ଉତ୍ତପ୍ତୀକରଣ ସହନଶୀଳ କ୍ରାନ୍ତୀମଣ୍ଡଳୀୟ ବୃଷ୍ଟିବନ

ଭାରତର ପଶ୍ଚିମଘାଟ ପର୍ବତମାଳା ଓ ଦକ୍ଷିଣ ଆମେରିକାର ଆମାଜନ ପରି କ୍ରାନ୍ତୀମଣ୍ଡଳୀୟ ବୃଷ୍ଟିବନଗୁଡ଼ିକ ବିଶ୍ବ ଉତ୍ତପ୍ତୀକରଣ ଜନିତ ବିପର୍ଯ୍ୟୟର ମୁକାବିଲା ପାଇଁ ସକ୍ଷମ ବୋଲି ଏକ ନୂଆ ଗବେଷଣାରୁ ଜଣାପଡ଼ିଛି।

Punascha Pruthibi

ଭାରତର ପଶ୍ଚିମଘାଟ ପର୍ବତମାଳା ଓ ଦକ୍ଷିଣ ଆମେରିକାର ଆମାଜନ ପରି କ୍ରାନ୍ତୀମଣ୍ଡଳୀୟ ବୃଷ୍ଟିବନଗୁଡ଼ିକ ବିଶ୍ବ ଉତ୍ତପ୍ତୀକରଣ ଜନିତ ବିପର୍ଯ୍ୟୟର ମୁକାବିଲା ପାଇଁ ସକ୍ଷମ ବୋଲି ଏକ ନୂଆ ଗବେଷଣାରୁ ଜଣାପଡ଼ିଛି। ଖଡ଼ଗପୁର ଆଇଆଇଟି, କୋଲକାତା ବିଶ୍ବବିଦ୍ୟାଳୟ ଓ ପଶ୍ଚିମ ଓଣ୍ଟାରିଓ ବିଶ୍ବବିଦ୍ୟାଳୟର ଗବେଷକମାନଙ୍କ ଅଧ୍ୟୟନ ଅନୁସାରେ, ଏହି ଅରଣ୍ୟଗୁଡ଼ିକ ପାରିବେଶିକ ପରିବର୍ତ୍ତନକୁ ଆଦରିନେବାରେ ସିଦ୍ଧହସ୍ତ। ଅବଶ୍ୟ କିଛି ଗବେଷକଙ୍କ ମତରେ ହାରାହାରି ବୈଶ୍ବିକ ତାପମାତ୍ରାରେ ୨ ଡିଗ୍ରି ସେଲ୍‌ସିଅସ୍‌ ବୃଦ୍ଧି ଘଟିଲେ ତାହା ବୃକ୍ଷମାନଙ୍କର ଶ୍ବାସକ୍ରିୟା ହାରକୁ ସର୍ବାଧିକ କରାଇ ତାହା ବୃକ୍ଷରାଜିର ମୃତ୍ୟୁର କାରଣ ସାଜିବ। ମାତ୍ର ଗବେଷକମାନଙ୍କ ସଦ୍ୟ ଅନୁଧ୍ୟାନ ଅନୁଯାୟୀ, ଦକ୍ଷିଣ ଆମେରିକାର ଏଣ୍ଡିଜ୍‌ ପର୍ବତମାଳାର ନିମ୍ନ ତଥା ଉଷ୍ମ ଇଲାକାରେ ଥିବା ବୃକ୍ଷଗୁଡ଼ିକ ଉଚ୍ଚ ତଥା ଥଣ୍ଡା ଅଞ୍ଚଳର ବୃକ୍ଷମାନଙ୍କ ତୁଳନାରେ ଅଧିକ ପରିବେଶ ପରିବର୍ତ୍ତନ ସହନଶୀଳ।

ସେହିପରି ହିମାଳୟର ଚିରହରିତ ବା ପତ୍ରଝଡ଼ା ବୃକ୍ଷଗୁଡ଼ିକର ପୁଷ୍ପଧାରଣ ସମୟ ଧୀରେ ଧାରେ ପରିବର୍ତ୍ତନ ହୋଇଚାଲିଛି। ତେବେ ସେମାନେ ଗୁଜରାଟର ବାସ୍ତାନ କୋଇଲାଖଣି ଶଯ୍ୟାରେ ୫୬ ନିୟୁତ ବର୍ଷ ତଳେ ଜୀବାଶ୍ମ ହୋଇ ରହିଥିବା ଶାଳ, ତାଳ ଓ ହେନ୍ତାଳ ଆଦି ବୃକ୍ଷର ବିବିଧତାକୁ ଲକ୍ଷ୍ୟ କରି ଏକ ଭିନ୍ନ ନିର୍ଯାସ ପାଇଛନ୍ତି। ତାହା ଅନୁଯାୟୀ, ସୁଦୂର ଅତୀତରେ ହିମାଳୟ ସୃଷ୍ଟି ପୂର୍ବରୁ ଭାରତ ସମୁଦ୍ର ପରିବେଷ୍ଟିତ ଏକ କ୍ରାନ୍ତୀମଣ୍ଡଳୀୟ ଅଞ୍ଚଳ ହୋଇ ରହିଥିଲା। ତେବେ ଧୀରେ ଧୀରେ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ବାଷ୍ପ ପରିମାଣ ବଢ଼ିବା ସାଙ୍ଗକୁ ସମଗ୍ର ଅଞ୍ଚଳ ଉଷ୍ମ ହେବାକୁ ଲାଗିଲା। ତାପମାତ୍ରା ଅସ୍ବାଭାବିକ ଭାବେ ୪୦ ଡିଗ୍ରି ସେଲ୍‌ସିଅସ୍‌କୁ ବଢ଼ି ପୁଣି ୩୦ ଡିଗ୍ରିକୁ ଖସି ଆସିଥିଲା। ସେହି ସମୟରେ ବୃଷ୍ଟିବନଗୁଡ଼ିକ ଉଚ୍ଚ ତାପମାତ୍ରା ସହିବାରେ ସକ୍ଷମ ହୋଇଥିଲେ। ବୃଷ୍ଟିପାତରେ ବୃଦ୍ଧି ଓ ତାପମାତ୍ରାରେ ହ୍ରାସ ଯୋଗୁଁ ପଶ୍ଚିମଘାଟ ପର୍ବତରେ ପ୍ରାଚୀନ ବୃଷ୍ଟିବନ ସୁରକ୍ଷିତ ରହିଛି ବୋଲି ଗବେଷକମାନଙ୍କ ମତ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe