ପାରଂପରିକ ପର୍ଯ୍ୟଟନ ଅପେକ୍ଷା ଇକୋ ଟୁରିଜମ୍‌ ଅଧିକ ଲାଭଦାୟକ ହୋଇପାରେ

ପାରମ୍ପରିକ ପର୍ଯ୍ୟଟନରେ ପ୍ରଦୂଷଣ କାରକର ମାତ୍ରା ଅଧିକ ଥିଲା। କିନ୍ତୁ ଇକୋ-ଟୁରିଜମ୍‌ରେ ପରିବେଶର ସୁରକ୍ଷାକୁ ବିଶେଷ ଧ୍ୟାନ ଦିଆଯାଉଥିବାରୁ ପରିବେଶ ପ୍ରଦୂଷିତ ହେବାର ଆଶଙ୍କା କମ୍‌।

Punascha Pruthibi

ଭୁବନେଶ୍ବର: ପାରମ୍ପରିକ ପର୍ଯ୍ୟଟନରେ ପ୍ରଦୂଷଣ କାରକର ମାତ୍ରା ଅଧିକ ଥିଲା। କିନ୍ତୁ ଇକୋ-ଟୁରିଜମ୍‌ରେ ପରିବେଶର ସୁରକ୍ଷାକୁ ବିଶେଷ ଧ୍ୟାନ ଦିଆଯାଉଥିବାରୁ ପରିବେଶ ପ୍ରଦୂଷିତ ହେବାର ଆଶଙ୍କା କମ୍‌। ଇକୋ-ଟୁରିଜମ୍‌ରେ ବାୟୁରେ ଅଙ୍ଗାରକାମ୍ଳ ମାତ୍ରା କମିବା ସହ ପର୍ଯ୍ୟଟକ ମଧ୍ୟ ଅଧିକ ଉପଭୋଗ କରି ପାରୁଛନ୍ତି। ଖୁସିର କଥା ଯେ ଏ ଦିଗ‌ରେ ଓଡ଼ିଶା ଦେଶର ଏକ ଅଗ୍ରଣୀ ରାଜ୍ୟର ମାନ୍ୟତା ହାସଲ କରିଛି। ଆଜି ‘ପୁନଶ୍ଚ ପୃଥିବୀ’ ମହାସମ୍ମିଳନୀ‌ର ତୃତୀୟ ଦିନରେ ଏକ ଆଲୋଚନାରେ ଅଂଶଗ୍ରହଣ କରି ସ୍ୱସ୍ତି ଗ୍ରୁପ୍ ଚେୟାରମ୍ୟାନ୍ ଜେକେ ମହାନ୍ତି ଏହା କହିଛନ୍ତି। 

ଇକୋ ଟୁରିଜିମ୍‌ ଗବେଷକ ନହର ମହମ୍ମଦଙ୍କ ସଂଯୋଜନାରେ ଆୟୋଜିତ ଏହି ଅଧିବେଶନରେ ଶ୍ରୀ ମହାନ୍ତି ନିଜ ଅନୁଭବରୁ କହିଲେ, ସ୍ବସ୍ତି ଚିଲିକା ରିସୋର୍ଟ ଭିତରେ ଓ ବାହାରେ ପ୍ରାୟ ୫ ଲକ୍ଷ ବୃକ୍ଷରୋପଣ କରାଯାଇଛି। ଗଛଗୁଡିକର ଯତ୍ନ ମଧ୍ୟ ନିଆ ଯାଉଛି। ଯେତେବେଳେ ରିସର୍ଟ ଆରମ୍ଭ କରା ଯାଇଥିଲା,  ଗାଁ ଲୋକ ବିରୋଧ କରିଥିଲେ। ହେଲେ ଲୋକଙ୍କ ସହ ଆଲୋଚନା କରିବା ପରେ ସେମାନେ ଶାନ୍ତ ହୋଇଥିଲେ। ବର୍ତ୍ତମାନ ସେହି ଗାଁର ପ୍ରାୟତଃ ସବୁ ଲୋକ ରିସର୍ଟରେ କାମ କରି ସମ୍ମାନର ସହିତ ପରିବାର ପ୍ରତିପୋଷଣ କରୁଛନ୍ତି। କେବଳ ସେତିକି ନୁହେଁ, ପ୍ରଶିକ୍ଷଣ ଦ୍ବାରା ସେମାନେ ବିଦେଶୀ ପର୍ଯ୍ୟଟକଙ୍କ ସହିତ ଇଂଲିଶରେ ଭାବର ଆଦାନ ପ୍ରଦାନ ମଧ୍ୟ କରି ପାରୁଛନ୍ତି। ମୁଡି ବୋଟସ୍‌ ଭ୍ୟାକେସନ୍‌ର ପ୍ରତିଷ୍ଠାତା ନିର୍ଦ୍ଦେଶକ ପ୍ରଦୀପ ମୂର୍ତ୍ତୀ କହିଲେ, ଇକୋ-ଟୁରିଜମ୍ ପର୍ଯ୍ୟଟନ ପାଇଁ ଏକ ଉତ୍କୃଷ୍ଟ ପନ୍ଥା। ଏହା ପରିବେଶର ସଂରକ୍ଷଣ ସହ ସ୍ଥାନୀୟ ଲୋକଙ୍କୁ ‌ରୋଜଗାରକ୍ଷମ କରେ। ଅଙ୍ଗାରକାମ୍ଳ ମଧ୍ୟ ହ୍ରାସ କରିଥାଏ। ଇକୋ- ଟୁରିଜମ୍‌ରେ ଗାଡ଼ିମୋଟର ବ୍ୟବହାର ହ୍ରାସ ପାଇବା ସହ ପରବେଶ ଉପରେ ଏହାର ସକରାତ୍ମକ ପ୍ରଭାବ ପଡ଼ିଥାଏ। ଏହା ନିରନ୍ତର ବିକାଶରେ ସହାୟକ ହୋଇଥାଏ। ଓଡ଼ିଶାରେ ପର୍ଯ୍ୟଟନର ବଡ଼ ସମ୍ଭାବନା ରହିଛି। ଓଡ଼ିଶାର ଐତିହ୍ୟସ୍ଥଳୀ, ମନ୍ଦିର ସହ ବେଳାଭୂମି, ଜଙ୍ଗଲ ଭଳି ପ୍ରାକୃତିକ ସ୍ଥାନ ପର୍ଯ୍ୟଟକଙ୍କ ଆକର୍ଷଣ କେନ୍ଦ୍ରବିନ୍ଦୁ। ୬୫% ପର୍ଯ୍ୟଟକ ସବୁ ସମୟରେ କିଛି ନୂଆ ଚାହିଥାନ୍ତି। ଇକୋ ଟୁରିଜମ୍‌ ମାଧ୍ୟମରେ ପ୍ରକୃତିକୋଳରେ ପର୍ଯ୍ୟଟକଙ୍କୁ ନୂଆ ନୂଆ ଉପହାର ଭେଟି ଦେଇହେବ। ପର୍ଯ୍ୟଟକ ଘଞ୍ଚ ଜଙ୍ଗଲରେ ଟ୍ରାକିଂ କରିବା, ସାଇକେଲିଂ କରିବାକୁ ଅଧିକ ପସନ୍ଦ କରୁଛନ୍ତି ଏବଂ ପର୍ଯ୍ୟଟନର ମଜା ନେଉଛନ୍ତି। 

କାର୍ଯ୍ୟକ୍ରମରେ ରେଟ୍ରୋଡ୍‌ର ପ୍ରତିଷ୍ଠାତା ପ୍ରଭାତ ପଣ୍ଡା କହିଲେ, ଟେକ୍ନୋଲୋଜି ବା ପ୍ରଯୁକ୍ତିବିଦ୍ୟାର ବ୍ୟବହାର କରି ଇକୋ ଟୁରିଜମର କେମିତି ପ୍ରଚାର ପ୍ରସାର କରାଯାଇପାରିବ, ସେନେଇ ଚିନ୍ତା କରିବା ଦରକାର। ଜଳବାୟୁ ପରିବର୍ତ୍ତନ ଭଳି ଗୋଟିଏ ବଡ଼ ଆହ୍ବାନ ଆଗରେ ରହିଥିବାବେଳେ ପରିବେଶ ଜନିତ ପ୍ରଦୂଷଣ ଯେମିତି ସୃଷ୍ଟି ନହେବ, ସେଥିପ୍ରତି ବିଶେଷ ଧ୍ୟାନ ଦିଆଯିବା ଉଚିତ। ଅନେକ ସମୟରେ ଆମେ ହୋଟେଲର ରୁମ୍ ଓ ସୁବିଧା ସୁଯୋଗର ପ୍ରଚାର କରୁଛେ। ହେଲେ ସେଠାରେ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମର ପ୍ରଚାର କ୍ବଚିତ୍‌ କରାଯାଏ। ଏବେ ସାମାଜିକ ଗଣମାଧ୍ୟମ ଓ କୃତ୍ରିମ ବୁଦ୍ଧିମତ୍ତାର ଯୁଗ। ଏହାକୁ ବ୍ୟବହାର କରି କମ୍ୟୁନିଟିଠାରୁ ଆରମ୍ଭ କରି ସମଗ୍ର ବିଶ୍ବରେ ଇକୋ ଟୁରିଜମ୍‌କୁ ବଢ଼ାଇବାର ଆବଶ୍ୟକତା ରହିଛି। ସଭାରେ ଅତିଥିମାନଙ୍କୁ ବିଶିଷ୍ଟ କଣ୍ଠଶିଳ୍ପୀ ଆଦ୍ୟାଶା ଦାସ ଓ ‘ସମ୍ବାଦ’ର ସଂପାଦକ ତନୟା ପଟ୍ଟନାୟକ ସମ୍ମାନିତ କରିଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe