ପରିବେଶ ସୁରକ୍ଷା ପାଇଁ ଜଙ୍ଗଲ ବଞ୍ଚିବା ଜରୁରି। ଜଙ୍ଗଲ ହିଁ ପରିବେଶକୁ ତାଜା ପବନ ଦେବା ସହ ପ୍ରଦୂଷଣମୁକ୍ତ କରିପାରିବ। ଏଣୁ ସହରର ଏଣେତେଣେ ଗଛ ଲଗାଇବା ଅପେକ୍ଷା ସହର ଉପକଣ୍ଠରେ ଥିବା ଜଙ୍ଗଲକୁ ପୁନରୁଦ୍ଧାର କରିବା ଦିଗରେ କାମ କରୁଛି ‘ୟୁଥ୍ ଫର୍ ସେବା’ ସ୍ବେଚ୍ଛାସେବୀ ଅନୁଷ୍ଠାନ। ବର୍ଷା ଦିନେ ‘ସିଡ୍ବଲ୍’ (ବିହନଗୁଳା) ତିଆରି କରି ଲୋପପାଉଥିବା ଜଙ୍ଗଲକୁ ଫିଙ୍ଗି ପରିବେଶ ସୁରକ୍ଷା ଦିଗରେ ନିଜର ଗୁଣ୍ଡୁଚିମୂଷାର ଦାୟିତ୍ବ ତୁଲାଉଛନ୍ତି ‘ୟୁଥ୍ ଫର୍ ସେବା’ର ସ୍ବେଚ୍ଛାସେବୀ ସୁବ୍ରତ କୁମାର ପଟ୍ଟନାୟକ ଓ ଅନୁଷ୍ଠାନର ଅନ୍ୟ ସଦସ୍ୟମାନେ।
ଶ୍ରୀ ପଟ୍ଟନାୟକ କହନ୍ତି, “ଆମେ ପୂର୍ବରୁ ସହରର ବିଭିନ୍ନ ସ୍ଥାନରେ ଗଛ ଲଗାଉଥିଲୁ। କିନ୍ତୁ ସେଗୁଡ଼ିକୁ ବଞ୍ଚାଇ ରଖିବା ସମ୍ଭବ ହେଉନଥିଲା। ଏଣୁ ଆମେ ଭୁବନେଶ୍ବର ଉପକଣ୍ଠ ଜଙ୍ଗଲକୁ ନଜରରେ ରଖି ‘ସିଡ୍ବଲ୍’ ତିଆରି ଆରମ୍ଭ କଲୁ। ଭୁବନେଶ୍ବର ଉପକଣ୍ଠର ଦୁଇ ଗାଁ ଖଣିସାହ ଓ ଝରବଣିଆରେ ରହୁଥିବା ପରିବାରମାନଙ୍କୁ ସିଡ୍ବଲ୍ ତିଆରି ସହ ଜଙ୍ଗଲ ସୁରକ୍ଷା କେମିତି କରିହେବ ତାଲିମ ଦେଲୁ। ଏହି ଦୁଇ ଗାଁ ନିକଟସ୍ଥ ଜଙ୍ଗଲରେ ଏବେ ବଡ଼ ବଡ଼ ଗଛ ନାହିଁ। ଏଣୁ ଏଠାରେ କରଞ୍ଜ ଓ ନିମ୍ବ ଗଛ ଲଗାଇ ଜଙ୍ଗଲ ସୃଷ୍ଟି କରିବାକୁ ଅଣ୍ଟା ଭିଡ଼ିଛୁ। ଏହି ଦୁଇ ଗଛ ପରିବେଶ ପାଇଁ ବେଶ୍ ଉପକାରୀ, ତେଣୁ ଆମେ ୨୦୧୮ ମସିହାରୁ ଏହି ଦୁଇ ଗଛ ଲଗାଇ ଜଙ୍ଗଲ ସୃଷ୍ଟି କରିବାରେ ଲାଗିପଡ଼ିଛୁ। ପ୍ରତି ୧୦୦ ସିଡ୍ ବଲ୍ରେ ଯଦି ୧୦ଟି ଗଛ ଉଠିପାରୁଛି, ତେବେ ଆମ ମିସନ୍ ସଫଳ ବୋଲି ଆମେ ଭାବିନେଉଛୁ।’’ ଏବେ ଭୁବନେଶ୍ବର ଛଡ଼ା ଗଞ୍ଜାମର ଶୁଳିଆ ପାହାଡ଼ ଓ ବାରିପଦା ଉପକଣ୍ଠ ଜଙ୍ଗଲରେ ମଧ୍ୟ ସୁବ୍ରତ ଏହି ସିଡ୍ବଲ୍ ଫିଙ୍ଗା ଅଭିଯାନ ଚଳାଇଛନ୍ତି।
ସୁବ୍ରତଙ୍କ କହିବା ଅନୁସାରେ, ‘ପ୍ରତିଟି ମଞ୍ଜିରୁ ଗଛ ହୁଏ ନାହିଁ।
ଏଣୁ ଅଧିକରୁ ଅଧିକ ମଞ୍ଜିରୁ ଯେଭଳି ଗଛ ଉଠିବ ସେ ନେଇ ଆମେ ସତର୍କ ରହୁ। ମାଟି ଓ ଖତକୁ ସଠିକ୍ ଅନୁପାତରେ ଚକଟି ଆମେ ମଞ୍ଜିକୁ ଏହା ଭିତରେ ରଖି ଛାଇ ସ୍ଥାନରେ ଶୁଖାଇଥାଉ। ସିଡ୍ବଲ୍ ତିଆରିର ପରଦିନ ହିଁ ଏହାକୁ ଜଙ୍ଗଲରେ ଫିଙ୍ଗା ଯାଇଥାଏ। ବିଶେଷ କରି ବର୍ଷା ଦିନେ ଅର୍ଥାତ ଜୁନ୍ ୧୫ରୁ ୩୦ ତାରିଖ ମଧ୍ୟରେ ଆମେ ଏହି କାର୍ଯ୍ୟ କରିଥାଉ। ଫଳରେ ମାଟିର ଆର୍ଦ୍ରତା ଓ ଥଣ୍ଡା ପରିବେଶ ମଞ୍ଜିକୁ ବିକଶିତ ହେବାରେ ସାହାଯ୍ୟ କରିଥାଏ।’’ ସୁବ୍ରତ ଓ ତାଙ୍କ ଟିମ୍ ସ୍କୁଲ ଓ କଲେଜ ପିଲାଙ୍କୁ ପରିବେଶ ସୁରକ୍ଷା ସମ୍ପର୍କରେ ତାଲିମ ଦେବା, ପ୍ଲାଷ୍ଟିକ୍ ବ୍ୟବହାର ରୋକିବା ଦିଗରେ ବି କାମ କରନ୍ତି।
Follow Us