ଘୁମୁସର ବନଖଣ୍ଡରେ ଅସୁରକ୍ଷିତ ଗଜରାଜ, ୨ ବର୍ଷରେ ମରିଛନ୍ତି ୮ ହାତୀ

Advertisment

ରାଜ୍ୟର ଅନ୍ୟତମ ବୃହତ୍ ବନଖଣ୍ଡ ଗଞ୍ଜାମ ଜିଲ୍ଲାର ଦକ୍ଷିଣ ଘୁମୁସର ଓ ଉତ୍ତର ଘୁମୁସର ବନଖଣ୍ଡ ହାତୀପଲ ପାଇଁ ସବୁଠୁ ନିରାପଦ ସ୍ଥାନ ଭାବେ ବିବେଚନା କରାଯାଉଥିଲା। ଘଞ୍ଚ ଜଙ୍ଗଲ ସାଙ୍ଗକୁ ବାଉଁଶ ଗଛ ଭର୍ତ୍ତି ହୋଇ ରହିଥିବାରୁ ବର୍ଷସାରା ଏଠାରେ ହାତୀମାନଙ୍କ ଚଳପ୍ରଚଳ ଲାଗି ରହିଥାଏ।

ରାଜ୍ୟର ଅନ୍ୟତମ ବୃହତ୍ ବନଖଣ୍ଡ ଗଞ୍ଜାମ ଜିଲ୍ଲାର ଦକ୍ଷିଣ ଘୁମୁସର ଓ ଉତ୍ତର ଘୁମୁସର ବନଖଣ୍ଡ ହାତୀପଲ ପାଇଁ ସବୁଠୁ ନିରାପଦ ସ୍ଥାନ ଭାବେ ବିବେଚନା କରାଯାଉଥିଲା। ଘଞ୍ଚ ଜଙ୍ଗଲ ସାଙ୍ଗକୁ ବାଉଁଶ ଗଛ ଭର୍ତ୍ତି ହୋଇ ରହିଥିବାରୁ ବର୍ଷସାରା ଏଠାରେ ହାତୀମାନଙ୍କ ଚଳପ୍ରଚଳ ଲାଗି ରହିଥାଏ।

elephant

ଭଞ୍ଜନଗର: ରାଜ୍ୟର ଅନ୍ୟତମ ବୃହତ୍ ବନଖଣ୍ଡ ଗଞ୍ଜାମ ଜିଲ୍ଲାର ଦକ୍ଷିଣ ଘୁମୁସର ଓ ଉତ୍ତର ଘୁମୁସର ବନଖଣ୍ଡ ହାତୀପଲ ପାଇଁ ସବୁଠୁ ନିରାପଦ ସ୍ଥାନ ଭାବେ ବିବେଚନା କରାଯାଉଥିଲା। ଘଞ୍ଚ ଜଙ୍ଗଲ ସାଙ୍ଗକୁ ବାଉଁଶ ଗଛ ଭର୍ତ୍ତି ହୋଇ ରହିଥିବାରୁ ବର୍ଷସାରା ଏଠାରେ ହାତୀମାନଙ୍କ ଚଳପ୍ରଚଳ ଲାଗି ରହିଥାଏ। ପୂର୍ବରୁ କେବଳ ଧାନ ଅମଳ ବେଳେ ହାତୀପଲ ଜଙ୍ଗଲ ଛାଡ଼ି ଜନପଦମୁହାଁ ହେଉଥିଲେ। ଏବେ କିନ୍ତୁ ସବୁ ଋତୁରେ ହାତୀପଲ ଜନବସତି ଆଡ଼କୁ ମାଡ଼ି ଆସୁଛନ୍ତି। ଏପରିକି ରାଜରାସ୍ତା ପାର କରୁଛନ୍ତି। ଏଭଳି ପରିସ୍ଥିତିରେ ହାତୀ ଓ ମଣିଷ ମଧ୍ୟରେ ସଂଘର୍ଷ ହେଉଛି। ଜଳବାୟୁ ପରିବର୍ତ୍ତନ ସାଙ୍ଗକୁ ଜଙ୍ଗଲରୁ ଅବାଧ ଗଛକଟା ହାତୀପଲ ଓ ବନ୍ୟଜନ୍ତୁଙ୍କୁ ଜନବସତିମୁହାଁ ହେବାକୁ ରାସ୍ତା ପ୍ରସ୍ତୁତ କରୁଛି ବୋଲି ପରିବେଶବିତ୍‌ମାନେ କହିଛନ୍ତି। ଆଗକୁ ପରିସ୍ଥିତି ସଂଗିନ୍ ହେବ ବୋଲି ମତପ୍ରକାଶ ପାଇଛି।

ଗତ ୭ ବର୍ଷର ଚିତ୍ରକୁ ଅନୁଧ୍ୟାନ କଲେ, ଘୁମୁସର ବନଖଣ୍ଡର ବିଭିନ୍ନ ବନାଞ୍ଚଳରେ ହାତୀ ଆକ୍ରମଣରେ ୭ ଜଣ ପ୍ରାଣ ହରାଇସାରିଲେଣି। ସେହିପରି ସଂଘର୍ଷରେ ଓ ଶିକାରୀଙ୍କ କବଳରେ ପଡ଼ି ହାତୀ ମଧ୍ୟ ମୃତ୍ୟୁମୁଖରେ ପଡ଼ୁଥିବାର ନଜିର୍ ରହିଛି। ଘୁମୁସର ବନଖଣ୍ଡରେ ୨୦୨୨ ଜୁଲାଇରୁ ଆଜି ସୁଦ୍ଧା ୮ଟି ହାତୀ ମରିଥିବା ସରକାରୀ ତଥ୍ୟ କହୁଛି। ଫଳରେ ହାତୀଙ୍କ ସୁରକ୍ଷା ବର୍ତ୍ତମାନ ସମୟରେ ଏକ ବଡ଼ ଆହ୍ବାନ ସୃଷ୍ଟି କରିଛି। ଚଳିତବର୍ଷ ମେ’ ମାସରେ ମୁଜାଗଡ଼ ବନାଞ୍ଚଳର ହାତୀଗୁଡ଼ା ଗ୍ରାମର ବିଦ୍ୟାଧର ଗୌଡ଼ ହାତୀ ଆକ୍ରମଣରେ ପ୍ରାଣ ହରାଇଥିଲେ। ଗତବର୍ଷ ଅକ୍ଟୋବର ମାସରେ ଗୁଣ୍ଡୁରିବାଡ଼ି ଗ୍ରାମର ଟୁନା ଗୌଡ଼ ଓ ତାରସିଂ ‌ବନାଞ୍ଚଳର କ୍ଷେତମୁଣ୍ଡଳୀ ଗ୍ରାମର ଚାଷୀ ପବିତ୍ର ପାତ୍ରଙ୍କ ଜୀବନ ହାତୀ ନେଇଥିଲା। ୨୦୨୦ ଡିସେମ୍ବରରେ ଗାଲେରୀ ବନାଞ୍ଚଳର ନୂଆପଲ୍ଲୀ ନିକଟ କାଜୁ ବଗିଚାରେ ଦନ୍ତାହାତୀ ହାବୁଡ଼ରେ ପଡ଼ି ଜଣେ ବୃଦ୍ଧ ଓ ଜଣେ ନାବାଳକ ପ୍ରାଣ ହରାଇଥିଲେ। ୨୦୨୧ ମସିହା ଜଗନ୍ନାଥପ୍ରସାଦ ରେଞ୍ଜ୍‌ର ଜିଲିବା ଗ୍ରାମରେ ଜଣେ ବୃଦ୍ଧଙ୍କୁ ହାତୀ ଦଳି ମାରି ଦେଇଥିବା ବେଳେ କିଛି ମହିଳା ଆହତ ହୋଇଥିଲେ। ୨୦୧୭ ଏପ୍ରିଲରେ ତାରସିଂ ବନାଞ୍ଚଳର ଶିଶୁଣ୍ଡାରେ ଜଣେ ବ୍ୟକ୍ତି ପ୍ରାଣ ହରାଇଥିଲେ।

ସେହିପରି ବହୁବାର ସମନ୍ବୟ ବୈଠକ ଓ ସତର୍କତାମୂଳକ ପଦକ୍ଷେପ ଗ୍ରହଣ ସତ୍ତ୍ବେ ହାତୀମୃତ୍ୟୁ ଉପରେ ରୋକ୍ ଲାଗିପାରୁନି। ୨୦୨୨ ଜୁଲାଇରେ ମୁଜାଗଡ଼ ବନାଞ୍ଚଳର କାନବିନ୍ଧା ଜଙ୍ଗଲ ଓ ଜଗନ୍ନାଥପ୍ରସାଦ ବନାଞ୍ଚଳର କନ୍ଧନୂଆପଲ୍ଲୀରେ ୨ଟି ଦନ୍ତାହାତୀର ମୃତ୍ୟୁ ପରେ ଶିକାରୀମାନେ ଦାନ୍ତ କାଟିନେଇଥିଲେ। ସେହିବର୍ଷ ତାରସିଂ ବନାଞ୍ଚଳର ଗାୟଗଣ୍ଡା ସେକ୍ସନ୍ ରାମ୍ପୁ ଗ୍ରାମ ଚିଟିକାପାଦୁରେ ଏକ ଦନ୍ତାହାତୀ, ୨୦୨୩ ମସିହାରେ ମାଣପୁରରେ ଏକ ଦନ୍ତାହାତୀ, ସେହିବର୍ଷ ଫେବ୍ରୁଆରିରେ ଗାଲେରୀ ବନାଞ୍ଚଳରେ ଅସୁସ୍ଥ ମାଖନା ହାତୀ, ମାର୍ଚ୍ଚରେ ମୁଜାଗଡ଼ ବନାଞ୍ଚଳର ଗମ୍ଭାରୀଗୋଚ୍ଛା ଓ ତିଲିକି ସଂରକ୍ଷିତ ଜଙ୍ଗଲରେ ଏକ ମାଈହାତୀର ମୃତ୍ୟୁ ଘଟିଥିଲା। ସେହିପରି ଚଳିତବର୍ଷ ମାର୍ଚ୍ଚରେ ଗାଲେରୀ ବନାଞ୍ଚଳ ତିଳିସିଂ ସେକ୍ସନ୍ ବେରୁଆଁବାଡି ଗ୍ରାମ ନିକଟ ଜଙ୍ଗଲ ଭିତରେ ଏକ ଅସୁସ୍ଥ ଦନ୍ତାର ମୃତ୍ୟୁ ହୋଇଥିଲା।  ଜଙ୍ଗଲରେ ପିଇବା ପାଣି ଓ ଖାଦ୍ୟାଭାବ ଯୋଗୁଁ ହାତୀପଲ ରାଜରାସ୍ତାକୁ ଆସୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe