ଜଳବାୟୁ ସଙ୍କଟ ପ୍ରଭାବ: କ୍ଷୁଧା କବଳରେ ପଡ଼ିବେ ଆଉ ୪ କୋଟି ଶିଶୁ

Advertisment

ଜଳବାୟୁ ପରିବର୍ତ୍ତନର ପ୍ରଭାବ ଶିଶୁମାନଙ୍କ ଲାଗି କେତେ ସାଂଘାତିକ ହୋଇପାରେ ତାହାର ଏକ ଚିତ୍ର ଉପସ୍ଥାପନ କରିଛି ବିଲ୍‌ ଆଣ୍ଡ୍ ମେଲିଣ୍ଡା ଗେଟ୍‌ସ ଫାଉଣ୍ଡେସନ। ଏହା ଜାରି କରିଥିବା ଗୋଲ୍‌କିପର୍ସ ରିପୋର୍ଟରେ...

ଜଳବାୟୁ ପରିବର୍ତ୍ତନର ପ୍ରଭାବ ଶିଶୁମାନଙ୍କ ଲାଗି କେତେ ସାଂଘାତିକ ହୋଇପାରେ ତାହାର ଏକ ଚିତ୍ର ଉପସ୍ଥାପନ କରିଛି ବିଲ୍‌ ଆଣ୍ଡ୍ ମେଲିଣ୍ଡା ଗେଟ୍‌ସ ଫାଉଣ୍ଡେସନ। ଏହା ଜାରି କରିଥିବା ଗୋଲ୍‌କିପର୍ସ ରିପୋର୍ଟରେ...

gdjgdjg

ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନର ପ୍ରଭାବ ଶିଶୁମାନଙ୍କ ଲାଗି କେତେ ସାଂଘାତିକ ହୋଇପାରେ ତାହାର ଏକ ଚିତ୍ର ଉପସ୍ଥାପନ କରିଛି ବିଲ୍‌ ଆଣ୍ଡ୍ ମେଲିଣ୍ଡା ଗେଟ୍‌ସ ଫାଉଣ୍ଡେସନ। ଏହା ଜାରି କରିଥିବା ଗୋଲ୍‌କିପର୍ସ ରିପୋର୍ଟରେ ଜଣାଇଛି ଯେ ଜଳବାୟୁ ପରିବର୍ତ୍ତନ ପ୍ରଭାବରେ ୨୦୫୦ ସୁଦ୍ଧା ଆଉ ୪ କୋଟି ଶିଶୁ ଉତ୍କଟ କ୍ଷୁଧା କବଳରେ ପଡ଼ିବେ। ତୁରନ୍ତ ପଦକ୍ଷେପ ନିଆ ନଗଲେ ଅପପୁଷ୍ଟି ସମସ୍ୟା ଆହୁରି ସାଂଘାତିକ ହୋଇପାରେ ବୋଲି ରିପୋର୍ଟରେ ଆକଳନ କରାଯାଇଛି। ଜଳବାୟୁ ପରିବର୍ତ୍ତନ ସଙ୍କଟ ବୃଦ୍ଧି ପାଉଥିବାରୁ ଶିଶୁମାନଙ୍କ ସ୍ବାସ୍ଥ୍ୟ ଓ ପୋଷଣରେ ଅଧିକ ପାଣ୍ଠି ବିନିଯୋଗ କରିବାକୁ ରିପୋର୍ଟରେ ବିଶ୍ବ ନେତାମାନଙ୍କୁ ଆହ୍ବାନ ଦିଆଯାଇଛି। ଫାଉଣ୍ଡେସନର ସହ ଅଧ୍ୟକ୍ଷ ବିଲ୍‌ ଗେଟ୍‌ସ କହିଛନ୍ତି ଯେ ଦରଦାମ୍‌, ଅଧିକ ଋଣ ଏବଂ ବିଭିନ୍ନ ଦେଶ ଭିତରେ ଉତ୍ତେଜନା ପାଇଁ ବିଶ୍ବ ଏବେ ପୂର୍ବାପେକ୍ଷା ଅଧିକ ଆହ୍ବାନପୂର୍ଣ୍ଣ ସମୟ ଦେଇ ଗତି କରୁଛି। ଯେଉଁ ସ୍ଥାନ ପାଇଁ ଅଧିକ ସହାୟତା ଦରକାର ସେଠାରେ ତାହା ପହଞ୍ଚିପାରୁନାହିଁ। ଆଫ୍ରିକାକୁ ସହାୟତାରେ ବଡ଼ ଧରଣର ହ୍ରାସ ଘଟିଛି। ୨୦୧୦ରେ ୪୦ ପ୍ରତିଶତ ସହାୟତା ଆଫ୍ରିକା ଯାଉଥିଲା। ବର୍ତ୍ତମାନ ସେହି ହାର ୨୫ ପ୍ରତିଶତକୁ ଖସିଆସିଛି ଯାହା ଦୁଇ ଦଶନ୍ଧି ମଧ୍ୟରେ ସବୁଠୁ କମ୍। ବିଶ୍ବର ଅଧା ଶିଶୁ ମୃତ୍ୟୁ ସବ୍‌-ସାହାରା ଆଫ୍ରିକା ଅଞ୍ଚଳରେ ହେଉଛି। ୨୦୦୦-୨୦୨୦ ମଧ୍ୟରେ ଏକ୍ଷେତ୍ରରେ ଯେଉଁ ଅଗ୍ରଗତି ହୋଇଥିଲା, ଜଳବାୟୁ ପରିବର୍ତ୍ତନ ପାଇଁ ସେଥିପ୍ରତି ବିପଦ ସୃଷ୍ଟି ହୋଇଛି।

ରିପୋର୍ଟ‌ରେ କୁହାଯାଇଛି ଯେ କୃଷିରେ ଉନ୍ନତି ଅଣାଯାଇପାରିଲେ ୨୦୫୦ ସୁଦ୍ଧା ବହୁ ଶିଶୁଙ୍କୁ ଷ୍ଟଣ୍ଟିଂରୁ (ଶାରୀରିକ ଓ ମାନସିକ ବିକାଶ ପ୍ରଭାବିତ ଶିଶୁ) ରୋକାଯାଇପାରିବ। ଆଗାମୀ ଦିନରେ ଭାରତ, ଇଥିଓପିଆ ଓ ନାଇଜେରିଆରେ ୧୦.୯ କୋଟି ଶିଶୁଙ୍କୁ ଏହା ଜରିଆରେ ଷ୍ଟଣ୍ଟିଂରୁ ଉଦ୍ଧାର କରାଯାଇପାରିବ। ଆୟୋଡିନ୍ ଓ ଫଲିକ୍ ଏସିଡ୍‌ ମିଶା ଲୁଣ ମଧ୍ୟ ଅପପୁଷ୍ଟି ବିରୋଧ ଲଢ଼େଇରେ ସହାୟକ ହୋଇପାରିବ। ଗର୍ଭବତୀ ମହିଳାମାନଙ୍କୁ ଉଚ୍ଚ ମାନର ଭିଟାମିନ୍ ପ୍ରଦାନ କରି ‌ଲକ୍ଷ ଲକ୍ଷ ଶିଶୁଙ୍କ ଜୀବନ ରକ୍ଷା କରାଯାଇପାରିବ ଓ ୨୦୪୦ ସୁଦ୍ଧା ୨୫ ନିୟୁତ ଶିଶୁଙ୍କ ପ୍ରସବ ଫଳାଫଳରେ ଉନ୍ନତି ହୋଇପାରିବ। ବିଶ୍ବବ୍ୟାଙ୍କ ଅନୁସାରେ ଅପପୁଷ୍ଟି ଏକ ସ୍ବାସ୍ଥ୍ୟଗତ ନୁହେଁ, ବରଂ ଅର୍ଥନୈତିକ ସମସ୍ୟା ମଧ୍ୟ। ସ୍ବଳ୍ପ ପୋଷଣ କାରଣରୁ ଅର୍ଥନୀତିକୁ ବାର୍ଷିକ ୩ ଲକ୍ଷ କୋଟି ଡଲାର କ୍ଷତି ସହିବାକୁ ପଡ଼ୁଛି। ନିମ୍ନ ଆୟ ବର୍ଗର ଦେଶରେ ଏହି କ୍ଷତି ସେମାନଙ୍କ ଜିଡିପିର ୩-୧୬ ପ୍ରତିଶତ ପର୍ଯ୍ୟନ୍ତ ରହିଛି। ତେଣୁ ପୁଷ୍ଟିରେ ନିବେଶ ହିଁ ଜଳବାୟୁ ପରିବର୍ତ୍ତନ ପ୍ରଭାବର ମୁକାବିଲା ଲାଗି ଶ୍ରେଷ୍ଠ ଉପାୟ ବୋଲି ଗେଟ୍‌ସ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe