତା କହିଛନ୍ତି, ବିଜେପୁର ଉପନିର୍ବାଚନରେ ଭିଭିପିଏଟି ବ୍ୟବହାର କରାଯିବ। ପ୍ରତି ବୁଥ୍‌ରେ ଇଭିଏମ୍‌ ସହିତ ଭିଭିପିଏଟି ଲାଗିବ। ପରବର୍ତ୍ତୀ ପର୍ଯ୍ୟାୟରେ ସାଧାରଣ ନିର୍ବାଚନରେ ଏହି ମେସିନ୍‌ ବ୍ୟବହାର କରାଯିବ। ଏହା ଦ୍ୱାରା ନିର୍ବାଚନ ପ୍ରକ୍ରିୟାରେ ଆହୁରି ସ୍ୱଚ୍ଛତା ଆସିପାରିବ। ଯଦି କୌଣସି ପ୍ରାର୍ଥୀ କିମ୍ବା ତାଙ୍କ ପ୍ରତିନିଧି ମତଦାନରେ ଅନିୟମିତତା ଓ ସନ୍ଦେହ ନେଇ ଅଭିଯୋଗ ଦାଖଲ କରନ୍ତି, ତେବେ ଭିଭିପିଏଟିରୁ ବାହାରୁଥିବା ଏକ ସ୍ଲିପ୍‌ରୁ ତାହା ସ୍ପଷ୍ଟ ହୋଇପାରିବ। ଭିଭିପିଏଟିରେ ସମସ୍ତ ତଥ୍ୟ କିଛି ଦିନ ପର୍ଯ୍ୟନ୍ତ ସଂରକ୍ଷିତ ରଖାଯାଇପାରିବ।

ବିଜେପୁର ଉପନିର୍ବାଚନକୁ ନେଇ ପ୍ରମୁଖ ରାଜନୈତିକ ଦଳ ଜୋର୍‌ଦାର୍‌ ସମରସଜ୍ଜା ଚଳାଇଥିଲେ ବି ନିକଟରେ ତାରିଖ ଘୋଷଣା ହେବାର ସମ୍ଭାବନା କମ୍‌। କାରଣ ହାଇକୋର୍ଟରେ ୨୦୧୪ ବିଜେପୁର ନିର୍ବାଚନକୁ ନେଇ ଏକ ମାମଲା ବିଚାରାଧୀନ ଅଛି। ହାଇକୋର୍ଟଙ୍କ ରାୟ ଆସିଲା ପରେ ନିର୍ବାଚନ କମିସନ୍‌ ଉପନିର୍ବାଚନ ତାରିଖ ଘୋଷଣା ନେଇ ନିଷ୍ପତ୍ତି ନେବେ ବୋଲି ଶ୍ରୀ ଗୁପ୍ତା ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe