ଭୁବନେଶ୍ବର: ଧନ ଠାରୁ ବଡ଼ ପରିବେଶ। ଆମେ ସମସ୍ତେ ପୁଅ-ଝିଅଙ୍କ ପାଇଁ ଧନ ସଞ୍ଚିବା ଦୌଡ଼ରେ ଅଛେ। କିନ୍ତୁ ପରପିଢ଼ି ପାଇଁ ଧନ ନୁହେଁ, ପରିବେଶ ସଞ୍ଚିବାର ସମୟ ଆସିଛି। ବେଳ ଥାଉଣୁ ଆମ ସମସ୍ତଙ୍କୁ ଚିନ୍ତା କରିବାକୁ ପଡ଼ିବ। ନହେଲେ ଆମ ପରପିଢ଼ିଙ୍କ ପାଇଁ ବଞ୍ଚିବା କଷ୍ଟକର ହୋଇ ପଡ଼ିବ। ଭୁବନେଶ୍ବର ମଧ୍ୟ ନିର୍ବାଚନମଣ୍ଡଳୀ ଅଧୀନ ଲକ୍ଷ୍ମୀସାଗର କମ୍ୟୁନିଟି ହଲ୍ରେ ‘ସମ୍ବାଦ’ ଗ୍ରୁପ୍ ପକ୍ଷରୁ ଆୟୋଜିତ ପରିବେଶ ପଞ୍ଚାୟତରେ ଏଭଳି ମତ ପ୍ରକାଶ ପାଇଛି।
ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା କହିଥିଲେ, ପରିବେଶ କ୍ରମେ ଖରାପ ହେବାରେ ଲାଗିଛି। ପାଣି ଜୀବନ ପାଇଁ ପ୍ରଥମ ଆବଶ୍ୟକତା; ତାହା ଏବେ ଖରାପ ସ୍ଥିତିରେ ରହିଛି। ଭୁବନେଶ୍ବରରେ ଭୂତଳ ଜଳସ୍ତର ଉଦ୍ବେଗଜନକ ଭାବରେ ହ୍ରାସ ପାଇବାରେ ଲାଗିଛି। ଏଣୁ ଜଳ ସଂରକ୍ଷଣ ଜରୁରି ହୋଇପଡ଼ିଛି। ନିଷିଦ୍ଧ ପଲିଥିନ୍ ଏଭଳି ସମସ୍ୟା ସୃଷ୍ଟି କରିଛି ଯେ ଭୂତଳ ଜଳ ରିଚାର୍ଜ ହୋଇ ପାରୁନି। ଜନସାଧାରଣ ଏଥିପାଇଁ ସହଯୋଗ ନ କଲେ ସମାଧାନ ଅସମ୍ଭବ ହେବ। ସବୁଠାରୁ ବଡ଼ ସମାଧାନ ହେଉଛି ବୃକ୍ଷରୋପଣ। ଅଙ୍ଗାରକାମ୍ଳ ନେଇ ଯିଏ ଆମକୁ ବଞ୍ଚିବା ପାଇଁ ଅମ୍ଳଜାନ ଦେଉଛି ତାହାର ଯତ୍ନ ନେବାକୁ ପଡ଼ିବ। ସେ ବଡ଼ ହେଲେ ଆମର ପ୍ରକୃତ ବନ୍ଧୁ ହେବ। ସ୍ବତନ୍ତ୍ର ଅତିଥି ଭାବେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ରିସର୍ଚ୍ଚ ଆସୋସିଏଟ୍ ଉପାସନା ମହାପାତ୍ର କହିଥିଲେ, ରାଜଧାନୀରେ ବାୟୂ ପ୍ରଦୂଷଣ ସ୍ଥିତି ଉଦ୍ବେଗଜନକ ରହିଛି। ଛୋଟ ଛୋଟ ପିଲାମାନେ ନିୟମିତ ଥଣ୍ଡା, କାଶ ଓ ଅନ୍ୟାନ୍ୟ ରୋଗରେ ପଡ଼ୁଛନ୍ତି। ଏହାର କାରଣ ହେଉଛି ବାୟୂ ପ୍ରଦୂଷଣ। ଭବିଷ୍ୟତ ପିଢ଼ି ପାଇଁ ଚିନ୍ତା କରିବାର ସମୟ ଆସିଛି। ଛୋଟ ଛୋଟ ପଦକ୍ଷେପ ବଡ଼ ପରିବର୍ତ୍ତନ ଆଣିପାରିବ। ଧନ ନୁହେଁ, ବରଂ ଆସନ୍ତୁ, ପରପିଢ଼ି ପାଇଁ ପରିବେଶ ସଞ୍ଚୟ କରିବା। କାର୍ଯ୍ୟକ୍ରମରେ ସଭାପତିତ୍ବ କରି ‘ସମ୍ବାଦ’ ଗ୍ରୁପ୍ ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ କହିଥିଲେ, ସବୁ ଛାଡ଼ି ଆମକୁ ‘ମାଟି’ ପାଇଁ ସମୟ ଦେବାକୁ ହେବ। ଭୁବନେଶ୍ବର ଯେତିକି ସ୍ମାର୍ଟ ଦିଶୁଛି ତା’ ଠାରୁ ଅଧିକ ସ୍ମାର୍ଟ ହୋଇ ପାରିବ। ‘ପୁନଶ୍ଚ ପୃଥିବୀ’ର ଲକ୍ଷ୍ୟ ସାଧନ କରିବାକୁ ହେଲେ ଲୋକଙ୍କ ସହ ଲୋକଙ୍କୁ ଯୋଡ଼ି ସମସ୍ୟାର ସମାଧାନ କରିବାକୁ ହେବ। ପରପିଢ଼ି ପାଇଁ ଏକ ସୁନ୍ଦର ପରିବେଶ ସଜେଇବାକୁ ହେବ।
ଜଳ ସଂରକ୍ଷଣ ନିହାତି ଆବଶ୍ୟକ: ଅନନ୍ତ ନାରାୟଣ
ସବୁ ଛାଡ଼ି ମାଟି ପାଇଁ ସମୟ ଦେବାକୁ ହେବ: ସୌମ୍ୟରଞ୍ଜନ
ସମ୍ମାନିତ ଅତିଥି ଭାବେ ୪୩ ନମ୍ବର ୱାର୍ଡ କର୍ପୋରେଟର ଭରତ ଲେଙ୍କା ଯୋଗଦେଇ ଏଭଳି ଏକ କାର୍ଯ୍ୟକ୍ରମ ଆୟୋଜନ ପାଇଁ ‘ସମ୍ବାଦ’କୁ ଧନ୍ୟବାଦ ଦେଇଥିଲେ। ପରିବେଶକୁ ବଞ୍ଚାଇ ରଖିବାରେ ଜଳାଶୟଗୁଡ଼ିକର ଭୂମିକା ଗୁରୁତ୍ବପୂର୍ଣ୍ଣ। ଆମ ଅଞ୍ଚଳରେ ତିନିଟି ବଡ଼ ବଡ଼ ଜଳାୟର ପୁନରୁଦ୍ଧାର ହୋଇଛି। ଆଗକୁ ମଧ୍ୟ ଏଭଳି ପ୍ରୟାସ ଜାରି ରହିବ। ପ୍ରତ୍ୟେକ ମଣିଷ ଦୈନନ୍ଦିନ କାର୍ଯ୍ୟରୁ କିଛି ସମୟ ବାହାର କରି ପରିବେଶ ପାଇଁ ଦେବା ଆବଶ୍ୟକ ବୋଲି ସେ କହିଥିଲେ। ଅନ୍ୟତମ ଅତିଥି ଭାବେ ଯୋଗଦେଇ ‘ବକୁଳ ଫାଉଣ୍ଡେସନ’ର ପ୍ରତିଷ୍ଠାତା ସୁଜିତ ମହାପାତ୍ର କହିଥିଲେ, ପରିବେଶକୁ ନେଇ ଗଣମାଧ୍ୟମ, ଜନପ୍ରତିନିଧି ଓ ଜନସାଧାରଣ ଏକାଠି ହେବା ବଡ଼କଥା। ପରିବେଶ ସମସ୍ୟାକୁ ସାମ୍ନାକୁ ଆଣିବା ଓ ସମାଧାନର ବାଟ ଖୋଜିବାରେ ଏହି ‘ପରିବେଶ ପଞ୍ଚାୟତ’ ପ୍ରମୁଖ ଭୂମିକା ନିର୍ବାହ କରିବ। ଗଙ୍ଗୁଆ ପ୍ରଦୂଷଣ, ଦୟା ୱେଷ୍ଟ କେନାଲ ପ୍ରଦୂଷଣ ଓ ଅନ୍ୟାନ୍ୟ ଜଳଉତ୍ସ ସମସ୍ୟା ସମାଧାନ ଦିଗରେ ସରକାରଙ୍କ ଯେଉଁ ଭୂମିକା ରହିଛି, ପରିବେଶ ପଞ୍ଚାୟତ ମାଧ୍ୟମରେ ତାହା ସରକାରଙ୍କ ପାଖରେ ପହଞ୍ଚିବ।
ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିବା ସ୍ଥାନୀୟ ଅଧିବାସୀଙ୍କ ମଧ୍ୟରୁ ପୂର୍ଣ୍ଣଚନ୍ଦ୍ର ପଣ୍ଡା, ରବୀନ୍ଦ୍ର କୁମାର ସାମନ୍ତରାୟ, ଭ୍ରମରବର ନାୟକ, ପୂଜାରାଣୀ ରାଉତ, ଶୁକଦେବ ସାବତ, ଉଷାରାଣୀ ଲେଙ୍କା ଓ କାନନବାଳା ରାଉତରାୟ ପ୍ରମୁଖ ସ୍ଥାନୀୟ ପରିବେଶ ସମସ୍ୟା ଉପସ୍ଥାପନ କରିଥିଲେ।
Follow Us