କୋଭିଡ ମହାମାରୀ ପ୍ରଭାବ: କମିଛି ବଜ୍ରକାପ୍ତା କାତି ଓ ହାତୀଦାନ୍ତ ଚାଲାଣ

କୋଭିଡ୍‌ ମହାମାରୀ ପରେ ୨୦୨୦ ମସିହାରୁ ବିଶ୍ବବ୍ୟାପୀ ବଜ୍ରକାପ୍ତା କାତି ଓ ହାତୀଦାନ୍ତ ଚାଲାଣରେ ଦ୍ରୁତ ହ୍ରାସ ଘଟିଛି ବୋଲି ଏକ ନୂତନ ରିପୋର୍ଟରୁ ଜଣାଯାଇଛି। ଏହି ହ୍ରାସ ବିଶେଷ କରି ମହାମାରୀ ଜନିତ ପ୍ରତିବନ୍ଧକ, ନିରନ୍ତର ଧରପଗଡ଼ ଓ ଚୋରାଚାଲାଣର....

sscssss

କୋଭିଡ୍‌ ମହାମାରୀ ପରେ ୨୦୨୦ ମସିହାରୁ ବିଶ୍ବବ୍ୟାପୀ ବଜ୍ରକାପ୍ତା କାତି ଓ ହାତୀଦାନ୍ତ ଚାଲାଣରେ ଦ୍ରୁତ ହ୍ରାସ ଘଟିଛି ବୋଲି ଏକ ନୂତନ ରିପୋର୍ଟରୁ ଜଣାଯାଇଛି। ଏହି ହ୍ରାସ ବିଶେଷ କରି ମହାମାରୀ ଜନିତ ପ୍ରତିବନ୍ଧକ, ନିରନ୍ତର ଧରପଗଡ଼ ଓ ଚୋରାଚାଲାଣର ପରିବର୍ତ୍ତିତ ରଣନୀତି ଯୋଗୁଁ ସଂଘଟିତ ହୋଇଥିବା ସ୍ପଷ୍ଟ ହୋଇଛି। ବନ୍ୟପ୍ରାଣୀ ନ୍ୟାୟ ଆୟୋଗ (ଡବ୍‌ଲ୍ୟୁଜେସି) ଦ୍ବାରା ପ୍ରକାଶିତ ରିପୋର୍ଟରେ ବିଗତ ୪ ବର୍ଷ ଭିତରେ  ସଂପୃକ୍ତ ସାମଗ୍ରୀର ଜବତରେ ବଡ଼ ଧରଣର ଉଲ୍ଲେଖନୀୟ ହ୍ରାସ ଘଟିଥିବା କୁହାଯାଇଛି। ୨୦୨୦ ମସିହାରେ ସିଙ୍ଗାପୁର କର୍ତ୍ତୃପକ୍ଷ ଦୁଇଟି ପୃଥକ୍‌ ଘଟଣାରେ ଜବତ କରିଥିବା ପ୍ରାୟ ୨୫ ଟନ୍‌ ଓଜନର ବଜ୍ରକାପ୍ତା କାତି ଏବଂ ଭିଏତନାମ, ସିଙ୍ଗାପୁର ଓ ଚୀନ୍‌ରେ ସମାନ୍ତରାଳ ଭାବେ ଜବତ ହୋଇଥିବା ୨୫ ଟନ୍‌ରୁ ଅଧିକ ଓଜନର ହାତୀଦାନ୍ତ ଜବତ ପରେ ଅନୁରୂପ ଘଟଣା ଉଲ୍ଲେଖନୀୟ ଭାବେ ହ୍ରାସ ପାଇଛି।

ସୂଚନାଯୋଗ୍ୟ, ଚୀନୀ ପାରମ୍ପରିକ ଚିକିତ୍ସାରେ ବଜ୍ରକାପ୍ତା କାତିର ବହୁ ମୂଲ୍ୟ ରହିଥିବା ବେଳେ ୨୦୧୯ ମସିହାରେ ବିଶ୍ବବ୍ୟାପୀ ପ୍ରାୟ ୧୦୦ ଟନ୍‌ ଓଜନର ବଜ୍ରକାପ୍ତା କାତି ଜବତ ହୋଇଥିଲା। ସେହିବର୍ଷ ବିଭିନ୍ନ ସ୍ଥାନରେ ୫୦ ଟନ୍‌ରୁ ଅଧିକ ଓଜନର ହାତୀଦାନ୍ତ ଚାଲାଣ ବେଳେ ଧରା ପଡ଼ିଥିଲା। ୨୦୧୫ରୁ ୨୦୨୪ ମଧ୍ୟରେ ବିଶ୍ବସ୍ତରରେ ୩୭୦ ଟନ୍‌ରୁ ଅଧିକ ଓଜନର ବଜ୍ରକାପ୍ତା କାତି ଜବତ ହୋଇଥିବାର ତଥ୍ୟ ରହିଛି। ଏଥିରୁ ସେହି ଅବଧି ଭିତରେ ଲକ୍ଷେରୁ ଦଶ ଲକ୍ଷ ସଂଖ୍ୟକ ବଜ୍ରକାପ୍ତାର ଅବୈଧ କାରବାର ହୋଇଥିବା ଆକଳନ କରାଯାଏ। ସେହି ସମୟ ଭିତରେ ମଧ୍ୟ ୧୯୩ ଟନ୍‌ରୁ ଅଧିକ ଓଜନର ହାତୀଦାନ୍ତ ଜବତ କରାଯାଇଥିଲା, ଯାହା ପ୍ରାୟ ୧୯,୩୦୦ ହାତୀ ସହ ଜଡ଼ିତ। ପୂର୍ବରୁ ହାତୀଦାନ୍ତ ଚାଲାଣ ପରିମାଣ ବଜ୍ରକାପ୍ତା ତୁଳନାରେ ଦୁଇଗୁଣ ଥିବା ବେଳେ ୨୦୧୬ ମସିହା ପରଠାରୁ ବଜ୍ରକାପ୍ତା କାତି ଚାଲାଣ ବଢ଼ିବାକୁ ଲାଗିଥିଲା। ତେବେ ୨୦୨୦ ପ୍ରାରମ୍ଭରେ ଉଭୟ ସାମଗ୍ରୀର ବଜାର ରେକର୍ଡ ଭାଙ୍ଗିବା ପରେ ସେଥିରେ ହ୍ରାସ ଘଟିବା ଆରମ୍ଭ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe