କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ଭୂୟାଁ ଜୁଆଙ୍ଗ ପିଢ଼ ପାଇଁ ପୋଡ଼ୁଚାଷ ସାଜିଛି ବିପଦ। ଭୂୟାଁ ଜୁଆଙ୍ଗ ପିଢ଼ର ପରିବେଶ ଉପରେ ସମଗ୍ର କେନ୍ଦୁଝର ଜିଲ୍ଲାର ପରିବେଶ ସନ୍ତୁଳନ ନିର୍ଭର କରୁଥିବାରୁ ପୋଡ଼ୁଚାଷ ଏବେ ଚିନ୍ତା ବଢ଼ାଇଛି। କେନ୍ଦୁଝର ଜିଲ୍ଲାର ଜନବସତି ତିନୋଟ ସ୍ତରରେ ରହିଛି। ଭୂୟାଁ ଜୁଆଙ୍ଗ ପିଢ଼ ଅଞ୍ଚଳଟି ଅର୍ଥାତ ବାଂଶପାଳ, ଯୋଡ଼ା, ଚମ୍ପୁଆ, ଝୁମ୍ପୁରା ଭଳି ବ୍ଲକ୍ର ଉପରମୁଣ୍ଡରେ ରହିଥିବାବେଳେ କେନ୍ଦୁଝର, ପାଟଣା, ସାହାରପଡ଼ା, ହରିଚନ୍ଦନପୁର, ଘଟଗାଁ ବ୍ଲକ୍ ମଧ୍ୟଭାଗ ଓ ଆନନ୍ଦପୁର, ଘସିପୁରା, ହାଟଡିହି ଭଳି ବ୍ଲକ ନିମ୍ନଭାଗରେ ଅବସ୍ଥିତ।
ଭୂୟାଁ ଜୁଆଙ୍ଗ ପିଢ଼ରେ ଆଦିମ ଜନଜାତି ଭୂୟାଁ, ଜୁଆଙ୍ଗ ବାସ କରନ୍ତି। ଏହି ପିଢ଼ରେ ପ୍ରାୟ ୨୦୦ ଗାଁର ୬୦ ହଜାରରୁ ଅଧିକ ଲୋକ ରହନ୍ତି। ପାହାଡ଼ିଆ ଅଞ୍ଚଳର ଏହି ଅଧିବାସୀମାନେ ମୁଖ୍ୟତଃ ଜଙ୍ଗଲଜାତ ଦ୍ରବ୍ୟ ଓ ପୋଡୁଚାଷ ଉପରେ ନିର୍ଭର କରିଥାନ୍ତି। ଏ ଅଞ୍ଚଳରେ ସମତଳ ଜମି ପ୍ରାୟତଃ ନାହିଁ। ଏହି ଆଦିମ ଜନଜାତିର ଲୋକମାନେ ପାରମ୍ପରିକ ଭାବେ ପୋଡୁ ଚାଷ କରିଆସୁଛନ୍ତି। ଉପରମୁଣ୍ଡରେ ବା ପିଢ଼ ଅଞ୍ଚଳରେ ବ୍ୟାପକ ପୋଡୁ ଚାଷ ହେବା ଦ୍ବାରା ପରିବେଶ ପ୍ରତି କ୍ଷତି ପହଞ୍ଚୁଛି। ପୋଡୁଚାଷ ଦ୍ବାରା ବ୍ୟାପକ ମୃତ୍ତିକା କ୍ଷୟ, ଜଙ୍ଗଲ ଧ୍ବଂସ ହେଉଛି। ଜଙ୍ଗଲ ଧ୍ବଂସ ହେବା ଦ୍ବାରା ବର୍ଷା ପରିମାଣ କମିକମି ଯାଉଛି। ପ୍ରଥମ କଥା ହେଉଛି, ମୃତ୍ତିକା କ୍ଷୟ ହେବା କାରଣରୁ ନଦୀ ଓ ନାଳଗୁଡିକ ପୋତି ହୋଇ ଯାଉଛି। ଯେଭଳି ସ୍ରୋତରେ ତଳକୁ ପାଣି ଆସିବା କଥା, ତାହା ଆସୁ ନାହିଁ।
ସେହିପରି ଜଙ୍ଗଲ ଧ୍ବଂସ ଓ ବର୍ଷା କମ୍ ହେଉଥିବାରୁ ଶୀତଦିନ ପରେ ଝରଣା ସବୁ ଶୁଖିଲା ପଡ଼ୁଛି। ବର୍ଷାଦିନେ ବୈତରଣୀର ପାଣି ତଳକୁ ଗଡ଼ିଯିବା ପରେ ଏହା ମଧ୍ୟ ଶୁଖିଯାଉଛି। ଫଳରେ ତଳମୁଣ୍ଡକୁ ଆଉ ପାଣି ଯାଉନାହିଁ। ପୋଡ଼ୁ ଚାଷର ସବୁଠୁ ବଡ଼ ସମସ୍ୟା ହେଉଛି ପ୍ରତି ବର୍ଷ ଆଦିବାସୀମାନେ ସେମାନଙ୍କ କ୍ଷେତ ବଦଳାଇଥାନ୍ତି। ଯଦି ଗୋଟିଏ ବର୍ଷ ଗୋଟିଏ ସ୍ଥାନରେ ପୋଡ଼ୁ ଚାଷ କରିଛନ୍ତି, ତା’ ପରବର୍ଷ ସେହି ଜାଗା ଛାଡ଼ି ଅନ୍ୟତ୍ର ଗଛ କାଟିବା ସହ ଜଙ୍ଗଲ ଜାଳିଥାନ୍ତି। ବନ ବିଭାଗ କିମ୍ବା ରାଜସ୍ବ ବିଭାଗ ଏଥିରେ କ୍ଷତି ସହୁଥିଲେ ବି କିଛି କରିପାରି ନଥାନ୍ତି। ଏହାଦ୍ବାର କେବଳ ଯେ ଜଙ୍ଗଲ ନଷ୍ଟ ହେଉଛି ତାହା ନୁହେଁ, ବରଂ ବନ୍ୟଜନ୍ତୁଙ୍କ ଖାଦ୍ୟରେ ମଧ୍ୟ ସମସ୍ୟା ଦେଖାଦେଉଛି। ତେଣୁ ଏହି ପିଢ଼ ଅଞ୍ଚଳର ପରିବେଶ ସୁରକ୍ଷିତ ରହିଲେ, ସମଗ୍ର କେନ୍ଦୁଝର ଜିଲ୍ଲାର ପରିବେଶ ସନ୍ତୁଳନ ଠିକ୍ ରହିବ ବୋଲି ପରିବେଶବିତ୍ମାନେ ମତ ଦେଉଛନ୍ତି।
ଏ ସମ୍ପର୍କରେ ଡିଏଫ୍ଓ ଏଚ୍ଡି ଧନରାଜ କହିଛନ୍ତି, ଭୂୟାଁ ଜୁଆଙ୍ଗ ପିଢ଼ ଅଞ୍ଚଳରେ ଲୋକଙ୍କୁ ଜୀବିକାର ସାଧନ ନ ଯୋଗାଇଲେ ଜଳବାୟୁ ପରିବର୍ତ୍ତନର ସଂକଟ ଆସିପାରେ। ତେଣୁ ସବୁ ବିଭାଗ ମିଶି ଘରେଘରେ ଲୋକଙ୍କୁ ଜୀବିକା ଓ ରୋଜଗାର ଯୋଗାଇଲେ ଲୋକେ ପୋଡ଼ୁଚାଷ ଉପରେ ନିର୍ଭରଶୀଳତା କମାଇବେ। ଏହାଦ୍ବାରା ଜିଲ୍ଲାର ତିନିସ୍ତରରେ ଥିବା ଅଞ୍ଚଳ ସୁରକ୍ଷିତ ରହିପାରିବ। କେନ୍ଦୁଝର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଜିଲ୍ଲାର ଜୀବନରେଖା କୁହାଯାଉଥିବା ବୈତରଣୀକୁ ସୁରକ୍ଷା ଦିଆଯାଇପାରିବ ବୋଲି ଶ୍ରୀ ଧନରାଜ କହିଥିଲେ।
Follow Us