ତାଳ ଗଛ ସହିତ ସମସ୍ତେ ଭଲରୂପେ ସୁପରିଚିତ । ଭାରତର ବିଭିନ୍ନ ରାଜ୍ୟରେ ଏହା ଦେଖିବାକୁ ମିଳିଥାଏ। ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଏହି ବୃକ୍ଷ ବହୁ ସଂଖ୍ୟାରେ ଦେଖିବାକୁ ମିଳେ। ବଣ, ପଡ଼ିଆ, ନଦୀବନ୍ଧ ଆଦି ସ୍ଥାନରେ ଏହାକୁ ଦେଖିବାକୁ ମିଳିଥାଏ  ତାଳ ଗଛର ବୈଜ୍ଞାନିକ ନାମ ହେଉଛି 'ବୋରାସସ୍ ଫ୍ଲାବେଲିଫର'। ଶିଳ୍ପ ସଭ୍ୟତାର ବହୂଳ ପ୍ରସାର ତଥା ମନୁଷ୍ୟର ଅଦୂରଦର୍ଶିତା ହେତୁ ସମ୍ପ୍ରତି ତାଳ ବଂଶ ହ୍ରାସ ପାଇଚାଲିଛି।  ଗୋଟିଏ ତାଳ ଚାରା ବଡ଼ ଗଛରେ ପରିଣତ ହେବାପା‍ଇଁ ୨୦ ରୁ ୩୦ ବର୍ଷ ଲଗିଥାଏ।  ଗୋଟିଏ ତାଳ ଗଛ ପ୍ରାୟ ୩୦ ମିଟର ପର୍ଯ୍ୟନ୍ତ ଉଚ୍ଚ ହୋଇଥାଏ। ଆମ ସଂସ୍କୃତି ଓ ସାହିତ୍ୟରେ ତାଳ ଗଛର ସ୍ବତନ୍ତ୍ର ସ୍ଥାନ ରହିଛି ।

Advertisment

ତାଳ ଗଛର ଉପକାରିତା

ତାଳ ଗଛର ବହୁ ଉପକାରିତା ରହିଛି। ଏହାର ଫଳ ବେଶ ସୁସ୍ବାଦୁ ହୋଇଥାଏ। ଏହି ଗଛରୁ ଏକ ପ୍ରକାରର ସୁସ୍ବାଦୁ ରସ ମିଳେ। ତାହାକୁ ତାଡ଼ି କୁହାଯାଏ  ।ସେଥିରୁ   ଗୁଡ଼ ଓ ମିଶ୍ରି ଆଦି ପ୍ରସ୍ତୁତ କରାଯାଇଥାଏ। ଏହାର କାଣ୍ଡ ଓ ପତ୍ରକୁ ଜାଳେଣୀ ରୂପେ ବ୍ୟବହାର କରାଯାଇଥାଏ। ଏହି ଗଛର କାଣ୍ଡ କଠିନ ଓ ଶକ୍ତ ହୋ‍ଇଥାଏ । ତେଣୁ ଏହାକୁ ଗୃହ ନିର୍ମାଣ ସାମଗ୍ରୀ, ଆସବାବ, ସାଜସଜ୍ଜା ଉପକରଣ ତିଆରିରେ ବ୍ୟବହାର କରାଯାଇଥାଏ। ଏହାର ପତ୍ରରୁ ଟୋକେଇ, ଚାଙ୍ଗୁଡ଼ି, ମଶିଣା ଆଦି ନାନା ରକମର ସାମଗ୍ରୀ ପ୍ରସ୍ତୁତ କରାଯାଇଥାଏ। କେତେକ କ୍ଷେତ୍ରରେ ଏହାର କାଣ୍ଡକୁ ପାଣି ନାଳ ଓ ପୋଲ ତିଆରିରେ ବ୍ୟବହାର କରାଯାଇଥାଏ। ତାଳ ଗଛରେ ବିଭିନ୍ନ ପକ୍ଷୀ ଓ ସରୀସୃପ ନିର୍ଭୟରେ ବସବାସ କରିଥାନ୍ତି। ପାଚିଲା ତାଳକୁ ହାତୀ ଓ ଅନ୍ୟାନ୍ୟ ପଶୁପକ୍ଷୀ ଖାଦ୍ୟରୂପେ ବ୍ୟବହାର କରିଥାନ୍ତି। ବର୍ଷା ଦିନେ ଜଙ୍ଗଲରେ ଅନ୍ୟ କୌଣସି ଫଳ ମିଳୁ ନ ଥିବାରୁ ଏହା ପଶୁପକ୍ଷୀଙ୍କର ଏକ ମୁଖ୍ୟ ଖାଦ୍ୟ ରୂପେ ବ୍ୟବହୃତ ହୋଇଥାଏ।

Tala gacha.jpeg
Tala gacha Photograph: (Ranjan Kumar Patra)

ମୃତ୍ତିକା କ୍ଷୟ କରିବାକୁ ଦିଏନାହିଁ

ପରିବେଶ ସୁରକ୍ଷାରେ ତାଳ ଗଛର ଭୂମିକା ବିଶେଷ ଗୁରୁତ୍ବପୂର୍ଣ୍ଣ ହୋଇଥାଏ। ତାଳ ଗଛର ସାଧାରଣତଃ ଗୁଚ୍ଛ ମୂଳ ଥାଏ। ଏହାର ମୂଳରୁ ଅଂସଖ୍ୟ ସରୁ ସରୁ ଲମ୍ବ ଚେର ବାହାରି ମାଟିର ଅତି ଗଭୀରକୁ ଯାଇଥାଏ । ଫଳରେ ଏହି ଗଛ ମାଟିକୁ ଶକ୍ତ ଭାବରେ ଜାବୁଡ଼ି ଧରି ଦୃଢ଼ ଭାବରେ ଠିଆ ହୋଇଥାଏ । ତେଣୁ ଏହା ମୃତ୍ତିକା କ୍ଷୟ କରିବାକୁ ଦିଏନାହିଁ । ତେଣୁ ଏହା ଝଡ଼, ବାତ୍ୟା, ବନ୍ୟା ଜନିତ କାରଣରୁ ମୃତ୍ତିକା କ୍ଷୟକୁ ରୋକିଥାଏ। ସମୁଦ୍ର ତଥା ନଦୀ ତଟବର୍ତ୍ତୀ ଅଞ୍ଚଳରେ ମୃତ୍ତିକା କ୍ଷୟ ବହୁମାତ୍ରାରେ ହେଉଥିବରୁ ତାହାକୁ ରୋକିବାରେ ତାଳ ଗଛ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ସେଥିପାଇଁ ପୂର୍ବରୁ ସମୁଦ୍ର ତଟ, ନଦୀମୁହାଣ ଓ ନଦୀବନ୍ଧରେ ବହୁ ସଂଖ୍ୟାରେ ତାଳ ଗଛ ରୋପଣ କରାଯାଉଥିଲା।  ମାତ୍ର ପରବର୍ତ୍ତୀ ସମୟରେ ତାଳ ଗଛ ସଂଖ୍ୟା ହ୍ରାସ ପାଇ ଯିବାରୁ ଉପକୂଳବର୍ତ୍ତୀ ଅଞ୍ଚଳରେ ମୃତ୍ତିକା କ୍ଷୟ ବୃଦ୍ଧିପାଇଚଲିଲା।

Tala gacha
Tala gacha Photograph: (Ranjan Kumar Patra)

ଘଣ୍ଟା ପ୍ରତି ୧୭୦ କି.ମି. ବେଗରେ ବହୁଥିବା ପବନକୁ ସହ୍ୟ କରେ ତାଳ ଗଛ

ଅନ୍ୟ ଗଛ ତୁଳନାରେ ତାଳ ଗଛ ବେଶ୍ ଉଚ୍ଚ ଓ ଶକ୍ତ ହୋଇଥାଏ। ଏପରିକି ଏହା ଘଣ୍ଟା ପ୍ରତି ୧୭୦ କି.ମି. ବେଗରେ ବହୁଥିବା ପବନକୁ ସହ୍ୟ କରିଥାଏ। ତେଣୁ ସାମୁଦ୍ରିକ ଝଡ଼, ବାତ୍ୟା, ମହାବାତ୍ୟା, ସୁନାମି ଆଦି ପ୍ରାକୃତିକ ଦୁର୍ବିପାକ ସମୟରେ ଏହା ସମୁଦ୍ରଉପକୂଳ ଅଞ୍ଚଳରେ ସୁରକ୍ଷା କବଚପରି କାର୍ଯ୍ୟ କରିଥାଏ । ସମୁଦ୍ର ତଟ ଅଞ୍ଚଳରେ ତାଳବଣ ରହିଥିଲେ ତାହା ବାତ୍ୟା ଜନିତ କ୍ଷୟକ୍ଷତିର ମାତ୍ରାକୁ ବହୁ ପରିମାଣରେ କମ୍ କରିଦିଏ । ବଙ୍ଗୋପସାଗର ତଟରେ ଅବସ୍ଥିତ ହୋଇଥିବା ଓଡ଼ିଶା ଏକ ବାତ୍ୟା ପ୍ରବଣ ରାଜ୍ୟ ରୂପେ ପରିଚିତ। ପ୍ରତି ବର୍ଷ ବଙ୍ଗୋପସାଗରେ ଏକାଧିକ ବାତ୍ୟା ସୃଷ୍ଟି ହେବା ଫଳରେ ଏହି ରାଜ୍ୟର ଉପକୂଳ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟିଥାଏ। ମାତ୍ର ରାଜ୍ୟର ଉପକୂଳରେ ବହୁ ସଂଖ୍ୟାରେ ତାଳ ଗଛ ରୋପଣ କରାଯିବା ଫଳରେ ବାତ୍ୟା ଜନିତ କ୍ଷୟକ୍ଷତିକୁ କମ୍ କରାଯାଇପାରିବ ।

ବଜ୍ରପାତଜନିତ ମୃତ୍ୟୁରୁ କରେ ରକ୍ଷା

ବଜ୍ରପାତ ଏକ ପ୍ରାକୃତିକ ବିପର୍ଯ୍ୟୟ। ଏଥିରେ ପ୍ରତି ବର୍ଷ ବହୁ ଧନଜୀବନ ହାନି ଘଟିଥାଏ। ଜଳବାୟୁ ପରିବର୍ତ୍ତନ ଓ ଅନ୍ୟାନ୍ୟ କାରଣରୁ ପ୍ରତିବର୍ଷ ବଜ୍ରପାତର ତୀବ୍ରତା ବୃଦ୍ଧି ପାଇଚାଲିଛି। ଭାରତର ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ଏହାର ପ୍ରଭାବ ଅତ୍ୟନ୍ତ ଭୟଙ୍କର ହୋ‍ଇଥାଏ । ବଜ୍ରପାତ ଜନିତ ମୃତ୍ୟୁରେ ଓଡ଼ିଶା ସାରା ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛି। ଗତ ପାଞ୍ଚ ବର୍ଷ ମଧ୍ୟରେ ଏହି ରାଜ୍ୟରୁ ମୋଟ ୧୧୦୩ ଜଣଙ୍କର ମୃତ୍ୟୁ ଘଟିଛି । ଓଡ଼ିଶା ଏକ ଖଣିଜ ସମ୍ପଦ ବହୁଳ ରାଜ୍ୟରୂପେ ପରିଚିତ । ଖଣିଜ ପଦାର୍ଥ ବିଦ୍ୟୁତର ସୁପରିବାହୀ ହୋଇଥିବାରୁ ଏହି ରାଜ୍ୟରେ ଅଧିକ ସଂଖ୍ୟାରେ ବଜ୍ରପାତ ଘଟୁଛି ବୋଲି ବୈଜ୍ଞାନିକମାନେ ମତ ଦିଅନ୍ତି। ଉଚ୍ଚ ଅଟ୍ଟାଳିକା ଓ ବଡ଼, ବଡ଼ ମନ୍ଦିରକୁ ବଜ୍ରପାତର ଧ୍ବଂସକାରୀ ପ୍ରଭାବରୁ ରକ୍ଷା କରିବାପା‍ଇଁ ସେଗୁଡ଼ିକରେ ତଡ଼ିତ ନିରୋଧକ ବ୍ୟ୍ବହାର କରାଯାଇଥାଏ। ଅନ୍ୟ ଗଛ ତୁଳନାରେ ତାଳ ଗଛର ଉଚ୍ଚତା ଅଧିକ ହୋ‍ଇଥାଏ । ଏହାର ବୃହତ ଗଣ୍ଡିରେ ମଧ୍ୟ ବିପୁଳମାତ୍ରାରେ  ଜଳୀୟ ଅଂଶ ରହିଥାଏ । ତେଣୁ ତାହା ଏକ ପ୍ରାକୃତିକ ତଡ଼ିତ ନିରୋଧକ ରୂପେ କାର୍ଯ୍ୟକ୍ରି ଥାଏ । ଏହା ଠିକ ଏକ ତଡ଼ିତ ନିରୋଧକ ପରି ଭୂପୃଷ୍ଠଆଡ଼କୁ ଆସୁଥିବା ବଜ୍ରପାତକୁ ଆକର୍ଷଣ କରି ଆଣି ଭୂପୃଷ୍ଠରେ ପହଞ୍ଚାଇଦିଏ। ଏହାଫଳରେ ଏହା ନିକଟରେ ଥିବା ପ୍ରାଣୀ ଓ ଉଦ୍ଭିଦ ବଜ୍ରପାତ ଜନିତ ମୃତ୍ୟୁରୁ ରକ୍ଷାପାଇଥନ୍ତି।

ପରିବେଶ ସୁରକ୍ଷା ତଥା ବଜ୍ରପାତ ଜନିତ ମୃତ୍ୟୁ ହ୍ରାସ କ୍ଷେତ୍ରରେ ତାଳଗଛର ଗୁରୁତ୍ବପୂର୍ଣ୍ଣ ଭୂମିକାକୁ ଲକ୍ଷ୍ୟକରି ଚଳିତ ବର୍ଷ ଜୁଲାଇ ପ୍ରଥମ ସପ୍ତାହରେ ଓଡ଼ିଶା ସରକାର ନିଜବାଡ଼ିରୁ ତାଳ ଗଛ କାଟିବା ଉପରେ କଟକଣା ଲାଗୁ କରିଛନ୍ତି। ଏହା ବ୍ୟତିତ ଏହି ବର୍ଷ ୭ କୋଟି ଟଙ୍କାରେ ରାଜ୍ୟରେ ୧୯ ଲକ୍ଷ ତାଳ ଗଛ ରୋପଣ କରାଯିବାକୁ ଘୋଷଣା କରାଯାଇଛି। ଏହା ହେଲେ ରାଜ୍ୟର ବିଭିନ୍ନ ସ୍ଥାନରେ ତାଳବଣମାନ ପୁନର୍ବାର ଦେଖାଦେବାସହିତ ପରିବେଶ ସୁରକ୍ଷିତ ରହିପାରିବ ।

ଆଲେଖ୍ୟ: ହିମାଂଶୁ ଶେଖର ଫତେସିଂହ
ହାଉସିଂ ବୋର୍ଡ଼, ଗୁରୁଜଙ୍ଗ, ଖୋର୍ଦ୍ଧା-୭୫୨୦୫୬
ମୋ-୭୦୦୮୬୬୨୩୪୧
Email: [email protected]

ଆହୁରି ପଢ଼ନ୍ତୁ: Farmers Protest:ଦମ୍ ଦେଖାଇଲେ ଝରିଗାଁ ବ୍ଲକ କୃଷକ ମହାସଂଘ: ଉଚିତ୍ ମୂଲ୍ୟରେ ମକା ଓ ମଣ୍ଡିରେ ଧାନ ବିକ୍ରି ନେଇ ଆନ୍ଦୋଳନ