ପ୍ରତି ପଞ୍ଚାୟତରେ ସବୁଜ ବଳୟ ସୃଷ୍ଟି ହେବ: ପ୍ରତାପ

ପରିବେଶ ସୁରକ୍ଷାର ବାର୍ତ୍ତା ଗାଁରେ ପହଞ୍ଚାଇବାକୁ ପଡ଼ିବ। ଯୁବଗୋଷ୍ଠୀଙ୍କୁ ସାମିଲ କରି ପ୍ରତି ଗାଁରେ ବ୍ୟାପକ ବୃକ୍ଷରୋପଣ କରାଯିବ। ଆସନ୍ତା ୫ ବର୍ଷ ଭିତରେ ପ୍ରତି ପଞ୍ଚାୟତ‌ରେ ସବୁଜ ବଳୟ ସୃଷ୍ଟି କରିବାକୁ ଉଦ୍ୟମ ଆଜିଠାରୁ ଆରମ୍ଭ ହେଲା ବୋଲି କହିଛନ୍ତି ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ।

fhdhfhtttht

ଅନୁଗୁଳ: ପରିବେଶ ସୁରକ୍ଷାର ବାର୍ତ୍ତା ଗାଁରେ ପହଞ୍ଚାଇବାକୁ ପଡ଼ିବ। ଯୁବଗୋଷ୍ଠୀଙ୍କୁ ସାମିଲ କରି ପ୍ରତି ଗାଁରେ ବ୍ୟାପକ ବୃକ୍ଷରୋପଣ କରାଯିବ। ଆସନ୍ତା ୫ ବର୍ଷ ଭିତରେ ପ୍ରତି ପଞ୍ଚାୟତ‌ରେ ସବୁଜ ବଳୟ ସୃଷ୍ଟି କରିବାକୁ ଉଦ୍ୟମ ଆଜିଠାରୁ ଆରମ୍ଭ ହେଲା ବୋଲି କହିଛନ୍ତି ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ। ସ୍ଥାନୀୟ ବାଜି ରାଉତ ଛାତ୍ରାବାସ ପରିସରରେ ଆଜି ‘ସମ୍ବାଦ’ ଗ୍ରୁପ୍‌ ପକ୍ଷରୁ ଆୟୋଜିତ ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମରେ ସଭାପତିତ୍ବ କରି ବିଧାୟକ ଶ୍ରୀ ପ୍ରଧାନ କହିଛନ୍ତି, ବିଭିନ୍ନ କାରଣ ପାଇଁ ଅନୁଗୁଳରେ ପ୍ରଦୂଷଣ ବଢ଼ି ଚାଲିଛି। ଏହାର ମୁକାବିଲା କରିବା ଆମର ସାମୂହିକ ଦାୟିତ୍ବ। ପରିବେଶ ରକ୍ଷା ପାଇଁ ସେ ସବୁ ସ୍ତରରେ ଉଦ୍ୟମ କରିବେ। ଜନସାଧାରଣଙ୍କ ସହଯୋଗ ମିଳିଲେ ଅନୁଗୁଳର ସବୁଜ ପରିବେଶକୁ ଫେରାଇ ଆଣିବା କଷ୍ଟକର ନୁହେଁ ବୋଲି ସେ କହିଥିଲେ।

ଅନୁଗୁଳ ବିଧାୟକ କହିଛନ୍ତି, ପରିବେଶ ସୁରକ୍ଷାର ବାର୍ତ୍ତା ଘରୁ ଆରମ୍ଭ ହେବା ଉଚିତ। ଆମେ ନିଜେ ସଚେତନ ହୋଇ ପରିବାର ସଦସ୍ୟଙ୍କୁ ପରିବେଶ ରକ୍ଷାର ଆବଶ୍ୟକତା ବୁଝାଇବା ଦରକାର। ଫଳରେ ଏହା ଏକ ବିଶାଳ ଜନ ଆନ୍ଦୋଳନରେ ପରିଣତ ହୋଇପାରିବ। ବିକାଶ ନାମରେ ଅନ୍ଧ ହୋଇଯାଇଥିବା ମଣିଷ ସମାଜ ପାଇଁ ‘ସମ୍ବାଦ’ ପକ୍ଷରୁ ଆରମ୍ଭ ହୋଇଥିବା ପୁନଶ୍ଚ ପୃଥିବୀ ଏକ ସତର୍କ ଘଣ୍ଟି। ଆମେ ବିକାଶ ପାଇଁ ଏକପାଖିଆ ଭାବେ ପରିବେଶକୁ ନଷ୍ଟ କରିପାରିବା ନାହିଁ। ପରିବେଶ ନଷ୍ଟର ପ୍ରଭାବ ଏବେ ଅନୁଗୁଳବାସୀ ନିତି ଭୋଗୁଛନ୍ତି। ଏହାର ପ୍ରତିକାର ପାଇଁ ଏହି  ପରିବେଶ ପଞ୍ଚାୟତକୁ ଗାଁ ଗାଁରେ ପହଞ୍ଚାଇବାକୁ ପଡ଼ିବ। ପ୍ରତି ପଞ୍ଚାୟତରେ ଏମିତି ବୈଠକ କରି ଲୋକଙ୍କୁ ସଚେତନ କରିବାକୁ ହେବ ବୋଲି ବିଧାୟକ କହିଛନ୍ତି। ଏହାର ଦାୟିତ୍ବ ସେ ନିଜେ ନେବେ।  ବନ୍ତଳା ଅଞ୍ଚଳର ହାତୀ ଉପଦ୍ରବ କମାଇବା ପାଇଁ ପଦକ୍ଷେପ ନିଆଯାଉଛି। ଜଙ୍ଗଲରେ ହାତୀଙ୍କ ପାଇଁ ଖାଦ୍ୟ ଯେମିତି ମହଜୁଦ ରହିବ ସେ ନେଇ ବନବିଭାଗକୁ ବିଭିନ୍ନ ପରାମର୍ଶ ଦିଆଯାଇଛି। ଉଭୟ ହାତୀ ଓ ମଣିଷ ଯେମିତି ସୁରକ୍ଷିତ ଭାବେ ବସବାସ କରିପାରିବେ ସେଥିନେଇ ପରିବେଶ ସୃଷ୍ଟି କରିବା ଉପରେ ବିଧାୟକ ଗୁରୁତ୍ବ ଦେଇଛନ୍ତି। 

ସମ୍ମାନିତ ଅତିଥି ଭାବେ ବରି‌ଷ୍ଠ ଆଇନ୍‌ଜୀବୀ ପ୍ରଦୀପ କୁମାର ଦେବତା ଯୋଗ ଦେଇ ପରିବେଶ ସୁରକ୍ଷା ପାଇଁ ସ୍ବତନ୍ତ୍ର ପାଣ୍ଠି ଗଠନ ଉପରେ ଗୁରୁତ୍ବ ଦେଇଥିଲେ। ଏଠାରେ ଥିବା ଖଣି ଓ ଶିଳ୍ପ ଅନୁଷ୍ଠାନମାନେ ଏଥିପାଇଁ ଅନୁଦାନ ଯୋଗାଇବା ଆବଶ୍ୟକ। ସେହିପରି ବିଧାନସଭାରେ ପରିବେଶ ବିଲ୍‌ ଆସିବା ଦରକାର। ଫଳରେ ପରିବେଶ ନେଇ ଅଧିକ କାମ କରିବାର ସୁଯୋଗ ସୃଷ୍ଟି ହୋଇପାରିବ ବୋଲି ସେ କହିଥିଲେ। ଅନୁଗୁଳରେ ପ୍ରଚୁର ମାତ୍ରାରେ ପଲିଥିନ୍‌ ବ୍ୟବହାର ନେଇ ସେ ଉଦ୍‌ବେଗ ପ୍ରକାଶ କରିଥିଲେ। ଏହାକୁ ରୋକିବା ସହ ଖାଲି ସ୍ଥାନରେ ବୃକ୍ଷରୋପଣ ପାଇଁ ଯୋଜନା କରିବାକୁ ପ୍ରସ୍ତାବ ଦେଇଥିଲେ। ଅନୁଗୁଳ ସ୍ବୟଂଶାସିତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ଶାନ୍ତନୁ କୁମାର ସର କହିଥିଲେ, ପ୍ରଦୂଷଣ ଏବେ ବିଶ୍ବ ସମସ୍ୟାରେ ପରିଣତ ହେ‌ଲାଣି। ଆମ ପାଖରେ ଗଛ ଅଛି ବୋଲି ଆମେ ସୁରକ୍ଷିତ ଭାବିବା ଠିକ୍‌ ନୁହେଁ। ସାତକୋଶିଆ ପରି ଘଞ୍ଚ ଜଙ୍ଗଲ ଥାଇ ବି ଏବେ ହାତୀ ସହରମୁହାଁ ହେଲେଣି। ପରିବେଶ ପରିବର୍ତ୍ତନର ଏକ ଗୁରୁତର ପ୍ରଭାବ ଆମେ ଭୋଗିବାକୁ ଯାଉଥିଲା ବେଳେ ଏବେଠାରୁ ସଚେତନ ହେବା ଆବଶ୍ୟକ। ନ ହେଲେ ଅନୁଗୁଳ ନିଆଁ ପିଣ୍ଡୁଳାରେ ପରିଣତ ହେବ ବୋଲି ସେ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe