ନିକଟରେ ପରିବେଶ ପତ୍ରିକା ‘ନେଚର୍’ରେ ପ୍ରକାଶିତ ଏକ ପରିସଂଖ୍ୟାନ ଜୀବବିଜ୍ଞାନୀମାନଙ୍କୁ ବିବ୍ରତ କରିଛି। ସଦ୍ୟ ଅନୁଧ୍ୟାନ ଅନୁଯାୟୀ, ପୃଥିବୀର ମଧୁରଜଳରେ ରହୁଥିବା ପ୍ରାୟ ୨୫ ପ୍ରତିଶତ ପ୍ରାଣୀ ବିଲୁପ୍ତ ହୋଇଯିବାର ଆଶଙ୍କା ଦେଖାଯାଇଛି। ଆନ୍ତର୍ଜାତିକ ପ୍ରକୃତି ସଂରକ୍ଷଣ ସଂଘ (ଆଇୟୁସିଏନ୍) ଦ୍ବାରା ମାଛ ସମେତ ଚିଙ୍ଗୁଡ଼ି ଓ କଙ୍କଡ଼ା ପରି କଠିନ ଆବରଣଯୁକ୍ତ ଜଳଚର ପ୍ରାଣୀ ଏବଂ କଙ୍କି ପରି ପତଙ୍ଗଙ୍କ ସମେତ ୨୩,୪୯୬ ଜାତିର ଜୀବଙ୍କର ସ୍ଥିତିକୁ ପର୍ଯ୍ୟବେକ୍ଷଣ କରି ଏପରି ନିର୍ଯାସ ମିଳିଛି। ଏହି ଚିନ୍ତାଜନକ ପଳାଫଳ ପର୍ଯ୍ୟାବରଣ ପ୍ରଣାଳୀର ଏହି ଗୁରୁତ୍ବପୂର୍ଣ୍ଣ ଜାତିର ସଂରକ୍ଷଣର ଗୁରୁତ୍ବକୁ ଉତ୍ଥାପନ କରିଛି। ପ୍ରଦୂଷଣ ସାଙ୍ଗକୁ ବନ୍ଧ ଜଳ ନିଷ୍କାସନ ଏବଂ କୃଷିରେ କୀଟନାଶକ ପ୍ରୟୋଗ ଯୋଗୁଁ ୩୦ ପ୍ରତିଶତ କଙ୍କଡ଼ା ଜାତୀୟ ପ୍ରାଣୀ, ୨୬ ପ୍ରତିଶତ ମାଛ ଓ ୧୬ ପ୍ରତିଶତ କଙ୍କିଜାତୀୟ ଉଡ଼ନ୍ତା ପତଙ୍ଗ ସବୁଠୁ ଅଧିକ ବିପନ୍ନ ହୋଇପଡ଼ିଥିବା କୁହାଯାଇଛି।
ଏହିସବୁ ପ୍ରାଣୀ ମୁଖ୍ୟତଃ ହ୍ରଦ, ନଦୀ ଓ ଆର୍ଦ୍ରଭୂମି ପରି ମଧୁରଜଳ ଇଲାକାରେ ରହି ଆସୁଥିବା ବେଳେ ୧୯୭୦ ପରଠାରୁ ଏହି ମଧୁରଜଳ ଅଞ୍ଚଳ ଆକାରରେ ପ୍ରାୟ ଏକ-ତୃତୀୟାଂଶ ହ୍ରାସ ଘଟିଛି। ଆଫ୍ରିକାର ଭିକ୍ଟୋରିଆ ହ୍ରଦ ଓ ଦକ୍ଷିଣ ଆମେରିକାର ଟିଟିକାକା ହ୍ରଦ ଏହିସବୁ ବିପନ୍ନ ପ୍ରାଣୀଙ୍କ ମୁଖ୍ୟ ଇଲାକା ହୋଇଥିବା ଜଣାଯାଇଛି। ଉଭୟ ହ୍ରଦରେ ପ୍ରଦୂଷଣ ଓ ମାତ୍ରାଧିକ ମାଛଧରା ଯୋଗୁଁ ଏପରି ଜଳଚର ପ୍ରାଣୀଙ୍କ ପାଇଁ ସଂକଟଜନକ ସ୍ଥିତି ଉପୁଜିଛି। ବିଶେଷ କରି ଅଙ୍ଗାର ଆହରଣ ଓ ଖାଦ୍ୟ ସମ୍ବଳ ପରି ଅତ୍ୟାବଶ୍ୟକ ସେବା ପାଇଁ ଏହି ସବୁ ମଧୁରଜଳ ପ୍ରାଣୀଙ୍କର ଭୂମିକା ଗୁରୁତ୍ବପୂର୍ଣ୍ଣ ରହିଥିବା ବେଳେ ସେମାନଙ୍କର ଏଭଳି ବିପନ୍ନ ସ୍ଥିତି ପରିବେଶ ସନ୍ତୁଳନରେ ବିଭ୍ରାଟ ଆଣିବ ବୋଲି ଜୀବବିଜ୍ଞାନୀମାନେ ସତର୍କ କରାଇ ଦେଇଛନ୍ତି। ସେମାନଙ୍କ ଭିତରୁ ପ୍ରାୟ ୯୦ ପ୍ରକାର ଜାତିର ପ୍ରାଣୀ ବିଲୁପ୍ତ ହୋଇ ସାରିଥିବା ବେଳେ ବଳକା ପ୍ରାଣୀଙ୍କର ସଂରକ୍ଷଣ ଜରୁରି ହୋଇପଡ଼ିଛି।
Follow Us