ପାପଡ଼ାହାଣ୍ଡି (ଏନ୍‌ ଜନାର୍ଦ୍ଦନ ରାଓ): କାଦୁଅ ଭର୍ତ୍ତି ରାସ୍ତାରେ ଯିବା ସମ୍ଭବ ନଥିଲା। ତେଣୁ ୧୦୮ ଆମ୍ବୁଲାନ୍ସକୁ ଆଗକୁ ବଢ଼ିନାରିଲା ନାହିଁ। ଅଧା ରାସ୍ତାରେ ଅଟକିଗଲା ଚାରିଚକିଆ ଯାନ। ପରିବାର ଲୋକେ ଉପାୟ ନପାଇ ଗ୍ରାମ ଠାରୁ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଖଟିଆରେ ବୁହାହୋଇ ଗଲେ ଗର୍ଭବତୀ। ରାସ୍ତାର କଦର୍ଯ୍ୟ ଅବସ୍ଥା ଯୋଗୁଁ ହୀନସ୍ତା ହୋଇଛନ୍ତି ରୋଗୀ ଏବଂ ସଂପର୍କୀୟ। ନବରଙ୍ଗପୁରଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ ଘାଟଗୁଡ଼ା ଗ୍ରାମପଞ୍ଚାୟତ କାଙ୍ଗମାଝୀଗୁଡ଼ା ସିରାଗୁଡ଼ା ଗ୍ରାମରେ ଏହି ଘଟଣା ଘଟିଛି। 

Advertisment

୯ମାସରେ ଗର୍ଭବତୀ, ୨ ସନ୍ତାନକୁ ଗର୍ଭଧାରଣ

ଘାଟଗୁଡ଼ା ପଞ୍ଚାୟତ ଅନ୍ତର୍ଗତ କାଙ୍ଗମାଝୀଗୁଡ଼ା ସିରାଗୁଡ଼ା ଗ୍ରାମର ଶ୍ରୀଦେବୀ ଗୌଡ଼ ୯ ମାସର ଗର୍ଭବତୀ ଅଛନ୍ତି। ଆଶା ଦିଦିଙ୍କ କହିବା ଅନୁଯାୟୀ ସେ ଦୁଇ ସନ୍ତାନକୁ ଗର୍ଭଧାରଣ କରିଛନ୍ତି। ଆଜି ସନ୍ଧ୍ୟା ୬ଟାରେ ଘଣ୍ଟା ସମୟରେ ଗର୍ଭ ଯନ୍ତ୍ରଣା ହେବାରୁ ଗ୍ରାମର ଆଶା ଦିଦିଙ୍କୁ ଯୋଗଯୋଗ କରିଥିଲେ। ଆଶା ଦିଦି ତୁରନ୍ତ ଆମ୍ବୁଲାନ୍‌ସକୁ ଯୋଗାଯୋଗ କରିଥିଲେ। ଖବର ପାଇ ମେଡିକାଲରୁ ଆମ୍ବୁଲାନ୍ସ ବି ବାହାରିଥିଲା। କିନ୍ତୁ କାଙ୍ଗମଝିଗୁଡା ଗାଁ ନିକଟରେ ଅଟକିବାକୁ ବାଧ୍ୟ ହୋଇଥିଲା। ଏଠାରୁ ଆଉ ଆଗକୁ ଯିବା ସମ୍ଭବ ହୋଇ ନଥିଲା। କାରଣ କାଙ୍ଗମାଝୀଗୁଡା ସିରାଗୁଡା ଠାରୁ କାଙ୍ଗମାଝୀଗୁଡ଼ା ମଧ୍ୟରେ ବ୍ୟବଧାନ ମାତ୍ର ୨ କିଲୋମିଟର।

ଜଙ୍ଗଲ ରାସ୍ତାରେ ହ୍ରିଂସ ଜନ୍ତୁ ଭୟ

ତେବେ ଏପର୍ଯ୍ୟନ୍ତ ଏହି ଦୁଇ କିଲୋମିଟର ରାସ୍ତା ନିର୍ମାଣ ହୋଇପାରିନାହିଁ। ଗାଡି ଯିବା ଏହି ରାସ୍ତାରେ ଅସୁବିଧା ହେଉଛି। କାଦୁଅ ସହ ଜଙ୍ଗଲ ରାସ୍ତାରେ ରାତ୍ରି ସମୟରେ ହିଂସ୍ର ଜନ୍ତୁର ଭୟ ରହୁଛି। ନିକଟରେ ଲଗୁଚାପ ପ୍ରଭାବରେ ବର୍ଷା ହେବା ଯୋଗୁ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ଛି। ଏନେଇ ଆମ୍ବୁଲାନ୍ସ ଚାଳକ ସଂପର୍କୀୟଙ୍କୁ ଅବଗତ କରାଇଥିଲେ। ଗର୍ଭବତୀ ଶ୍ରୀଦେବୀଙ୍କ ଅବସ୍ଥା ବିଗିଡ଼ିବାରେ ଲାଗିବାରୁ ପରିବାର ଲୋକ ଗୋଟିଏ ଖଟିଆରେ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନେବାକୁ ବାଧ୍ୟ ହୋଇଥିଲେ। ବହୁ କଷ୍ଟରେ ଆମ୍ବୁଲାନ୍ସ ପାଖରେ ପହଂଚିବା ପରେ ସେଠାରୁ ପୁଣି ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଲୟକୁ ନିଆଯାଇଥିଲା।

ଆହୁରି ପଢ଼ନ୍ତୁ: Ganja Seized: ଚାଳାଣ ପୂର୍ବରୁ ମାଲକାନଗିରରେ ୬୦କିଲୋ ତରଳ ଗଂଜେଇ ଜବତ

ଶୁଣୁନାହିଁ ପ୍ରଶାସନ

ଦୀର୍ଘଦିନ ହେଲା କାଙ୍ଗମାଝୀଗୁଡ଼ା ସିରାଗୁଡ଼ା ଗାଁକୁ ରାସ୍ତା ନିର୍ମାଣ ହୋଇପାରୁ ନାହିଁ। ଶୀତ ଓ ଖରା ଦିନେ ଦଦରା ରାସ୍ତାରେ କୌଣସି ପ୍ରକାର ଲୋକେ ଯାତାୟାତ କରୁଥିଲେ ମଧ୍ୟ ବର୍ଷା ଦିନେ ଅବସ୍ଥା ଅସମ୍ଭାଳ ହୋଇଯାଏ। ଗତବର୍ଷ ଗ୍ରାମବାସୀ ନିଜେ ଶ୍ରମଦାନ କରି ରାସ୍ତା ମରାମତି କରିଥିଲେ। ପ୍ରଶାସନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏନେଇ ଗଣମାଧ୍ୟମ ରେ ଖବର ପ୍ରସାରଣ ହୋଇଥିଲା। କିନ୍ତୁ ପ୍ରଶାସନ ନିରବ ହୋଇ ପଡିଛି। ବହୁବାର ସ୍ଥାନୀୟ ସରପଞ୍ଚଙ୍କୁ ଲିଖିତ ଭାବେ ଜଣାଇବା ସତ୍ତ୍ବେ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନଥିବା ଗର୍ଭବତୀ ସ୍ୱାମୀଙ୍କ ଘାସିରାମ ଗୌଡ଼ ଓ ଗ୍ରାମବାସୀ କହିଛନ୍ତି। 

ଆହୁରି ପଢ଼ନ୍ତୁ: Attack On Bull: ମରିଗଲା ମାନବିକତା: ବ୍ରେଡ୍‌ ଖାଇଲା ବୁଲା ଷଣ୍ଢ, ଛୁରୀ ଭୁସିଲା ଦୋକାନୀ