୬୦ ଦଶକ ପୂର୍ବରୁ ନନ୍ଦନକାନନ ଅଞ୍ଚଳ ଚନ୍ଦକା-ଡମପଡ଼ା ଅଭୟାରଣ୍ୟର ଏକ ଅଂଶ ଥିଲା। ଏଠାକାର ମନୋରମ ପରିବେଶ ବାଟୋଇଙ୍କୁ ବିମୋହିତ କରୁଥିଲା ଏବଂ କ୍ଷଣିଏ ଅଟକିବାକୁ ବାଧ୍ୟ କରୁଥିଲା। ତତ୍କାଳୀନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବ ଏଭଳି ପ୍ରାକୃତିକ ସୌନ୍ଦର୍ଯ୍ୟରେ ଆକୃଷ୍ଟ ହୋଇ ନନ୍ଦନକାନନର ପରିକଳ୍ପନା କରିଥିଲେ। ରାଜଧାନୀକୁ ଲାଗି ରହିଥିବା ଏହି ଅଞ୍ଚଳର ପରିବେଶକୁ ବଜାୟ ରଖି ବିଭିନ୍ନ ପ୍ରଜାତିର ଜୀବଜନ୍ତୁଙ୍କୁ ରଖାଯାଇଥିଲା। ଜଙ୍ଗଲ ପାଦଦେଶର ଗୋଟିଏ ପାର୍ଶ୍ବରେ କାଞ୍ଜିଆ ଓ ଅନ୍ୟ ପାର୍ଶ୍ବରେ କିଆଖଣି ହ୍ରଦର ଦୃଶ୍ୟ ବେଶ୍ ମନଲୋଭା ଥିଲା। ଏବେ ବି ଉଭୟ ହ୍ରଦ ରହିଛି; ହେଲେ ପୂର୍ବର ଚମକ ନାହିଁ। ଗୋଟିଏ ସମୟ ଥିଲା କାଞ୍ଜିଆକୁ ଓଡ଼ିଶାର ଦ୍ବିତୀୟ ନଳବଣ କହିବାକୁ ଲୋକେ ପଛାଉ ନଥିଲେ। ତେବେ ୧୯୯୯ ମହାବାତ୍ୟାର ତାଣ୍ଡବରେ କାଞ୍ଜିଆ, କିଆଖଣି ହ୍ରଦ ଏତେ ପରିମାଣରେ କ୍ଷତିଗସ୍ତ ହୋଇଥିଲା ଯେ ଆଉ ପୁନରୁଦ୍ଧାର ହୋଇପାରୁ ନାହିଁ। ମହାବାତ୍ୟା ପରବର୍ତ୍ତୀ ସମୟରେ ନନ୍ଦନକାନନର ଜୈବ ବିବିଧତା ପ୍ରଭାବିତ ହୋଇଛି। ସ୍ଥାନୀୟ ଲୋକଙ୍କ ଜୀବନରେଖା ଥିବା କାଞ୍ଜିଆରେ ପୂର୍ବରୁ ପ୍ରଚୁର ପଦ୍ମ ଓ ସିଙ୍ଗଡ଼ା ଗଛ ଦେଖିବାକୁ ମିଳୁଥିଲା। ମହୁରାଳିଠାରୁ ଆରମ୍ଭ କରି ବିଭିନ୍ନ ପ୍ରଜାତିର ମାଛ, ମାଟିଆ କଇଁଛ ଓ ବଡ଼ପତର କଇଁଛ ରହିଥିଲା। ସ୍ଥାନୀୟ ଲୋକେ ମାଛ ଧରିବା ସହ ପଦ୍ମପତ୍ର ଓ ଫୁଲ ବିକ୍ରି କରି ଜୀବକା ନିର୍ବାହ କରୁଥିଲେ।
କାଞ୍ଜିଆ ହ୍ରଦରେ ଏକ ପ୍ରକାରର ଜଙ୍ଗଲୀ ଧାନ ଭେଳା ବାନ୍ଧୁଥିଲା; ଯାହାକି ପକ୍ଷୀମାନଙ୍କ ଆହାର ହେଉଥିଲା। ଏପରିକି ଲୋକେ ସେହି ଧାନକୁ ଶୀତ ଦିନେ ଆଣି ଖାଉଥିଲେ। ଏଠାକାର ପରିବେଶ ପ୍ରତି ଆକୃଷ୍ଟ ହୋଇ ଚନ୍ଦକା ଜଙ୍ଗଲର ହାତୀ ଛୁଟି ଆସୁଥିଲେ। ହାତୀଙ୍କ ପାଣି ପିଇବା ଓ ଜଳକ୍ରୀଡ଼ାର ଦୃଶ୍ୟ ଆମୋଦିତ କରୁଥିଲା। ସମ୍ବର, ହରିଣ, ବାର୍ହା, କୁଟୁରା, ଗୁରାଣ୍ଟି, ବଜ୍ରକାପ୍ତା, ଗାଡ଼ ଭାଲୁ ପ୍ରଭୃତି ବନ୍ୟପ୍ରାଣୀଙ୍କ ସମେତ ଅହିରାଜ, ଅଜଗର, ବୋଡ଼ା, ବିରଳ ଗୋଡ ନଥିବା ରାତ୍ରିଚର ଚମ୍ପେଇ ନେଉଳ ପରି ସରୀସୃପ ଏଠାରେ ରହିଥିଲେ। ମୟୂର, ବିଭିନ୍ନ ପ୍ରଜାତିର ବଗ, ଗେଣ୍ଡାଳିଆ, ମାଛରଙ୍କାଙ୍କ ଘର ଥିଲା କିଆଖଣି ଓ କାଞ୍ଜିଆ। ଶୀତ ଋତୁରେ ସାରସ, ଜାନେଟ୍, ଚାମଚ ଥଣ୍ଟିଆ, ବଙ୍କା ଥଣ୍ଟିଆ, ସଲରି ସମେତ ଅନ୍ୟ ପ୍ରଜାତିର ବିଦେଶାଗତ ପକ୍ଷୀଙ୍କ ଅାଗମନ ହେଉଥିଲା। ଏବେ ଆଉ ସେମାନଙ୍କୁ ଦେଖିବାକୁ ମିଳୁ ନାହିଁ।
Follow Us