କେନ୍ଦ୍ରାପଡ଼ା: ବିକାଶ ନାଁରେ ଆମେ ବିନାଶ କରୁଛୁ। ଶିଳ୍ପ, ରାସ୍ତା ତିଆରି ନାଁରେ ବ୍ୟାପକ ଗଛକଟା ହେଉଛି। ଏହାର କୁପରିଣାମ ଦୈନନ୍ଦିନ ଆମେ ଭୋଗୁଛୁ। ଶିଳ୍ପ ପାଇଁ ବାୟୁ ପ୍ରଦୂଷିତ ହେଉଛି। ଭୂତଳ ଜଳସ୍ତର କମୁଛି। ପ୍ଲାଷ୍ଟିକ ବ୍ୟବହାର ପାଇଁ ଭୂମଣ୍ତଳ ନଷ୍ଟ ହେଉଛି। ପାଟକୁରା ନିର୍ବାଚନମଣ୍ତଳୀ ଅଧୀନରେ ୬ଟି ନଦୀ ପ୍ରବାହିତ ହେଉଥିଲେ ମଧ୍ୟ ଆମେ ଜଳ ସମସ୍ୟା ଦେଇ ଗତି କରୁଛୁ। ସବୁଠୁ ବୁଦ୍ଧିମାନ ଜାତି ହିସାବରେ ମଣିଷ ପରିବେଶ ସହିତ ଯେଭଳି ବ୍ୟବହାର ଦେଖାଇବ, ତାର ପରିଣତି ବି ପ୍ରକୃତିଠାରୁ ଆମକୁ ସେମିତି ଭୋଗିବାକୁ ପଡ଼ିବ ବୋଲି ବୁଧବାର ପାଟକୁରା ନିର୍ବାଚନମଣ୍ତଳୀ ଅନ୍ତର୍ଗତ ମାହାଳସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମରେ ଯୋଗ ଦେଇ ବିଶିଷ୍ଟ ଅତିଥିମାନେ ମତବ୍ୟକ୍ତ କରିଛନ୍ତି।
କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର କହିଲେ, ସା˚ପ୍ରତିକ ପରିସ୍ଥିତିରେ ପରିବେଶ ସୁରକ୍ଷା ଆମ ସମସ୍ତଙ୍କ ପାଇଁ ବଡ଼ ଆହ୍ବାନ ହୋଇଛି। ପରିବେଶ ପ୍ରତି ଏବେଠୁ ଆମେ ସଚେତନ ନ ହେଲେ ପରପିଢ଼ି ଆମକୁ କ୍ଷମା ଦେବନାହିଁ। ପାଟକୁରା ନିର୍ବାଚନମଣ୍ତଳୀ ଭିତରେ ଛଅ ଛଅଟି ନଦୀ ଥାଇ ବି ପିଇବା ପାଣି ସମସ୍ୟାରେ ଲୋକେ ଯୁଝି ହେଉଛନ୍ତି। ନଦୀ ଶୁଖିଲା ପଡ଼ୁଛି। ଜଳସ୍ତର ଧୀରେ ଧୀରେ କମୁଛି। ପଲିଥିନ୍ ବ୍ୟବହାର ଏତେ ମାତ୍ରାରେ ହେଉଛି ଯେ ଗୋଟିଏ ଗୋଟିଏ କେନାଲ୍ କେବଳ ପ୍ଲାଷ୍ଟିକ୍ ଚା’ କପ୍, ପଲିଥିନ୍ରେ ଭର୍ତ୍ତି ହୋଇଯାଉଛି। ଏଥିପାଇଁ ଅନ୍ୟ କାହାକୁ ଦୋଷ ଦେଇ ଖସି ଯାଇପାରିବା ନାହିଁ। ନିଜେ ଯେହେତୁ ଅସୁବିଧା ସୃଷ୍ଟି କରୁଛେ, ତାର ନିରାକରଣ ବି ଆମେ କରିବା ଦରକାର। ପରିବେଶକୁ ସୁରକ୍ଷିତ ରଖିବାର ସବୁଠୁ ବଡ଼ ମାଧୢମ ହେଉଛି ଗଛ ଲଗାଇବା। ପ୍ରଶାସନ ଯଦି ଜାଗା ଯୋଗାଇ ଦେବ, ତେବେ ଆସନ୍ତା ଅକ୍ଟୋବର ୨ତାରିଖ ଗାନ୍ଧୀ ଜୟନ୍ତୀରୁ ଗଛ ଲଗାଇବା ଆରମ୍ଭ କରିବି। ସ୍ବପ୍ନ ଅଛି ଲୋକଙ୍କ ସହଯୋଗରେ ନିର୍ବାଚନମଣ୍ତଳୀରେ ଗୋଟିଏ ଜ˚ଗଲ ସୃଷ୍ଟି କରିବି ବୋଲି ବିଧାୟକ ଏହି ଅବସରରେ କହିଥିଲେ।
ସମ୍ମାନିତ ଅତିଥି ଅବସରପ୍ରାପ୍ତ ଶିକ୍ଷକ ତଥା ଗୀତିକବି କୁଞ୍ଜବିହାରୀ ପାଣି ଜଳବାୟୁର ପରିବର୍ତ୍ତନ ପ୍ରଭାବ ଉପରେ ଆଲୋକପାତ କରି କହିଲେ, ବର୍ଷା ଦିନେ ବର୍ଷା ହେଉନାହିଁ। ଭୀଷଣ ଗରମ, ଗୁଳୁଗୁଳି ଅନୁଭବ ହେଉଛି। ଗ୍ରୀଷ୍ମପ୍ରବାହ ଦୀର୍ଘ ମାସ ଯାଏ ଲାଗି ରହୁଛି। କାଠୁଆ ଶୀତ ଆଉ ପୂର୍ବଭଳି ନାହିଁ। ଏହି ବିଲକ୍ଷଣ ମଣିଷ ସମାଜ ପାଇଁ ସତର୍କ ଘଣ୍ଟି। ଏବେଠୁ ନ ଚେତିଲେ ଆଗକୁ ପରିଣାମ ଭୟଙ୍କର ହେବ ବୋଲି ଶ୍ରୀ ପାଣି ଚେତାଇ ଦେଇଥିଲେ। ଅନ୍ୟତମ ଅତିଥି ଜିଲ୍ଲା ପରିଷଦ ସଭ୍ୟ ସତ୍ୟାନନ୍ଦ ରାଉତ ଓ ସୁଧୀର ସାମଲ ବୃକ୍ଷରୋପଣ ଉପରେ ଗୁରୁତ୍ବାରୋପ କରିଥିଲେ। ହଜାରେ ଗଛ ଲଗାଇଲେ ତାର ମୂଲ୍ୟ ନାହିଁ। ଯଦି ଗୋଟିଏ ଗଛ ଲଗାଇ ପରିବାର ସଦସ୍ୟ ଭଳି ତାକୁ ଲାଳନପାଳନ କରି ବଡ଼ କରିପାରିବା, ତେବେ ପରିବେଶ ପ୍ରତି ତାହା ହେବ ବଡ଼ ଅବଦାନ। ଏହି ଅବସରରେ ଅତିଥିଙ୍କ ସହିତ ଉପସ୍ଥିତ ପରିବେଶପ୍ରେମୀ ଭାଇଭଉଣୀ ବୃକ୍ଷରୋପଣ କରି ପରିବେଶ ବଞ୍ଚାଇବା ପାଇଁ ଶପଥ ନେଇଥିଲେ।
Follow Us